ରିତେନ୍ଦ୍ର ଛାଟୋଇ
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସଦର ମହକୁମାସ୍ଥିତ ଦିଘିରାହାଣିଆରେ ଥିବା ଏକମାତ୍ର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର କର୍ମଚାରୀ ଅଭାବ ଦେଇ ଗତି କରୁଛି। ଏଠାରେ ଅଧିକାରୀଙ୍କୁ ବି ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ପୋଖରୀରେ ଲୁଙ୍ଗି, ଗାମୁଛା ପିନ୍ଧି ଯାଆଁଳ ଛାଡ଼ିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି କାର୍ଯ୍ୟ କରିବାକୁ ପଡ଼ୁଛି। ଉନ୍ନତ ମାଛଚାଷ ପାଇଁ ଏଠାରେ ଏକ ଲାବୋରେଟୋରି ତଥା ତାଲିମ କେନ୍ଦ୍ର ଥିବାବେଳେ କର୍ମଚାରୀ ଅଭାବରୁ ସେଥିରେ ତାଲା ଝୁଲୁଛି।
ଏହି ଲାବୋରେଟୋରିରେ ମାଛଚାଷ ନେଇ ତାଲିମଠାରୁ ଆରମ୍ଭକରି ମାଟି, ପାଣି ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି। ମାତ୍ର, ଏହି ବ୍ୟବସ୍ଥା କେବଳ କାଗଜପତ୍ରରେ ରହିଯାଇଛି। ସୂଚନା ଅନୁସାରେ, ଉକ୍ତ ଯାଆଁଳ ଉତ୍ପାଦନ କେନ୍ଦ୍ରରେ ୨୦୧୪- ୧୫ ମସିହା ସୁଦ୍ଧା ଫିସେରି ଟେକ୍ନିସିଆନ୍, ପମ୍ପ୍ ଆଣ୍ଡ୍ ଲଞ୍ଚ୍ ଡ୍ରାଇଭର(ପିଏଲ୍ଡି), ୱାଚ୍ମ୍ୟାନ୍, ପିଅନ ଆଦିଙ୍କୁ ମିଶାଇ ପ୍ରାୟ ୨୫ ଜଣ କର୍ମଚାରୀ କାମ କରୁଥିଲେ। ହେଲେ, ବର୍ତ୍ତମାନ ୨ଜଣ ସହକାରୀ ମତ୍ସ୍ୟ ଅଧିକାରୀ, ଜଣେ ସୁପରଭାଇଜର, ଜଣେ ପିଅନଙ୍କୁ ମିଶାଇ ମାତ୍ର ୪ କର୍ମଚାରୀ ରହିଛନ୍ତି। ଫିସେରି ଟେକ୍ନିସିଆନ, ପମ୍ପ୍ ଚାଳକ ଆଦି ପଦରୁ ଅବସର ନେଉଥିବା ବ୍ୟକ୍ତିଙ୍କ ସ୍ଥାନରେ ଆଉ ନୂତନ ନିଯୁକ୍ତି ପ୍ରଦାନ କରାଯାଉ ନାହିଁ। ଫଳରେ ଯାଆଁଳ ଉତ୍ପାଦନ କେନ୍ଦ୍ର ଚଳାଇବା କଷ୍ଟକର ହୋଇ ପଡ଼ୁଥିବା ଜଣାପଡ଼ିଛି।
ଲାବୋରେଟୋରିରେ ତାଲା ଝୁଲୁଛି
ଅବସର ପରେ ଦିଆଯାଉନି ନୂତନ ନିଯୁକ୍ତି
ଏପରିକି ଏଏଫ୍ଓ ଅକ୍ଷୟ ମହାନ୍ତି, ସିନିୟର ଫିସେରି ଟେକ୍ନିକାଲ ଆସିଷ୍ଟାଣ୍ଡ୍(ଏସ୍ଏଫ୍ଟିଏ) ତଥା ସୁପରଭାଇଜରଙ୍କୁ ଯାଆଁଳ ଛାଡ଼ିବା ପାଇଁ ଲୁଙ୍ଗି, ଗାମୁଛି ପିନ୍ଧି ପୋଖରୀରେ ପଶିବାକୁ ପଡ଼ୁଛି। ପମ୍ପ୍ ଚଳାଇବା କାମ ବି ଏହି ଦୁହିଁଙ୍କୁ କରିବାକୁ ପଡ଼ୁଛି। ପୋଖରୀଠାରୁ ନେଇ ପମ୍ପ୍ ଜଗିବା କାମ ବି କରିବାକୁ ପଡ଼ୁଛି। ଏଏଫ୍ଓ ମତ୍ସ୍ୟ ଉତ୍ପାଦନ କେନ୍ଦ୍ରର କାଗଜପତ୍ର କାମ କରିବା କଥା, ସୁପରଭାଇଜର ଜାଆଁଳ ବିକ୍ରି କାମ କରିବା କଥା। ହେଲେ କର୍ମଚାରୀ ଅଭାବରୁ ନିମ୍ନ କର୍ମଚାରୀଙ୍କ କାମ ବି ଏମାନଙ୍କୁ କରିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି।
ଜିଲ୍ଲାର ଏକମାତ୍ର ଯାଆଁଳ ଉତ୍ପାଦନ କେନ୍ଦ୍ର ଦୟନୀୟ ଅବସ୍ଥାରେ ଗତି କରୁଥିବା ବେଳେ ଏହା ମତ୍ସ୍ୟଚାଷୀଙ୍କୁ କିଭଳି ପ୍ରୋତ୍ସାହନ ଯୋଗାଇବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର ବେହେରା କହିଛନ୍ତି, ଲାବୋରେଟୋରି, ତାଲିମ କେନ୍ଦ୍ରର ବିଦ୍ୟୁତୀକରଣ, ଅନ୍ୟ ଉପକରଣ ନଥିବାରୁ ଏହା ବନ୍ଦ ରହିଛି। ଯାଆଁଳ ଉତ୍ପାଦନ ଋତୁରେ ଅଧିକ କର୍ମଚାରୀ ନିୟୋଜିତ କରାଯାଉଛି। ଏବେ ସରକାରଙ୍କ ପକ୍ଷରୁ ନିୟମିତ ନିଯୁକ୍ତି ବନ୍ଦ ରହିଛି। ନୂତନ ପମ୍ପ୍ ଡ୍ରାଇଭର ନିଯୁକ୍ତି ପାଇଁ ଚିଠି ଲେଖାଯାଇଛି ବୋଲି ସେ କହିଛନ୍ତି।