ଓଡ଼ିଶାର ନିର୍ବାଚନ ରଣାଙ୍ଗନରେ ତାରକା ଯୁଦ୍ଧ : ବିଜେପି, ବିଜେଡି ଆଗରେ, ପଛରେ ରହିଛି କଂଗ୍ରେସ !

ଭୁବନେଶ୍ୱର, (ସୁବ୍ରତ ଦାସ) : ପାଖେଇ ଆସିଲାଣି ନିର୍ବାଚନ। ଆରମ୍ଭ ହୋଇଗଲାଣି ପ୍ରଚାର । ଏହା ସାଙ୍ଗକୁ ବଢୁଛି ଚଳଚ୍ଚିତ୍ର ତାରକାଙ୍କ ଗୁରୁତ୍ୱ। ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିରେ ତାରକା ନେତାଙ୍କ ବଢୁଛି ଭିଡ଼ । ଓଡ଼ିଶା ରାଜନୀତିର ଅନ୍ୟତମ ପ୍ରାଣକେନ୍ଦ୍ର କେନ୍ଦ୍ରାପଡ଼ାରେ ଏଥର ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି ଚଳଚ୍ଚିତ୍ର ତାରକାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି । ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିରେ ନିକଟରେ ଯୋଗ ଦେଇଥିବା ଜଣାଶୁଣା ଚଳଚ୍ଚିତ୍ର ତାରକା ମହାଶ୍ୱେତା ରାୟଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଓଡ଼ିଶା ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଏବଂ ଅଭିନେତା ଅଖିଳ ପଟ୍ଟନାୟକ । ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ଅନୁ ଚୌଧୁରୀ, ମିହିର ଦାସ, ଶ୍ରୀତମ ଦାସ, ଅଶ୍ରୁମୋଚନ ମହାନ୍ତି, ହରିହର ମହାପାତ୍ର ଓ ପିଙ୍କି ପ୍ରଧାନ । ଗତ ଥର କଟକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢି ହାରିଥିବା ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏମାନେ ସମସ୍ତେ ଏଥର ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି । ପିଙ୍କି ପ୍ରଧାନ ଏଥର ଦିଗପହଣ୍ଡି ବିଧାନସଭା ଆସନରେ ମନ୍ତ୍ରୀ ତଥା ବିଜୁ ଜନତା ଦଳର ପୁରୁଣା ନେତା ସୂର‌୍ୟ୍ୟନାରାୟଣ ପାତ୍ରଙ୍କ ବିପକ୍ଷରେ ଲଢୁଛନ୍ତି । ପିଙ୍କି କହିଛନ୍ତି, ‘‘ଆଗରୁ ଦଳର ଅନ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଥିଲି, ଏବେ ନିଜ ଲାଗି ପ୍ରଚାର କରୁଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଗଲେ ମୁଁ ଦଳର ଅନ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ଲାଗି ଯିବି ।’’

ଅନ୍ୟ ପକ୍ଷରେ ବିଜୁ ଜନତା ଦଳରେ ଅନେକ ପୁରୁଖା ଚଳଚ୍ଚିତ୍ର ତାରକା ସକ୍ରିୟ ରାଜନୀତିରେ ଅଛନ୍ତି । ତେବେ, ବ୍ରହ୍ମପୁର ଲୋକସଭା ଆସନରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ଏଥର ଦଳ ବାଦ୍ ଦେଇଛି । ସେହିପରି, କୋରେଇ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶ ଦାସ ନାୟକ ନିଜ ଟିକେଟ ପାଇଁ ଅପେକ୍ଷା କରିଛନ୍ତି । ‘‘ମୁଁ ଟିକଟ ପାଇଲେ ନିଜ ପାଇଁ ପ୍ରଚାରରେ ଲାଗିଯିବି । ତା’ସାଂଗରେ ସମୟ ଓ ସୁଯୋଗ ଦେଖି ଅନ୍ୟ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିବି’’ ବୋଲି କହିଛନ୍ତି ଏହି ଚଳଚ୍ଚିତ୍ର ତାରକା ତଥା ଯୁବନେତା।

ବିଜୁ ଜନତା ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ଏଥର ଅଛନ୍ତି ବହୁ ଚଳଚ୍ଚିତ୍ର ତାରକା । ସେମାନେ ହେଲେ ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ ଓ ଅରିନ୍ଦମ୍ ରାୟ । ଉତ୍ତମ ମହାନ୍ତି କହିଛନ୍ତି, ‘‘ମୁଁ ତ ବିଜେଡ଼ିରେ ଅଛି । ଦଳ ଯେଉଁଠିକି ଯିବାକୁ କହିବ, ମୁଁ ସେଠାକୁ ଯିବି।’’

ତେବେ, କଂଗ୍ରେସରେ ଏଥର ଷ୍ଟାର୍ ପ୍ରଚାରକ ତାଲିକାରେ କେହି ଓଡ଼ିଆ ଚଳଚ୍ଚିତ୍ର ତାରକା ନାହାନ୍ତି । ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଆର୍ଯ୍ୟ ଜ୍ଞାନେନ୍ଦ୍ର କହିଛନ୍ତି, ଓଡ଼ିଶାରେ ନିର୍ବାଚନ ରାଜନୀତି ଉପରେ ଚଳଚ୍ଚିତ୍ର ତାରକାଙ୍କର ବିଶେଷ ପ୍ରଭାବ ନାହିଁ । ଏଥିପାଇଁ ଆମେ ତାରକା ଶକ୍ତି ଉପରେ ବିଶେଷ ନିର୍ଭର କରୁ ନାହିଁ ।’’

ତେବେ ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ଅଛନ୍ତି ମହମ୍ମଦ ଆଝାରୁଦ୍ଦିନ୍, ରାଜ୍ ବବର, ବିଜୟାଶାନ୍ତି , ଖୁସ୍ବୁ ଓ ନଗମା । ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ମତରେ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀମାନେ ଚିହ୍ନା ମୁହଁ ହୋଇଥିବାରୁ ନିର୍ବାଚନୀ ସଭାରେ ସେମାନଙ୍କୁ ଦେଖିବାକୁ ବହୁତ ଭିଡ଼ ହୁଏ,‘‘ତେବେ ସେମାନେ ସେମାନଙ୍କ ଲୋକପ୍ରିୟତାକୁ କିପରି ଭୋଟରେ ରୂପାନ୍ତରିତ କରାଯାଇପାରିବ, ତା’ର କଳା ଶିଖିବା ଉଚିତ।’’

ସମ୍ବନ୍ଧିତ ଖବର