ଭୁବନେଶ୍ବର/କଟକ: ଆଜି ସକାଳେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଚେନ୍ନାଇରୁ ଭୁବନେଶ୍ବର ଫେରିଲେ ଓଲିଉଡ୍ ନାୟକ ବାବୁସାନ୍। ମାତ୍ର ନିଜ ଶିଶୁପୁତ୍ର ଓ ପତ୍ନୀକୁ ଭେଟିଲେ ନାହିଁ। ବିମାନବନ୍ଦରରୁ ସିଧା ବାପାମା’ଙ୍କ ପାଖକୁ ଯାଇଥିଲେ। ବଡ଼ କଥା ହେଉଛି, ଆଜି ସେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ତେଣୁ ଚେନ୍ନାଇରୁ ଫେରିବା ପରେ ବାବୁସାନ୍ଙ୍କ ଏସବୁ ପଦକ୍ଷେପ ପୁଣି ତାଙ୍କୁ ଅଧିକ ଚର୍ଚ୍ଚାକୁ ଟାଣି ଆଣିଛି। ପୁଲିସ ତାଙ୍କୁ ଜେରା କରିବା ପୂର୍ବରୁ ସେ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିବାରୁ ପ୍ରସଙ୍ଗଟି ଜଟିଳ ମୋଡ଼ ନେବାକୁ ଯାଉଛି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଫିଲ୍ମ ‘ଦମନ’ ଟିମ୍ ଓ ଓଲିଉଡ୍ ନାୟିକା ପ୍ରକୃତି ମିଶ୍ର ଚେନ୍ନାଇରୁ ଫେରିଥିଲେ ବି ବାବୁସାନ୍ ଫେରିନଥିଲେ। ତାଙ୍କ ଫେରିବାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା। ତେବେ ବୁଧବାର ସକାଳ ପ୍ରାୟ ସାଢ଼େ ୮ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେ ବିମାନବନ୍ଦରରୁ ବାହାରକୁ ଆସିବା କ୍ଷଣି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି ଯାଇ ପ୍ରଶ୍ନ କରିଥିଲେ। ହେଲେ ସେ କେବଳ କହିଥିଲେ ଯେ ସେ ପ୍ରଥମେ ବାପା-ମାଙ୍କୁ ଭେଟିବେ ଓ ପରେ ଯାହା କହିବା କଥା କହିବେ। ଏହା ପରେ ସେ ବିମାନବନ୍ଦରରୁ ସିଧା ବରମୁଣ୍ଡା ଜଗନ୍ନାଥବିହରସ୍ଥିତ ଘରକୁ ଯାଇଥିଲେ। ତାଙ୍କ ଘର ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିମାନେ ଅପେକ୍ଷା କରିଥିଲେ। ମାତ୍ର ସେମାନଙ୍କୁ ହତାଶ ହେବାକୁ ପଡ଼ିଥିଲା। କିନ୍ତୁ ଏକ ଭିଡିଓ ବାର୍ତ୍ତାରେ ମା’ ଅପରାଜିତା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓ କହିଥିଲେ ଯେ ବାବୁସାନ ବିଶ୍ରାମ ନେଉଛି ଓ ଦୁଇ ଦିନ ପରେ ସେ ପ୍ରତିକ୍ରିୟା ରଖିବ।
ଆଗୁଆ ଜାମିନ୍ ଆବେଦନ କଲେ
ବାବୁସାନ୍ ଆଜି ସକାଳୁ ଭୁବନେଶ୍ବର ଫେରିଥିଲେ। ସେ ପ୍ରଥମେ ବାପାମା’ଙ୍କ ପାଖକୁ ଯାଇଥିଲେ ଓ ବିଶ୍ରାମ ନେଇଥିଲେ। କିନ୍ତୁ ଦିନଟାଯାକ ବିତିଯାଇଥିଲେ ବି ସେ ପତ୍ନୀ ତୃପ୍ତି ଓ ପୁଅକୁ ଭେଟିବାକୁ ଯାଇନଥିଲେ। ଅନ୍ୟପକ୍ଷରେ ସେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପତ୍ନୀ ତୃପ୍ତିଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କ ବିରୋଧରେ ଆଇପିସି ୪୯୮(ଏ) ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଛି। ଆଇପିସି ଧାରା ୪୯୮(ଏ) ହିସାବରେ ସେ ପତ୍ନୀଙ୍କୁ ଶାରିରୀକ ଓ ମାସନିକ ନିର୍ଯାତନା ଦେଉଥିଲେ। ସେହିପରି ଆଇପିସି ଦଫା ୫୦୬ ହିସାବରେ ସେ ପତ୍ନୀଙ୍କୁ ମାରିଦେବାକୁ ଧମକ ଦେଉଥିଲେ। ୪୯୮(ଏ)ରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଜରିମାନା ଥିବା ବେଳେ ୫୦୬ରେ ଦୁଇ ବର୍ଷ ଜେଲ୍ ଦଣ୍ଡ କିମ୍ବା ଜରିମାନା ବିଧି ରହିଛି। ଅବଶ୍ୟ ସମସ୍ତ ଦଫା ଜାମିନ ଯୋଗ୍ୟ। ପତ୍ନୀ ଓ ଶିଶୁପୁତ୍ରକୁ ନ ଭେଟିବା ଓ ଆଇନଜୀବୀଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଘଟଣାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ବାବୁସାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଆକାଶ ଭୂୟଁା ମାମଲା ପରିଚାଳନା କରୁଛନ୍ତି।
ଆଜି ଜେରା କରିବ ପୁଲିସ!
ପ୍ରକୃତି ମିଶ୍ର ଭୁବନେଶ୍ବର ଫେରିବା ଦିନ ହିଁ ପୁଲିସ ତାଙ୍କ ଘରକୁ ଯାଇ ଘଣ୍ଟାଏ କାଳ ଜେରା କରିଥିଲା ଓ ପରେ ସିଆର୍ପିସି ୪୧ରେ ନୋଟିସ ଦେଇ ଛାଡ଼ିଥିଲା। ତେଣୁ ବାବୁସାନ ଭୁବନେଶ୍ବର ଫେରିବା ପରେ ପୁଲିସ ତାଙ୍କୁ ଜେରା କରିବା ବୋଲି ଅନୁମାନ କରାଯାଉଥିଲା। ମାତ୍ର ବାବୁସାନ୍ ଥାନାକୁ ଆସିନଥିଲେ କି ପୁଲିସ ତାଙ୍କ ଘରକୁ ଯାଇ ଜେରା କରିନଥିଲା। ଗୁରୁବାର ଦିନ ଖାରବେଳନଗର ଥାନା ପୁଲିସ ତାଙ୍କୁ ଜେରା କରିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।
ବିଜ୍ଞାପନରୁ ବାଦ୍ ପଡ଼ିଲେ କି ପ୍ରକୃତି!
/sambad/media/post_attachments/wp-content/uploads/2022/07/43-10.jpg)
ଏକ ପ୍ରତିଷ୍ଠିତ ସୁନା ଅଳଙ୍କାର ସଂସ୍ଥାର ବ୍ରାଣ୍ଡ ଆମ୍ବାସଡର ଥିଲେ ପ୍ରକୃତି ମିଶ୍ର। ରଥଯାତ୍ରା ପୂର୍ବରୁ ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳରେ ଏହି ସଂସ୍ଥାର ବିଜ୍ଞାପନ ହୋଡିଂରେ ପ୍ରକୃତିଙ୍କ ଫଟୋ ଥିଲା। ହଠାତ୍ ସେସବୁ ହୋର୍ଡିଂକୁ ହଟାଇ ଦିଆଯାଇଛି। ଅବଶ୍ୟ କେଉଁ କାରଣ ପାଇଁ ବିଜ୍ଞାପନ ହୋର୍ଡିଂ ହଟାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ବାବୁସାନ୍ ଓ ତାଙ୍କୁ ନେଇ ଚାଲିଥିବା ବିବାଦ ସମୟରେ ହୋର୍ଡିଂ ହଟାଇଦିଆଯାଇଥିବାରୁ ବିଭିନ୍ନ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏନେଇ ଉକ୍ତ ସଂସ୍ଥା ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କିଛି ଉତ୍ତର ମିଳିନଥିଲା।
ନିଶା ଲିଙ୍କ୍ ନେଇ ଓଲିଉଡ୍ରେ ଛନକା
କିଛିଦିନ ତଳେ ବଲିଉଡ ନିଶା କାରବାର ନେଇ ଷ୍ଟାର କିଡ୍ ଆର୍ଯ୍ୟନ ଖାନ, ରିୟା ଚକ୍ରବର୍ତ୍ତୀ ଭଳି ଅନେକ ସିନେ ତାରକା ବିବାଦ ଘେରକୁ ଆସିଥିଲେ। ସେତେବେଳେ ଓଡ଼ିଶାରେ ଚାଷ ହେଉଥିବା ଗଞ୍ଜେଇକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏବେ ଓଲିଉଡ୍ରେ ନିଶା କାରବାର କଥା ପଦାକୁ ଆସିଛି। ତେଣୁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ କମ୍ପନ ସୃଷ୍ଟି ହୋଇଛି। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପ୍ରକୃତି-ବାବୁସାନ-ତୃପ୍ତି କଳିରୁ ନିଶା ଲିଙ୍କ୍ କଥା ବାହାରିଛି। କାରଣ ଖୋଦ୍ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଖାରବେଳନଗର ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଯେଉଁ ସମୟରେ ଲକ୍ଡାଉନ ଥିଲା ସେହି ସମୟରେ ସିନେମା ଜଗତର ଏକ ପ୍ରକାର ଦୁର୍ଦ୍ଦିନ ଦେଇ ଗତି କରୁଥିଲା। ସେହି ସମୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ବାବୁସାନ୍ଙ୍କୁ ଗଞ୍ଜେଇ, ମଦ ଭଳି ଅନ୍ୟ ନିଶାଦ୍ରବ୍ୟ ଯୋଗାଉଥିଲେ। ଏହା କେବଳ ଏକ ଅଭିଯୋଗ। ଯଦି ସତ ହୋଇଥାଏ, ତେବେ ସାଂଘାତିକ।
ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରକୃତି ଏସବୁ ନିଶା ଦ୍ରବ୍ୟ କେଉଁଠୁ ଆଣୁଥିଲେ? ଆଉ ଓଡିଶାରେ ପ୍ରକୃତିଙ୍କୁ ଏସବୁ କିଏ ଯୋଗାଉଥିଲା? କିଏ ଏହି ସବୁ କାରବାରର ସୂତ୍ର ଧରିଛନ୍ତି। ଗଞ୍ଜେଇ ଭଳି ନିଶା କାରବାର ବେଆଇନ ହୋଇଥିବା ବେଳେ ଏହି ସବୁ କିଏ ଯୋଗାଉଥିଲା? ଏହା ପଛରେ ମାଫିଆ ଅଛନ୍ତି ନା ଆଉ କିଏ ? ଏମାନଙ୍କ ସହ ଆଉ କେଉଁମାନଙ୍କ ଲିଙ୍କ୍ ରହିଛି? ଏହାକୁ ତଦନ୍ତ ପରିସରଭୁକ୍ତ କରିପାରେ ପୁଲିସ। ତୃପ୍ତିଙ୍କ ଅଭିଯୋଗ ଆଧାରରେ ଗଞ୍ଜେଇ ଲିଙ୍କ୍କୁ ନେଇ କମିସନରେଟ୍ ପୁଲିସ ବାବୁସାନଙ୍କୁ ପଚରାଉଚରା କରିପାରେ। ଯେହେତୁ ନିଶାକାରବାର କଥା ଉଠିଛି ଏସ୍ଟିଏଫ୍ ଘଟଣାର ତଦନ୍ତ କିରିବା ନେଇ ମଧ୍ୟ ଏକ ଦିଗ ଦେଖାଦେଇଛି। ନିଶା କାରବାର ନେଇ ଏସଟିଏଫ୍ ଡିଏସପି ସଚିନ୍ଦ୍ର ରଥ କହିଛନ୍ତି କମିସନରେଟ୍ ପୁଲିସ ଚାହିଁଲେ ଏସ୍ଟିଏଫ୍ ଟିମ୍ ତଦନ୍ତରେ ସହଯୋଗ କରିବ।