କାମଚଳା ଅଧିକାରୀଙ୍କୁ ନେଇ ଚାଲିଛି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ

ବାରିପଦା : ପ୍ରାକୃତିକ ଶୋଭାରାଜିର ଅପୂର୍ବ ସମ୍ଭାର ମୟୂରଭଞ୍ଜ ଜିଲ୍ଲାରେ କିନ୍ତୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ପର୍ଯ୍ୟଟନ ବିଭାଗ। ଘର ଅଛି ମାତ୍ର ଅଧିକାରୀ ନାହାନ୍ତି। ପ୍ରାୟ ୨୨ମାସ ହେବ ଜିଲ୍ଲାରେ ନାହାନ୍ତି ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ। କାମଚଳା ଅଧିକାରୀଙ୍କୁ ନେଇ ଧକେଇ ଧକେଇ ଚାଲିଛି ଜିଲ୍ଲା ପର୍ଯ୍ୟଟନ ରଥ। ଜିଲ୍ଲାରେ ପର୍ଯ୍ୟଟନସ୍ଥଳଗୁଡ଼ିକ ନିମନ୍ତେ ସରକାରୀ ଭାବେ ମୋଟ ୨୦ଟି ମଞ୍ଜୁରୀପ୍ରାପ୍ତ ପଦ ରହିଛି। ମାତ୍ର ଅଛନ୍ତି ମାତ୍ର ୮ ଜଣ କର୍ମଚାରୀ । ଜିଲ୍ଲା ସଦରମହକୁମାର ବାରିପଦାରେ ଥିବା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଜଣେ କନିଷ୍ଠ କିରାଣୀ ସହ ଚୌକିଦାର ଓ ପିଅନ ଆଦି ୫ ଜଣ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ଚାଲିଛି କାର୍ଯ୍ୟାଳୟ । ୨୦୧୯ ଫେବ୍ରୁଆରୀରୁ ପର୍ଯ୍ୟଟନ ଅଧିକାରୀ ପଦବୀ ଖାଲିପଡ଼ିଛି । କାମ ଚଳାଉଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ । ବର୍ତ୍ତମାନ ଜିଲ୍ଲା ସଂସ୍କୃତି ଅଧିକାରୀ ଛୁଟିରେ ଯାଇଥିବା କାରଣରୁ ଜଣେ ଡେପୁଟୀ କଲେକ୍ଟର ଦାୟିତ୍ୱରେ ରହିଛନ୍ତି । ଗତବର୍ଷ ଫେବ୍ରୁଆରୀରେ ବାରିପଦାସ୍ଥିତ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ମନୋରଞ୍ଜନ ମହାପାତ୍ର ଅବସର ଗ୍ରହଣ କରିବା ପରେ ଜଣେ ପର୍ଯ୍ୟଟନ ଅଧିକାରୀଙ୍କୁ ବାରିପଦା କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଉକ୍ତ ମହିଳା ଅଧିକାରୀ ଜଣଙ୍କ ବାରିପଦା ନ ଆସି ଭୁବନେଶ୍ୱରରେ ରହି କାର୍ଯ୍ୟ କରୁଛନ୍ତି । ମାତ୍ର ଦରମା ନେଉଛନ୍ତି ମୟୂରଭଞ୍ଜରୁ । ସେହିପରି ଜିଲ୍ଲାର ଶାମାଖୁଣ୍ଟା ବ୍ଲକ୍ର ଲୁଲୁଙ୍ଗ ଓ ବାରିପଦା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଟୁରିଷ୍ଟ ପାନ୍ଥନିବାସ ବନ୍ଦ ହେବା ପରେ ସେଠାରେ କାର୍ଯ୍ୟକରୁଥିବା ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଓ ଅନ୍ୟ ଜଣେ ଢ଼େଙ୍କାନାଳରେ ଡ଼େପୁଟେସନରେ କାର୍ଯ୍ୟ କରୁଛନ୍ତି। ମାତ୍ର ସେମାନେ ମଧ୍ୟ ଦରମା ମୟୂରଭଞ୍ଜରୁ ନେଉଛନ୍ତି । ଜିଲ୍ଲାରେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନଥିବାରୁ ପର୍ଯ୍ୟଟନସ୍ଥଳିଗୁଡ଼ିକର ଉନ୍ନୟନ ଯଥେଷ୍ଟ ବାଧାପ୍ରାପ୍ତ ହେଉଛି । ଜିଲ୍ଲାରେ ବିଶ୍ବପ୍ରସିଦ୍ଧ ଶିମିଳିପାଳ ସମେତ ପ୍ରାୟ ୧୯ରୁ ଅଧିକ ପର୍ଯ୍ୟଟନସ୍ଥଳୀ ଚିହ୍ନଟ କରାଯାଇଛି । ପୁଣି ରହିଛି ଖିଚିଂ ଓ ବାରିପଦା ସଂଗ୍ରହାଳୟ । ଯଶୀପୁର କୁମ୍ଭୀର ଗବେଷଣା କେନ୍ଦ୍ର। ମାତ୍ର କେଉଁଠି ପର୍ଯ୍ୟଟନସ୍ଥଳିକୁ ରାସ୍ତା ନାହିଁ ତ’ ପୁଣି କେଉଁଠି ବିଜୁଳି ଓ ରହିବାର ସୁବିଧା ନାହିଁ । ଖିଚିଂର ଉନ୍ନୟନ ନିମନ୍ତେ କୋଟିଏ ଟଙ୍କାର ଅନୁଦାନ ଆସିଥିବା ବେଳେ ଏହା ଖର୍ଚ୍ଚ ହୋଇନପାରି ପଡ଼ିରହିଛି । ସେହିପରି ଅନ୍ୟାନ୍ୟ ଏକାଧିକ ପର୍ଯ୍ୟଟନସ୍ଥଳୀର ମଧ୍ୟ ଅନୁରୂପ ଅବସ୍ଥା। ବିଭାଗର ଜଣେ ସ୍ଥାୟୀ ମୁରବୀ ନଥିବାରୁ ଏପରି ଅବ୍ୟବସ୍ଥା ଉପୁଜୁଥିବା ଜଣାପଡ଼ିଛି।
ପର୍ଯ୍ୟଟନ ଶିଳ୍ପର ବ୍ୟାପକ ସମ୍ଭାବନା ଥିବା ମୟୂରଭଞ୍ଜରେ ଏହାର ବିକାଶ ପାଇଁ ରାଜ୍ୟ ସରକାର ଅବହେଳା କରୁଛନ୍ତି। ୨୨ମାସ ହେବ ଜିଲ୍ଲାରେ ଜଣେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନାହାନ୍ତି। ମାତ୍ର ରାଜ୍ୟ ସରକାରଙ୍କର ଏପ୍ରତି ନିଘା ନାହିଁ। ତୁରନ୍ତ ଏଠାରେ ଜଣେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ। ନଚେତ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ଶିଳ୍ପବିହୀନ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିଲେ ଯଥେଷ୍ଟ ରୋଜଗାର ସୃଷ୍ଟି ହୋଇପାରିବ। ମାତ୍ର ପର୍ଯ୍ୟଟନ ବିଭାଗର ଏପରି ସ୍ଥାଣୁତା ଏବଂ ଅପାରଗତା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜକୁ ପଛୁଆ କରୁଛି। ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହିତ ଜିଲ୍ଲାରେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି।
ଜିଲ୍ଲା ବାହାରୁ ଆସିବାକୁ ଚାହୁଁଥିବା ଜଣେ ପର୍ଯ୍ୟଟକ ଏଠିକାର ଟୁରିଷ୍ଟ୍ ସ୍ପଟ୍ ସମ୍ପର୍କରେ ମଧ୍ୟ ଜାଣିବା ମୁସ୍କିଲ୍। ଜିଲ୍ଲାର ପର୍ଯ୍ୟଟନ ବିଭାଗର ବିପର୍ଯ୍ୟସ୍ତ ବ୍ୟବସ୍ଥା କାରଣରୁ ଏପରି ସମସ୍ୟା ସୃଷ୍ଟି ହେଉଛି। ତୁରନ୍ତ ଏହାର ସମାଧାନ କରାଯାଉ। ଅଧିକରୁ ଅଧିକ ପର୍ଯ୍ୟଟକ ଯେପରି ଜିଲ୍ଲାକୁ ଆସି୍ବେ ସେନେଇ ରାଜ୍ୟ ସରକାର ଯତ୍ନବାନ ହେବା ଆବଶ୍ୟକ ବୋଲି କଂଗ୍ରେସ ନେତା ଯୋଗେଶ ଅଗ୍ରୱାଲା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର