ତହସିଲ କାର୍ଯ୍ୟାଳୟରେ ଅଚଳାବସ୍ଥା, ଛାତ୍ରଛାତ୍ରୀଙ୍କୁ ମିଳୁନି ପ୍ରମାଣପତ୍ର

ବଣାଇଗଡ଼: ବଣାଇ ସଦର ମହକୁମା ତହସିଲ କାର୍ଯ୍ୟାଳୟରେ ଅଚାଳାବସ୍ଥାରେ ସୃଷ୍ଟି ହୋଇଛି। ଏଠାରେ କେହି ତହସିଲଦାର ନଥିବାରୁ କାର୍ଯ୍ୟାଳୟର କୌଣସି କାର୍ଯ୍ୟ ସୁଚାରୁ ସଂପାଦିତ ହୋଇପାରୁ ନାହିଁ। ଗତ ୪ ମାସ ପୂର୍ବେ ଏଠାରେ କାର୍ଯ୍ୟରତ ତହସିଲଦାରଙ୍କୁ ସରକାର ଚାକିରିରୁ ବରଖାସ୍ତ କରିବା ପରେ ବଣାଇ ବିଡିଓଙ୍କୁ ଏହାର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା।

ଜଣେ ଅଧିକାରୀ ଦୁଇଟି ପଦବିରେ ରହିଥିବାରୁ ଅତିରିକ୍ତ ଦାୟିତ୍ବ ସୁଚାରୁ ପରିଚାଳନା ତାଙ୍କ ପକ୍ଷେ ଅସମ୍ଭବ ହୋଇଛି। ତେବେ ଗତ ୨୦ଦିନ ହେବ ଭାରପ୍ରାପ୍ତ ତହସିଲଦାର ଏକ ପାରିବାରିକ କାର୍ଯ୍ୟରେ ଅନୁପସ୍ଥିତ ଥିବାବେଳେ ତାଙ୍କ ସ୍ଥାନରେ ଲହୁଣିପଡା ତହସିଲଦାରଙ୍କୁ ବଣାଇ ତହସିଲଦାର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ମାତ୍ର ସେ ଏଠାକୁ ଆସୁନଥିବାବେଳେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରମାଣପତ୍ରରେ ତହସିଲଦାରଙ୍କ ଦସ୍ତଖତ ହୋଇପାରୁ ନଥିବାରୁ ବହୁ ଛାତ୍ରଛାତ୍ରୀ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର