ହାଉସିଂବୋର୍ଡ ଅଫିସ୍‌ ଆଗରେ ହିତାଧିକାରୀଙ୍କ ଆନ୍ଦୋଳନ

ଅଭିଯୋଗ ଶୁଣାଣି ଦିନ ଅଧ୍ୟକ୍ଷ ଅନୁପସ୍ଥିତ

ଖଣ୍ଡଗିରି: ଅଭିଯୋଗ ଶୁଣାଣି ଦିନ ଅଧ୍ୟକ୍ଷ ଅନୁପସ୍ଥିତ ରହିବାକୁ କେନ୍ଦ୍ର କରି ଆଜି ହାଉସିଂବୋର୍ଡ କାର୍ଯ୍ୟାଳୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗ କରିବାକୁ ଆସିଥିବା ଡୁମୁଡୁମା ଫେଜ୍‌-୭ର ଏଲ୍‌ଆଇଜି, ଏମ୍‌ଆଇଜି ହିତାଧିକାରୀମାନେ କାର୍ଯ୍ୟାଳୟରେ ହୋ-ହଲ୍ଲା କରିବା ସହ ଆନ୍ଦୋଳନ କରିଥିଲେ।

ସେମାନଙ୍କ ଅଭିଯୋଗ ହେଲା, ହାଉସିଂବୋର୍ଡ ସେମାନଙ୍କୁ ବାରମ୍ବାର ଠକି ଚାଲିଛି। କଣ୍ଟ ପୂରିବାର ୩ ବର୍ଷ ପରେ ମଧ୍ୟ ଫ୍ଲାଟ୍‌ ହସ୍ତାନ୍ତର କରାଯାଉନାହିଁ। ଏନେଇ ସେମାନେ ବାରମ୍ବାର ଧାରଣା, ଆନ୍ଦୋଳନ କରିବା ପରେ ୨୦୨୨ ମସିହା ଜାନୁଆରି ୩୧ ସୁଦ୍ଧା ସେମାନଙ୍କୁ ଫ୍ଲାଟ୍‌ ଦେବା ପାଇଁ ହାଉସିଂବୋର୍ଡ ଜବାବ ଦେଇଥିଲା। କିନ୍ତୁ ତା’ ବି ହେଲା ନାହିଁ। ଆଜି ଅଭିଯୋଗ ଶୁଣାଣି ଦିବସ ଥିବା ବେଳେ ବହୁ ସଂଖ୍ୟାରେ ହିତାଧିକାରୀ କାର୍ଯ୍ୟାଳୟକୁ ଆସିଥିଲେ। କିନ୍ତୁ ଅଧ୍ୟକ୍ଷଙ୍କ ଦେଖା ମିଳିନଥିଲା। ଅଧ୍ୟକ୍ଷ କାର୍ଯ୍ୟାଳୟକୁ ଆସିନଥିଲେ।

ମହିଳା ହିତାଧିକାରୀଙ୍କୁ ଗୋଇଠା ମାରିଲେ କର୍ମଚାରୀ!

ଡୁମୁଡୁମା ଫେଜ୍‌-୭ ହିତାଧିକାରୀଙ୍କୁ ଫ୍ଲାଟ୍‌ ନ ମିଳିବା ଘଟଣା

ଏହାର ପ୍ରତିବାଦରେ ହିତାଧିକାରୀମାନେ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନେ ଆଶା କରିଥିଲେ ଯେ ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ, ସଚିବ କିମ୍ବା ପଦସ୍ଥ ଅଧିକାରୀ ଆସିବେ। କିନ୍ତୁ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ ବି ସେମାନଙ୍କ ଦେଖା ମିଳିନଥିଲା। ଓଲଟି, କର୍ମଚାରୀମାନେ କାର୍ଯ୍ୟାଳୟ ଭିତରକୁ ଯିବା ବେଳେ ମହିଳା ବିକ୍ଷୋଭକାରୀଙ୍କୁ ଗୋଇଠା ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ହିତାଧିକାରୀ ଓ ହାଉସିଂବୋର୍ଡ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିଥିଲା। ପରେ ହାଉସିଂବୋର୍ଡ କର୍ମଚାରୀ ସଂଘ ଏବଂ ଗ୍ରାହକଙ୍କ ମଧ୍ୟରେ ବୈଠକ ହୋଇଥିଲା। ଖୁବ୍‌ଶୀଘ୍ର ହିତାଧିକାରୀଙ୍କୁ ଫ୍ଲାଟ୍‌ ହସ୍ତାନ୍ତର କରାଯିବ ବୋଲି ସଭାପତି ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର