ଏକା ବେଳେ ଛିଡ଼ିଲା ତିନି ଠାକୁରଙ୍କ ହୃଦ ପଦକ

ପୁରୀ: ଭାବର ଠାକୁର, ଭକ୍ତ ବତ୍ସଳ ମହାପ୍ରଭୁ ସବୁ ବେଳେ ଭକ୍ତଙ୍କ ଗହଳଚହଳରେ ରହିବାକୁ ଭଲପାଆନ୍ତି। ଭକ୍ତ ନାହାନ୍ତି ବୋଲି ଶ୍ରୀମନ୍ଦିରରେ କୋଳାହଳ ଶୁଭୁନାହିଁ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଉପରେ କଟକଣା ପରେ ପ୍ରତିଦିନ ବଡ଼ଦେଉଳର କିଛି ଘଟଣାକୁ ନେଇ ଚର୍ଚ୍ଚା ବଢୁଛି। ଦର୍ଶନ ବନ୍ଦ ହେବାର ପର ଦିନ ନୀଳଚକ୍ର ପତିତପାବନ ବାନାରେ ଗଣ୍ଠି ପଡ଼ିଗଲା। ଦିନକ ପରେ ମହାପ୍ରଭୁଙ୍କ ପତିତପାବନ ବାନ‌ାରେ ନିଆଁ ଲାଗିଯିବା ସହ ଦୁଇ ଦୁଇ ଥର ବାନା ଚିରି ଯାଇଥିଲା। ଗତ ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିରରେ ଆଉ ଏକ ଅଘଟଣ ସମସ୍ତଙ୍କୁ ବ୍ୟଥିତ କରିଛି । ଏହାକୁ ସେବକମାନେ ଗୁପ୍ତ ରଖିଥିଲେ ମଧ୍ୟ ଏହା ଲୁଚି ନାହିଁ। ଅକ୍ଷୟ ତୃତୀୟା ଦିନ ଶ୍ରୀମନ୍ଦିର ଭିତର ଦ୍ବାର ଖୋଲିବା ପରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଶ୍ରୀମନ୍ଦିର ଦ୍ବାର ଫିଟିବା ପରେ ଭିତରଛୁ ଭବାନୀ ମହାପାତ୍ର ଓ ଉପସ୍ଥିତ ଅନ୍ୟ ସେବକମାନେ ମହାପ୍ରଭୁଙ୍କ ହୃଦ ପଦକ( ହୃଦପଲ୍ଲଭ) ଛିଡ଼ି ରତ୍ନ ସିଂହାସନ ଉପରେ ପଡିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ଭିତରଛୁ ଓ ଅନ୍ୟ ସେବକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ଖୁଣ୍ଟିଆ ସେବକ ହୁଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି।

ଏହା ସାଧାରଣତଃ କେବେ ହୋଇ ନଥାଏ। ମହାପ୍ରଭୁଙ୍କ ହୃଦ ପଦକ ଛିଡ଼ି ତଳେ ପଡିବା ଘଟଣାକୁ ନେଇ ବେଶ ଚର୍ଚ୍ଚା ବି ହେଉଛି। ଏ ସଂପର୍କରେ ମହାପ୍ରଭୁଙ୍କ ପ୍ରମୁଖ ସେବକ ଭିତରୁଛୁ ଶ୍ରୀ ମହାପାତ୍ରଙ୍କୁ ପଚାରିବାରେ ଅକ୍ଷୟ ତୃତୀୟା ଦିନର ଏହି ଘଟଣାକୁ ସ୍ବୀକାର କରିଛନ୍ତି। ତେବେ ଏହା ଅଶୁଭ ସଙ୍କେତ ବୋଲି କୁହାଯାଇପାରିବ ନାହିଁ। ଏଭଳି ଘଟଣା ଆଗରୁ ଘଟିଥାଏ। ହେଲେ ଯଦି ବି କେବେ କୌଣସି କାରଣରୁ ଛିଡ଼ିଥାଏ ତେବେ ତିନି ଠାକୁରଙ୍କ ମଧ୍ୟରୁ ଜଣକର ହୃଦପଦକ ଛିଡ଼ିଥାଏ। ମାତ୍ର ଅକ୍ଷୟ ତୃତୀୟା ଦିନ ଏକାବେଳେ ତିନି ଠାକୁରଙ୍କ ହୃଦ ପଦକ ଛିଡ଼ି ରତ୍ନ ସିଂହାସନରେ ପଡିବା‌ ଅସାଧାରଣ ବୋଲି କହିବାକୁ ହେବ। ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୃଦପଦକ ସଂପୂର୍ଣ୍ଣ ଛିଡ଼ି ରତ୍ନ ସିଂହାସନରେ ପଡ଼ଥିବା ବେଳେ ମା’ସୁଭଦ୍ରାଙ୍କ ହୃଦପଦକ ସଂପୂର୍ଣ୍ଣ ତଳେ ପଡି ନଥିଲେ ବି ଛିଡ଼ି ଯାଇଥିଲା। ତିନି ଠାକୁରଙ୍କ ଏକା ବେଳେ ହୃଦପଦକ ଛିଡ଼ିବା ସାଧାରଣତଃ ଦେଖାଯାଏ ନାହିଁ। ଏଥି‌ରେ ସେମିତି ବିଚଳିତ ହେବା କଥା ନୁହେଁ। ମହାପ୍ରଭୁ ସବୁବେଳେ ଜଗତ କଲ୍ୟାଣ କରନ୍ତି। ସେ ମଧ୍ୟ ଅନ୍ୟମାନଙ୍କ ଭଳି ନିୟମକୁ ସମ୍ମାନ ଦେଉଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଗତ କିଛି ଦିନ ହେବ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରୁ ଫୁଲ ଖସୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ପୂର୍ବାପେକ୍ଷା ଏବେ ଅଧିକ ଫୁଲ ଖସୁଛି। । କରୋନା କଟକଣା ଯୋଗୁଁ ଗତ ମାର୍ଚ ୨୦ରୁ ଶ୍ରୀମନ୍ଦିରରେ ଭକ୍ତ ପ୍ରବେଶ ଉପରେ କଟକଣା ଲାଗିଥିଲା। ଅର୍ଥାତ ୪୬ ଦିନ ହେବ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ମଧ୍ୟ ଏହା ରହିବ।

ସମ୍ବନ୍ଧିତ ଖବର