ତାରକା ପରିବାରର କଳି ଘଟଣା: ‘ମୁଁ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି’

ଭିଡିଓ ଜାରି କଲେ ବାବୁସାନ୍‌

ଭୁବନେଶ୍ବର : ‘କିଛି ଦିନ ତଳେ ଗୋଟିଏ ଅଘଟଣ ଘଟିଥିଲା। ସେଥିପାଇଁ ମୁଁ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି। ପତ୍ନୀ ତୃପ୍ତି ଓ ଶ୍ବଶୁର ଲଳିତ ଶତପଥୀଙ୍କ ନାଁରେ ଥାନାରେ ଏକ ମାମଲା ହୋଇଛି। ଯାହାକୁ ନେଇ ତାଙ୍କ ପରିବାର ବହୁତ କଷ୍ଟ ପାଇଛି। ମୋ ସ୍ତ୍ରୀ ଓ ଶ୍ବଶୁର ବହୁତ କଷ୍ଟ ସହିଲେଣି। ମୁଁ ପ୍ରମିଜ୍‌ କରୁଛି…, ପତ୍ନୀ ଓ ଶ୍ବଶୁରଙ୍କର କୌଣସି କ୍ଷତି ହେବାକୁ ଦେବିନି। ଏ ଭୁଲ୍‌ ଆଉ ଦୋହରାଇବିନି।’ ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଆଜି ସାମାଜିକ ଗଣମାଧ୍ୟମରେ ୪୫ସେକେଣ୍ଡ୍‌ର ଏକ ଭିଡିଓ ଜାରି କରି ଏପରି କହିଛନ୍ତି।

ସୂଚନାଯୋଗ୍ୟ, ବାବୁସାନ୍‌, ତାଙ୍କ ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଗତ ଜୁଲାଇ ୨୩ ତାରିଖରେ ବିବାଦ ଉପୁଜିଥିଲା। ବାବୁସାନ୍ ଓ ପ୍ରକୃତି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚେନ୍ନାଇ ଯାଉଥିବା ବେଳେ ବାଟରେ ତୃପ୍ତି ସେମାନଙ୍କ କାର୍‌ ଅଟକାଇ ଦୁହିଁଙ୍କୁ କାର୍‌ ଭିତରେ ଟଣାଓଟରା କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦୁଇ ତାରକା ପରିବାର ମଧ୍ୟରେ ବିବାଦ ଘନେଇଥିଲା। ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମା’ କୃଷ୍ଣପ୍ରିୟା ମିଶ୍ର ଏ ସଂପର୍କରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷେ ତୃପ୍ତି ଖାରବେଳନଗର ଥାନାରେ ବାବୁସାନ୍ ଓ ପ୍ରକୃତିଙ୍କ ନାଁରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର