ପୁଲିସ ସିଗ୍‌ନାଲ୍‌ ବିଭାଗରେ ଅଚଳାବସ୍ଥା: ୫୩୩ ପଦବି ଖାଲି; ଏସ୍‌ପି ବି ନାହାନ୍ତି

କଟକ : ଥାନାରୁ ଥାନା, ରାଜ୍ୟରୁ ରାଜ୍ୟ ଭିତରେ ମ୍ୟାସେଜ୍ ପହଞ୍ଚାଉଥିବା ପୁଲିସ ବିଭାଗର ଗୁରୁତ୍ବପୂର୍ଣ୍ଣ ସିଗନାଲ୍ ବିଭାଗ ଏବେ ଏକ ପ୍ରକାର ଅଚଳ ହୋଇଯାଇଛି। କନଷ୍ଟେବଳରୁ ଏସ୍‌ପି ପାହ୍ୟା ପର୍ଯ୍ୟନ୍ତ ଅଧା ଅଧିକାରୀ, କର୍ମଚାରୀ ନାହାନ୍ତି। ରାଜ୍ୟରେ ମୋଟ ପଦବି ୧୩ଶହ ୨୫ରୁ ପ୍ରାୟ ୫୩୩ ପଦବି ଖାଲିପଡ଼ିଛି। ଉପାନ୍ତ ଜିଲ୍ଲାରେ ସିଗ୍‌ନାଲ୍ କର୍ମଚାରୀ ନଥିବାରୁ ଜିଲ୍ଲା ପୁଲିସର କର୍ମଚାରୀ ସିଗନାଲ୍ ବିଭାଗ ଦାୟିତ୍ବ ତୁଲାଉଛନ୍ତି। ରାଜ୍ୟର ୭ଟି ଜୋନ୍‌ରେ କେହି ଜଣେ ବି ଇନସ୍ପେକ୍ଟର ନାହାନ୍ତି। କର୍ମଚାରୀମାନେ ଛୁଟି ଦରଖାସ୍ତ ମଞ୍ଜୁରୀ ପାଇଁ ଏସ୍‌ପି ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଆବେଦନ କରୁଛନ୍ତି। ପଦୋନ୍ନତି ଓ ନିଯୁକ୍ତି ପ୍ରକ୍ରିୟା ଠପ୍ ହୋଇଯାଇଥିବାରୁ ସିଗନାଲ୍ ବିଭାଗରେ ଏବେ ଏଭଳି ଅଚଳାବସ୍ଥା ସୃଷ୍ଟି ହେଲାଣି। ଗୋଟିଏପଟେ ପଦୋନ୍ନତି ପ୍ରକ୍ରିୟା ବନ୍ଦ ପଡ଼ିଥିବାବେଳେ ଅନ୍ୟପଟେ କର୍ମଚାରୀ ଅଭାବ ଯୋଗୁଁ ଜିଲ୍ଲାସ୍ତରରେ ୧୦ ଜଣଙ୍କ କାମ ୫ ଜଣ କର୍ମଚାରୀଙ୍କୁ କରିବା ପଡ଼ୁଛି।

ସିଗନାଲ୍ ଏସ୍‌ପି ପଦବିରେ ଜଣେ ଏସପି ପାହ୍ୟାର ଆଇପିଏସ୍ ଅଫିସର ନିଯୁକ୍ତି ପାଇବାର ନିୟମ ରହିଛି। ତତ୍କାଳୀନ ଏସପି ଅମରେନ୍ଦ୍ର ରଣା ଗଲା ମାର୍ଚ୍ଚ ୩୧ ତାରିଖରେ ଅବସର ନେବା ପରେ ଓପିଏସ୍-୧ ସିଲେକ୍ସନ ପାହ୍ୟାର ଅଫିସର ତୁଷାର ଜେନା ଅସ୍ଥାୟୀ ଦାୟିତ୍ବରେ ଅଛନ୍ତି। ଡିଏସ୍‌ପି ମଞ୍ଜୁରୀ ପଦବି ୬ଟି ଥିବା ବେଳେ ଏବେ ଜଣେ ଅଛନ୍ତି। ଜଣେ ଡିଏସପି ପର୍ଶୁରାମ ସେଠୀ ଗଲା ମାର୍ଚ୍ଚ ୩୧ ତାରିଖରେ ଅବସର ନେଲେ। ଜେନେରାଲ୍ କ୍ୟାଡର୍‌ର ଜଣେ ଡିଏସପିଙ୍କୁ ଗଲା ୧୦ ଦିନ ହେବ ଦାୟିତ୍ବ ଦିଆଯାଇଛି। ଇନସ୍ପେକ୍ଟରଙ୍କ ସ୍ଥିତି ବି ସମାନ। ୨୬ରୁ ୨୬ ପଦବି ଖାଲି ପଡ଼ିଛି। ୩ ବର୍ଷ ହେବ ଏଭଳି ପରିସ୍ଥିତି ଲାଗି ରହିଛି। ଏସଆଇ ୨୪୪ରୁ ୫୨ଟି ପଦବି ଖାଲି ପଡ଼ିଛି। ଏଏସଆଇ ୬୩୬ରୁ ୨୧୦ଟି ଖାଲି ପଡ଼ିଛି। କନଷ୍ଟେବଳ ୪୧୨ରୁ ୨୩୮ଟି ଖାଲି ପଡ଼ିଛି। କନଷ୍ଟେବଳ ନିଯୁକ୍ତି ପାଇଁ ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂହଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ।

କନଷ୍ଟେବଳରୁ ଏଏସଆଇ ଓ ଏଏସଆଇରୁ ଏସଆଇ ପର୍ଯ୍ୟନ୍ତ ପଦୋନ୍ନତି ପ୍ରକ୍ରିୟା ନିୟମିତ ହେଉଥିବା ବେଳେ ଏସଆଇରୁ ଇନ୍‌ସ୍ପେକ୍ଟର ଓ ଇନସ୍ପେକ୍ଟରରୁ ଡିଏସପି ପାହ୍ୟା ପର୍ଯ୍ୟନ୍ତ ପଦୋନ୍ନତି ନିୟମିତ ହୋଇପାରୁ ନାହିଁ। ଏସଆଇଡବ୍ଲୁ ଡିଆଇଜିଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ଗଲା ୬ ହେବ ଗଠନ ହୋଇଥିଲା, ବର୍ତ୍ତମାନ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ରାଜ୍ୟରେ ୩୪ ପୁଲିସ ଜିଲ୍ଲା ଏସପିଙ୍କ ଅଧିନରେ କାର୍ଯ୍ୟ କରୁଥିବା ସିଗନାଲ୍ ଅଫିସର ସ୍ଥିତି ଏଭଳି ଦୟନୀୟ ହୋଇପଡ଼ିଛି। ରାଜ୍ୟରେ ୭ଟି ସିଗନାଲ ଜୋନ(କୋରାପୁଟ, ସମ୍ବଲପୁର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା, ବାଲେଶ୍ବର) ଥିବା ବେଳେ ପ୍ରତି ଜୋନ୍ ଦାୟିତ୍ବରେ ଇନ୍‌ସ୍ପେକ୍ଟର ପାହ୍ୟାର ଜଣେ ଅଧିକାରୀ ପଦବି ମଞ୍ଜୁରୀ ମିଳିଛି। କିନ୍ତୁ କେହି ଇନସ୍ପେକ୍ଟର ନଥିବାରୁ ଅନେକ ସ୍ଥାନରେ ଏସଆଇ ପାହ୍ୟାର ଅଧିକାରୀ କାମ ଚଳାଉଛନ୍ତି।

ସ୍ଥିତି ଏଭଳି ହେଇଛି ଯେ ଇନସ୍ପେକ୍ଟର ନଥିବାରୁ କନଷ୍ଟେବଳ ଓ ଏଏସଆଇ ଛୁଟି ଆବେଦନ ପାଇଁ କଟକ ସିଗନାଲ୍ ଏସପି ଅଫିସରେ ଆବେଦନ କରୁଛନ୍ତି। ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଭଳି ଜିଲ୍ଲାରେ ସିଗନାଲ୍ କର୍ମଚାରୀ ପଦବି ଖାଲି ପଡ଼ିଥିବା କୁହାଯାଉଛି। ଜିଲ୍ଲା ପୁଲିସ ସିଗନାଲ୍ ଦାୟିତ୍ବ ତୁଲାଉଛନ୍ତି। ଅନ୍ୟପଟେ ଜିଲ୍ଲାରେ ଓ୍ବେୟାରଲେସ୍ ଷ୍ଟେସନ, ଭିଏଚଏଫ୍, ସାଇଫର୍, ୱାର୍କସପ୍ ନାଁରେ ଚାରିଟି ଅଫିସ ସିଗନାଲ୍ ପକ୍ଷରୁ କାମ କାର୍ଯ୍ୟ କରୁଥିବା ବେଳେ କର୍ମଚାରୀ ଅଭାବ ଥିବାରୁ କର୍ମଚାରୀଙ୍କ ଉପରେ କାର୍ଯ୍ୟକ୍ଷେତ୍ରର ଗୁରୁତର ଚାପ ପଡୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର