ରାଉରକେଲା: ପେସାରେ ଷ୍ଟକ୍ ମାର୍କେଟ୍ କନସଲ୍ଟାଣ୍ଟ୍। କିନ୍ତୁ ନିଶା ହେଉଛି ଦୌଡ଼ିବା। ସେ ଚିରାଚରିତ ୧୦୦/୨୦୦ ମିଟର ଦୌଡ଼ରେ ଭାଗ ନ ନେଇ, ‘ଅଲ୍ଟ୍ରା ରନ୍’ ବର୍ଗରେ ଦୌଡ଼ୁଛନ୍ତି। ମାତ୍ର ଦେଢ଼ ବର୍ଷ ପୂର୍ବେ ଅଲ୍ଟ୍ରା ରନ୍ ଆରମ୍ଭ କରିଥିବା ରାଉରକେଲାର ଯୁବ ପ୍ରତିଭାବାନ କ୍ରୀଡ଼ାବିତ୍ ସୁମିତ ସିଂହ ଏବେ ନିଜକୁ ଜଣେ ‘ଅଲ୍ଟ୍ରା ରନର୍’ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ସେ ଇସ୍ପାତ ସହରର ରିଂ ରୋଡ୍ରେ ଦୌଡ଼ି ସଦ୍ଭାବନା ବାର୍ତ୍ତା ଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ବେ ମାତ୍ର ୯ ଘଣ୍ଟା ୪୯ ମିନିଟ୍ରେ ୭୫ କିଲୋମିଟର ୨ ଶହ ମିଟର ଦୌଡ଼ି ରାତାରାତି ପାଲଟିଯାଇଛନ୍ତି ତାରକା। ହକି, କ୍ରିକେଟ୍, ଭଲିବଲ, ଫୁଟବଲ, କୁସ୍ତି, ବକ୍ସିଂ ଆଦି ଭିନ୍ନ ଭିନ୍ନ କ୍ରୀଡ଼ାରେ ରାଉରକେଲା ପାଇଁ ଗୌରବ ଆଣିଥିବା କ୍ରୀଡ଼ାବିତ୍ଙ୍କ ତାଲିକାରେ ଏହି ଉଦୀୟମାନ ଦୌଡ଼ାଳି ନିଜକୁ ସାମିଲ କରି ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି।
ଯଦିଓ ସୁମିତ ବିହାର ସମସ୍ତିପୁରର ମୂଳବାସିନ୍ଦା, କିନ୍ତୁ ବାପା-ମା’ ସମସ୍ତେ ରାଉରକେଲା ବାସନ୍ତୀ କଲୋନିରେ ବସବାସ କରୁଛନ୍ତି।
ରାଉରକେଲାରେ ଆଦ୍ୟ ଶିକ୍ଷା ବି ଗ୍ରହଣ କରିଛନ୍ତି ସୁମିତ। ତେବେ ଏଭଳି ଲମ୍ବା ଦୌଡ଼ିବା ପଛର କାରଣ ସାମାନ୍ୟ ଭିନ୍ନ। ମାତ୍ର ୨ ବର୍ଷ ପୂର୍ବେ, ଜଣେ ବାଲ୍ୟବନ୍ଧୁଙ୍କ ନିର୍ବନ୍ଧ ଠିକ୍ ହୋଇଥିଲା। ତେବେ ବିବାହ ପୂର୍ବରୁ ବନ୍ଧୁ ଜଣକ ଫିଟ୍ ହେବା ଲକ୍ଷ୍ୟରେ ପ୍ରତ୍ୟହ ଦୌଡ଼ିବା ଆରମ୍ଭ କରିଥିଲେ। ଏତିକିବେଳେ ସେ ସୁମିତଙ୍କୁ ଡାକି ଫିଟ୍ନେସ ପାଇଁ ଦୌଡ଼ିବାକୁ କହିଥିଲେ। ବାସ୍ ସେବେଠାରୁ ଆରମ୍ଭ ହୋଇଥିଲା ସୁମିତଙ୍କ ଅଲ୍ଟ୍ରା ରନ୍ ପ୍ରତି ରୁଚି। ଏହାପରେ ଅଲ୍ଟ୍ରା ରନ୍ ବିଷୟରେ ଅଧିକ ତଥ୍ୟ ହାସଲ କରିବାସହ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ପରେ କୋଚ୍ ନିଯୁକ୍ତି ସହ ସୁସ୍ଥ ଶାରୀର ପାଇଁ ଖାଦ୍ୟପେୟ ଗ୍ରହଣ କରିବା ଆରମ୍ଭ କରିଥିଲେ। କିଛି ଦିନର ନିରନ୍ତର ଅଭ୍ୟାସପରେ ସେ ବିହାର, କୋଲକାତାରେ ଅନୁଷ୍ଠିତ ୨୧ କିଲୋମିଟର ଦୌଡ଼, ୪୧ କିଲୋମିଟର ଦୌଡ଼ରେ ଅଂଶଗ୍ରହଣ କରିଥିଲେ।
ସେ ଗତ ଜୁନ ମାସରୁ ଜାତୀୟସ୍ତରୀୟ ଅଲ୍ଟ୍ରା ରନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଗତ ମେ’ ୩୦ ତାରିଖରେ ‘ବାଙ୍ଗାଲୋର ଷ୍ଟାଡିୟମ ରନ୍’ରେ ଅଂଶଗ୍ରହଣ କରି ୭୮ କିଲୋମିଟର ଦୌଡ଼ିଥିଲେ। ସେବେଠାରୁ ଆରମ୍ଭ ହୋଇଥିବା ଏହି ଜୟଯାତ୍ରା ପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି। ଗତ ଜୁନ ୨୧ ତାରିଖରେ ମନାଲିରେ ଅନୁଷ୍ଠିତ ‘ଟଫ୍ ମ୍ୟାନ୍ ରନ୍’ରେ ୫୦ କିଲୋମିଟର ଦୌଡ଼ି ୧୨ତମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଶ୍ରେଷ୍ଠ ରେକର୍ଡ ହେଉଛି ୧୨ ଘଣ୍ଟାରେ ୯୨ କିଲୋମିଟର ଦୌଡ଼ିବା। ଗତ ଜୁଲାଇ ମାସରେ ବାଙ୍ଗାଲୋରରେ ଅନୁଷ୍ଠିତ ଏସିଆ ଓ ଓସିଆନିଆ ଚାମ୍ପିଅନସିପ୍ରେ ଏହି ରେକର୍ଡ ହାସଲ କରିଥିଲେ। ଯଦିଓ ଭାରତୀୟ ଦଳରେ ସାମିଲ ହେବାକୁ ଧାର୍ଯ୍ୟ ୧୨ ଘଣ୍ଟାରେ ୧୧୬ କିଲୋମିଟର ଦୌଡ଼ିବା ଲକ୍ଷ୍ୟକୁ ପୂରଣ କରିପାରିନଥିଲେ; ତେବେ ଆଗାମୀ ଦିନରେ ଏହି ମାଇଲଖୁଣ୍ଟକୁ ପାର୍ କରିବାକୁ ଏବେଠାରୁ ପ୍ରୟାସକୁ ବ୍ୟାପକ କରିଛନ୍ତି ସୁମିତ। ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ‘ଲାଦାଖ୍ ମାରାଥନ୍’ରେ ସେ ଯୋଗଦେବାକୁଥିବାବେଳେ ପ୍ରସ୍ତୁତିକୁ ଜୋର୍ଦାର କରିଛନ୍ତି।
‘ସମ୍ବାଦ’କୁ ପ୍ରତିକ୍ରିୟାରେ ସୁମିତ କହିଛନ୍ତି, ‘ମୁଁ ନିଷ୍ଠାପର ପ୍ରୟାସ ଜାରି ରଖିଛି। ଆଗାମୀ ଦିନରେ ୧୨ ଘଣ୍ଟା ଭିତରେ ୧୧୬ କିଲୋମିଟର ଦୌଡ଼ି ଭାରତୀୟ ଦଳରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି। ତଦନୁଯାୟୀ କଡ଼ା ଅଭ୍ୟାସ ଆରମ୍ଭ କରିଦେଇଛି। ତେବେ ସଂପ୍ରତି ଆଗାମୀ ‘ଲାଦାଖ୍ ମାରାଥାନ୍’ରେ ଉତ୍କୃଷ୍ଟ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। କ୍ରୀଡ଼ା କ୍ଷେତ୍ରରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏ ମାଟିରୁ ଏକାଧିକ କ୍ରୀଡ଼ାବିତ୍ ସୃଷ୍ଟି ହୋଇ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ନିଜର ଛାପ ଛାଡ଼ିଛନ୍ତି। ତେବେ ‘ଅଲ୍ଟ୍ରା ରନ୍’ କ୍ଷେତ୍ରରେ ରେ ଆମକୁ ଏତେ ସଫଳତା ମିଳିପାରିନାହିଁ। ଏହି କ୍ରୀଡ଼ାକୁ ଆପେଣଇବାରେ ଆଗ୍ରହ କମ୍ ରହୁଥିବା ପରିଲକ୍ଷିତ ହୁଏ। କିନ୍ତୁ ନିଜେ ସଫଳ ହୋଇ ଏହି କ୍ରୀଡ଼ା ପ୍ରତି ଆହୁରି ଅନେକ କ୍ରୀଡ଼ାବିତ୍ଙ୍କ ଆଗ୍ରହ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସୁମିତ।