ଭୁବନେଶ୍ବର : ଷ୍ଟାମ୍ପ ଭେଣ୍ଡରମାନଙ୍କୁ ସରକାରଙ୍କ ତରଫରୁ କମିସନ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ତାହା ପୂରଣ କରାଯାଇନାହିଁ। ଯଦି ଭେଣ୍ଡରମାନଙ୍କୁ ସରକାରଙ୍କ ତରଫରୁ କମିସନ ଧାର୍ଯ୍ୟ କରି ଇ-ଷ୍ଟାମ୍ପ ବିକ୍ରି କରିବାକୁ ଅନୁମତି ଦିଆନଯାଏ ତେବେ ପୁରୀଠାରେ ଆସନ୍ତା ମାର୍ଚ୍ଚ ୮ରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରି ସାରା ରାଜ୍ୟରେ ଷ୍ଟାମ୍ପ ବିକ୍ରୟ ବନ୍ଦ କରାଯିବ ବୋଲି ଷ୍ଟାମ୍ପ ଭେଣ୍ଡର ମହାସଂଘର ସମ୍ପାଦକ ରାମକୃଷ୍ଣ ପରିଡ଼ା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
ଶ୍ରୀ ପରିଡ଼ା ଜଣାଇଛନ୍ତି ଯେ, ରାଜ୍ୟ ସରକାର ୨୦୧୬ ମସିହାରେ ଇ-ଷ୍ଟାମ୍ପ ପ୍ରଚଳନ ପାଇଁ ଷ୍ଟକ ହୋଲ୍ଡିଂ କର୍ପୋରେସନ (ଏସଏଚସି) ସହ ଚୁକ୍ତି ସ୍ବାକ୍ଷର କରିଥିଲେ। ସେହି ସମୟରୁ ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ଏହାକୁ ବିରୋଧ କରି ଆନ୍ଦୋଳନ କରି ଆସୁଛି। ବିଗତ ଦିନରେ ଆନ୍ଦୋଳନ ଦ୍ବାରା ରାଜ୍ୟର ସବୁ ଅଫିସରେ ଷ୍ଟାମ୍ପ ବିକ୍ରୟ ବନ୍ଦ ହୋଇଯାଇଥିଲା। ସେହି ସମୟରେ ଇନ୍ସପେକ୍ଟର ଜେନେରାଲ ରେଜିଷ୍ଟ୍ରେସନ (ଆଇଜିଆର), ଅର୍ଥମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ରାଜସ୍ବ ସଚିବଙ୍କ ପ୍ରତିଶ୍ରୁତି ଅନୁସାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସରକାର ସେହି ପ୍ରତିଶ୍ରୁତିକୁ ପାଳନ ନକରି ପୁନଶ୍ଚ ଏକ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଷ୍ଟାମ୍ପ ବିକ୍ରି କରିବାକୁ ଏସଏଚସିକୁ ଅନୁମତି ଦେଇଛନ୍ତି। ପୁନର୍ବାର ଷ୍ଟାମ୍ପ ଭେଣ୍ଡରମାନେ ଆନ୍ଦୋଳନ କରିବା ପରେ ମହାସଂଘକୁ ଡାକି ଇ-ଷ୍ଟାମ୍ପରେ ସାମିଲ ହେବାକୁ ଆଇଜିଆର କହିଥିଲେ। ଏଥିସହ ଅନ୍ୟ ରାଜ୍ୟ ପରି ଷ୍ଟାମ୍ପ ଭେଣ୍ଡରମାନଙ୍କୁ ସରକାରଙ୍କ ତରଫରୁ କମିସନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ପୂରଣ କରାଯାଇନାହିଁ। ତେଣୁ ସରକାର ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/stamp-paper.jpg)