କୋଭିଡ୍‌ ହସ୍ପିଟାଲରେ ଗଣ୍ଡଗୋଳ ପରେ ‌ଚେତିଲା ପ୍ରଶାସନ

ସମ୍ବଲପୁର : ନିକଟରେ ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲରେ ଜଣେ ଚିକିତ୍ସାଧୀନ ନର୍ସଙ୍କୁ ଅନ୍ୟଜଣେ କାର୍ଯ୍ୟରତ ନର୍ସ ଜବରଦସ୍ତ ରେମ୍‌ଡେସିଭିର ଇନ୍‌ଜେକ୍ସନର ଦ୍ବିତୀୟ ଡୋଜ୍‌ ଦେବାକୁ ନେଇ ମଙ୍ଗଳବାର ରାତି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାପରେ ତଦନ୍ତ ଶେଷ ହେବା ଯାଏ ନର୍ସଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା। ଏଭଳି ଅଭିଯୋଗ ଆସିବା ପରେ ଗୁରୁବାର ଭିମ୍‌ସାର୍‌ କର୍ତ୍ତୃପକ୍ଷ କୋଭିଡ୍ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିବା ନର୍ସିଂ ଅଧିକାରୀ ଓ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଭିମ୍‌ସାର୍‌ ସେମିନାର୍‌ ହଲ୍‌ରେ ଏହି ପ୍ରଶିକ୍ଷଣ ଦିଆଯାଇଥିଲା।

ରୋଗୀଙ୍କ ଉପଯୁକ୍ତ ଯତ୍ନ, ରୋଗୀ ଓ ‌ସେମାନଙ୍କ ସମ୍ପର୍କୀୟମାନଙ୍କ ସହିତ ଉତ୍ତମ ବ୍ୟବହାର, ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଜିନିଷ ଆଣି ରୋଗୀଙ୍କ ପାଖରେ ସଠିକ୍‌ ଭାବେ ପହଞ୍ଚାଇବା ତଥା ହସ୍ପିଟାଲ୍‌ରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ଜିନିଷପତ୍ର ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଅବସରରେ ଭିମସାର୍‌ ଅଧୀକ୍ଷକ ଡା. ଲାଲମୋହନ ନାୟକଙ୍କ ସମେତ ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ, କୋଭିଡ୍ ନୋଡାଲ୍‌ ଅଫିସର୍‌ ଡାକ୍ତର ସୁଦର୍ଶନ ପୋଥାଲ, ହସ୍ପିଟାଲ୍‌ ମ୍ୟାନେଜର୍‌ କୀର୍ତ୍ତିମାନ ମହାନ୍ତ, ଷ୍ଟିଵାର୍ଡ ଅଶ୍ବିନୀ ମେହେର, ମେଟ୍ରୋନ କ୍ଷଣପ୍ରଭା ମଣ୍ଡଳଙ୍କ ସହିତ ଉଭୟ କୋଭିଡ୍ ହସ୍ପିଟାଲରେ ମେଡିକାଲ୍‌ ଅଫିସରମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ।

ସମ୍ବନ୍ଧିତ ଖବର