ଖଣି ଅଞ୍ଚଳରେ କ୍ରୀଡ଼ା‌ ଭିତ୍ତିଭୂମି ଦୁର୍ବଳ : ଦୀର୍ଘ ୮ ବର୍ଷ ପରେ ବି ଖଣି ସହର ଯୋଡ଼ାରେ ଅଧାପନ୍ତରିଆ ହୋଇପଡ଼ିରହିଛି ନିର୍ମାଣାଧୀନ ବିଜୁ ପଟ୍ଟନାୟକ ଷ୍ଟାଡିୟମ

ଯୋଡ଼ା : ଖଣିରୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି। ହେଲେ ଖଣି ସହର ଯୋଡ଼ାରେ କ୍ରୀଡ଼ା‌ ଭିତ୍ତିଭୂମି ସୁଦୃଢ଼ ହୋଇପାରୁନି। ଦୀର୍ଘ ୮ ବର୍ଷ ମଧ୍ୟରେ ଯୋଡ଼ା ପୌରପାଳିକାର ତିନି ତିନି ଜଣ ଅଧ୍ୟକ୍ଷ ଗଲେଣି। କିନ୍ତୁ ନିର୍ମାଣଧୀନ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଏବେ ବି ଅଧାପନ୍ତରିଆ ହୋଇପଡ଼ିଛି।

୨୦୧୧ ମସିହା ଜୁନ୍‌ ୧୯ ତାରିଖରେ ପୌରପାଳିକାର ୧ ନମ୍ବର ୱାର୍ଡ ଶାସ୍ତ୍ରୀନଗରରେ ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପରେ ପାଚେରି ନିର୍ମାଣ ଆରମ୍ଭ ହୋଇଥିଲା। ପଡ଼ିଆର କିଛି ଅଂଶରେ‌ ପାଚେରି କରାଯାଇଥିବା ବେଳେ ବାକି ମୁକୁଳା ପଡ଼ିଛି। ପଡ଼ିଆର ଉନ୍ନତୀକରଣ କରାଯାଇ ନାହିଁ। ଏନେଇ ଜିଲ୍ଲାପାଳ ଓ ପୌରପାଳିକା କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ହେଲା ଲୋକେ ଜଣାଇ ଆସୁଛନ୍ତି। ବିଭିନ୍ନ ସମୟରେ ପ୍ରଶାସନ ପକ୍ଷରୁ ଷ୍ଟାଡିୟମ ନିର୍ମାଣ ସଂପୂର୍ଣ୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। ହେଲେ ତାହା ପ୍ରହସନରେ ପରିଣତ ହୋଇଛି।

ଯୋଡ଼ାରେ ପୌରପାଳିକାର ଗୋଟିଏ ହେଲେ ଷ୍ଟାଡିୟମ ନାହିଁ। ଏଥିପାଇଁ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ହୋଇପାରୁ ନାହିଁ। କ୍ରୀଡ଼ା ପ୍ରତିଭାଙ୍କ ବିକାଶ ହୋଇପାରୁ ନାହିଁ ବୋଲି ଲୋକେ କହିଛନ୍ତି। କ୍ରୀଡ଼ାକୁ ରାଜ୍ୟ ସରକାର ଗୁରୁତ୍ବ ଦେବା ସହ ବ୍ୟାପକ ପ୍ରୋତ୍ସାହନ ଦେଉଛନ୍ତି। ‌ହେଲେ ଏ କ୍ଷେତ୍ରରେ ଖଣି ସହର ଯୋଡ଼ାକୁ ଅଣଦେଖା କରିବା ଜନସାଧାରଣଙ୍କୁ ବ୍ୟଥିତ କରିଛି। ସରକାର ଏଠାରୁ ବ୍ୟାପକ ରାଜସ୍ବ ପାଉଛନ୍ତି। ଡିଏମ୍ଏଫ୍ ନାମରେ କୋଟି କୋଟି ଟଙ୍କା ଆଦାୟ ହେଉଛି। ହେଲେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଅଧାପନ୍ତରିଆ ପଡ଼ିଥିବା ଷ୍ଟାଡିୟମ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁନି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଯୋଡ଼ା ପୌରପାଳିକା ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ପଚାରିବାରୁ, ଷ୍ଟାଡିୟମର କିଛି ଅଂଶ ଜଙ୍ଗଲ ଜମି ଥିବାରୁ ଷ୍ଟାଡିୟମ ନିର୍ମାଣ ସଂପୂର୍ଣ୍ଣ ହୋଇପାରୁନି ବୋଲି ସେ କହିଛନ୍ତି। ଜଙ୍ଗଲ ବିଭାଗର ଅନୁମତି ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଷ୍ଟାଡିୟମ ନିର୍ମାଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ସମ୍ବନ୍ଧିତ ଖବର