କର୍ମଚାରୀ ଅଭାବ; ବିପଦରେ ବରାଙ୍ଗ ହରିଣ

ରାମଚନ୍ଦ୍ରପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଏବେ ହରିଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। କର୍ମଚାରୀ ଅଭାବ ସାଙ୍ଗକୁ ବିଟ୍ ହାଉସ୍ ମୁକୁଳା ପଡ଼ିଛି। ଏଭଳି ସ୍ଥିତିରେ ହରିଣଙ୍କ ସୁରକ୍ଷାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରୁଥିବା ବେଳେ ବନ ବିଭାଗ ବେଫିକର ରହୁଥିବା ଅଭିଯୋଗ ହେଉଛି।

ଟିପା ହରିଣଙ୍କ ଅନ୍ତୁଡିଶାଳ ହେଉଛି ବରାଙ୍ଗ ସଂରକ୍ଷିତ ଜଙ୍ଗଲ।  ଜଙ୍ଗଲରେ ଶହଶହ ସଂଖ୍ୟାରେ ଟିପା ହରିଣ ଅଛନ୍ତି। ବିଭିନ୍ନ କାରଣରୁ ଅନେକ ସମୟରେ ହରିଣ ପଲ ଜନବସତି ମୁହାଁ ହୋଇ କ୍ଷତ ବିକ୍ଷତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ମୃତ୍ୟୁମୁଖରେ ପଡ଼ୁଛନ୍ତି।  ବନ ବିଭାଗର ଉଚ୍ଚ କର୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ସାଙ୍ଗକୁ ଜଙ୍ଗଲ ସୁରକ୍ଷାରେ  କର୍ମଚାରୀ ଅଭାବ ଏବଂ ଜଙ୍ଗଲ ଚତୁଃପାର୍ଶ୍ବରେ ଲଗା ଯାଇଥିବା ତାରବାଡା ଅସମ୍ପୂର୍ଣ୍ଣ ଯୋଗୁଁ ହରିଣଙ୍କ ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି। ଜଙ୍ଗଲରେ ହରିଣଙ୍କ ବ୍ୟତୀତ ସମ୍ବର, ଜଙ୍ଗଲି ଭାଲୁ, ହେଟା, ନେଉଳ, ଝିଙ୍କ, ପାତିମାଙ୍କଡ଼, ହନୁମାଙ୍କଡ଼, ବଣ କୁକୁଡ଼ା ଆଦି ଅଛନ୍ତି। ବିରଳ ବଜ୍ରକାପ୍ତା ମଧ୍ୟ ଏଠାରେ ଦେଖାଯାଆନ୍ତି।

୧୩୩୦ ହେକ୍ଟର ପରିମିତ ଏହି ଜଙ୍ଗଲର ଜଳବାୟୁ ହରିଣ ବଂଶ ବୃଦ୍ଧି ଦିଗରେ ବେଶ ସହାୟକ ହୋଇଥାଏ। ଏଠାକାର ମାଟିରେ ଲବଣାଂଶର ମାତ୍ରା ପ୍ରଚୁର ମାତ୍ରାରେ ଭରି ରହିଥିବାରୁ  ହରିଣ ମାନଙ୍କ ଖାଦ୍ୟ  ପାଇଁ  ବେଶ ଉପଯୋଗୀ ହୋଇଥାଏ। ହରିଣମାନେ ଦଳଦଳ ହୋଇ ଖୋଲା ମେଲାରେ ସ୍ବଛନ୍ଦରେ ବିଚରଣ କରିଥାନ୍ତି। ପ୍ରତ୍ୟେକ ବର୍ଷ ଆଶାତୀତ ଭାବେ ହରିଣମାନଙ୍କ  ବଂଶ ବୃଦ୍ଧି ଘଟୁଥିଲେ  ମଧ୍ୟ ହରିଣଙ୍କ ଗଣନା ଠିକ ଢଙ୍ଗରେ ହେଉନାହିଁ। ବିଶେଷ କରି ଗ୍ରୀଷ୍ମ ଦିନରେ ହରିଣ ପଲ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଛନ୍ତି। ଫଳରେ ବୁଲା କୁକୁର ହାବୁଡ଼ରେ ପଡି ଲହୁ ଲୁହାଣ ହେବା ସହିତ ମୃତ୍ୟୁମୁଖରେ ପଡ଼ୁଛନ୍ତି।  ସେପଟେ ସଂଜ ହେଲେ ଜଙ୍ଗଲି ଭାଲୁ ନିକଟସ୍ଥ ଗାଁରେ ପଶି ଉତ୍ପାତ କରୁଛନ୍ତି।

ଜଙ୍ଗଲ ସୁରକ୍ଷାରେ ଜଣେ ମାତ୍ର ଫରେଷ୍ଟଗାର୍ଡ ଏବଂ ୪ ଜଣ ଅସ୍ଥାୟୀ ଜଗୁଆଳି  ନିୟୋଜିତ ଅଛନ୍ତି। ଅନ୍ୟଜଣେ ଫରେଷ୍ଟଗାର୍ଡ ତିନି ମାସ ହେଲା ଅନୁପସ୍ଥିତ ଥିବାରୁ ଜଙ୍ଗଲ ସୁରକ୍ଷାରେ ବ୍ୟାପକ ବିଭ୍ରାଟ ହେବା ସହ ଗଁପୁର ସ୍ଥିତ ବିଟ ହାଉସ ମୁକୁଳା ପଡ଼ିଛି। ବନବିଭାଗର ଉଚ୍ଚ କର୍ତ୍ତୃପକ୍ଷ ସବୁ ଘଟଣାକୁ ଜାଣି ମଧ୍ୟ ଚୁପ ବସିଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ହରିଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖାଲି ପଡ଼ିଥିବା ଫରେଷ୍ଟଗାର୍ଡ ପଦବି ପୂରଣ ସହ  ସ୍ଥାନୀୟ ଯୁବକଙ୍କୁ ଅଗ୍ରାଧିକାର ଭିତ୍ତିରେ ଅସ୍ଥାୟୀ ପୋଚିଂ ସ୍କ୍ବାଡ୍ ଭାବେ ନିଯୁକ୍ତି ଦେବା ନିହାତି ଜରୁରି ହୋଇପଡ଼ିଛି। ଆନନ୍ଦପୁର ବନଖଣ୍ତ ଅଧିକାରୀ ଏଦିଗରେ ହସ୍ତକ୍ଷେପ କରି ଯଥା ଶୀଘ୍ର ପଦକ୍ଷେପ ନେବାକୁ ପୁରୁଣାବାନ୍ଧଗୋଡ଼ା ସରପଞ୍ଚ ସୁଦ୍ଧାରାଣୀ ଧୀର, ସୁଜିତ କୁମାର ଧୀର,ସନ୍ତୋଷକୁମାର ଧୀର ଏବଂ ଗଁପୁର  ଅଞ୍ଚଳର  ଅନେକ ବୁଦ୍ଧିଜୀଜୀ ଦାବି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର