ମଞ୍ଚ ନାଟକ ଜୀବନର କଥା କହେ, ବାଟ ଦେଖାଏ  

ସୁନ୍ଦରଗଡ଼: ‘ନବଜୀବନ’ ସୁନ୍ଦରଗଡ଼ ଆୟୋଜିତ ବସନ୍ତ ମହୋତ୍ସବ ଅବସରରେ ମାଦ୍ରୀ କାଲୋ ଭବନରେ ୧୩ ତାରିଖରେ ବିଶିଷ୍ଟ ନାଟ୍ୟକାର ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ରଚିତ ‘ମାମୁଁ’ ଓ ‘ଦିନ୍’ ଦୁଇଟି ନାଟକ ମଞ୍ଚସ୍ଥ ହୋଇଥିଲା। ପ୍ରଥମ ନାଟକ ‘ମାମୁଁ’ ପରିବେଷଣ କରିଥିଲା ‘ନବଜୀବନ’ ସୁନ୍ଦରଗଡ଼ । ନାଟକର କାହାଣୀ ଯେତିକି ସରଳ, ସେତିକି ମନଛୁଆଁ ଥିଲା ଦର୍ଶକମାନଙ୍କ ପାଇଁ । ପରର କାନ କୁହା କଥା ଶୁଣି ନିଜ ଲୋକଙ୍କୁ ଭୁଲ ବୁଝିବା, ସନ୍ଦେହ କରିବା, ନିଜେ କଷ୍ଟ ପାଇବା ସଙ୍ଗେ ସଙ୍ଗେ ନିଜ ପରିବାରର ଶାନ୍ତି ନଷ୍ଟ କରିବାକୁ ଭିତ୍ତି କରି ଏକ ସୁନ୍ଦର ମନୋଜ୍ଞ ବାର୍ତ୍ତା ଥିଲା ଏହି ନାଟକରେ।

ନିର୍ଦ୍ଦେଶକ ନାଟକର ଗତି, ଉତ୍କଣ୍ଠା ଓ ଦ୍ଵନ୍ଦ୍ବକୁ ଏପରି ପ୍ରସ୍ତୁତ କରିଥିଲେ ଯେ, ପ୍ରତିଟି ମୁହୂର୍ତ୍ତକୁ ଦର୍ଶକ ତଟସ୍ଥ ହୋଇ ଦେଖିଥିଲେ। ନାଟକରେ ସବୁଠୁ ବେଶୀ ମନଛୁଆଁ ଥିଲା ନାଟକରେ ସଙ୍ଗୀତର ପ୍ରୟୋଗ । ନାଟକ ସାରା ସଙ୍ଗୀତର ବହୁଳ ପ୍ରୟୋଗ ବିଲକୁଲ ନଥିଲା । ନାରୀ କଣ୍ଠର ଆଳାପ ଓ ଆବାହ ସଙ୍ଗୀତ ନାଟକ ଭିତରକୁ ମନଟା ଟାଣି ନେଉ ଥିଲା । ଏହାର ସବୁ ଶ୍ରେୟ ଥିଲା ସଙ୍ଗୀତ ନିର୍ଦ୍ଦେଶିକା ସସ୍ମିତା ସାହୁଙ୍କୁ। ମଞ୍ଚସଜା ଯେତିକି ସୁନ୍ଦର ଓ ଆକର୍ଷଣୀୟ, ସେତିକି ନିଖୁଣ ଥିଲା । ମଞ୍ଚରେ ବହୁଳ ସାମଗ୍ରୀ ବ୍ୟବହାର ନକରି ଏକ ଆଭିଜାତ୍ୟ ଗୃହର ଡ୍ରଇଂ ରୁମ ଓ ବାଲକୋନୀର ଦୃଶ୍ୟ ସୃଷ୍ଟି କରିଥିଲେ ମଞ୍ଚ ସ୍ରଷ୍ଟା ଦେବେନ୍ ଅମାତ। ପ୍ରତ୍ୟେକ ଚରିତ୍ର ଜୀବନ୍ତ ଅଭିନୟ କରିଥିଲେ । ଅତି ନାଟକୀୟତାର ଉପସ୍ଥିତି ବିଲକୁଲ ନଥିଲା । ତେବେ ମାମୁଁ, ପଡ଼ୋଶିନୀ ଓ କୁନିଝିଅ ଚରିତ୍ରକୁ ଛାଡ଼ି ଦେଲେ ଅନ୍ୟ ଚରିତ୍ରମାନଙ୍କ ସଂଳାପ ପ୍ରକ୍ଷେପଣରେ ସତର୍କତା ନଥିବା ପରି ମନେ ହେଉଥିଲା । ସବୁ ସତ୍ତ୍ୱେ ‘ମାମୁଁ’ ଏକ ସଫଳ ପରିବେଷିତ ନାଟକ । ପ୍ରବଳ ଗରମ ଓ ଗୁଳୁ ଗୁଳି ସତ୍ତ୍ୱେ ହଲ୍ ଭରା ସୁନ୍ଦରଗଡ଼ର ନାଟ୍ୟପ୍ରେମୀ ଦର୍ଶକମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନାଟକକୁ ଉପଭୋଗ କରିଥିଲେ । ହଜି ଯାଉଥିବା ନାଟକର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତିବଦ୍ଧ ‘ନବଜୀବନ’ର ଏ ପ୍ରୟାସ ନାଟ୍ୟପ୍ରେମୀଙ୍କୁ ବେଶ ଆନ୍ଦୋଳିତ କରିଥିଲା।

ସମ୍ବନ୍ଧିତ ଖବର