ରାଜଧାନୀରେ ଜମିବ ଷ୍ଟାର ନାଇଟ୍ : ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଯୋଗଦେବେ ଏ.ଆର୍ ରେହମାନଙ୍କ ସହ ଶାହରୁଖ ଖାନ୍

ଭୁବନେଶ୍ୱର : ହକି ବିଶ୍ୱକପ୍ ଯେତେ ପାଖେଇ ଆସୁଛି କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ସେତେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି। ବିଶ୍ୱକପ୍ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ନଭେମ୍ବର ୨୭ ତାରିଖରେ ଭୁବନେଶ୍ୱରରେ ହେବ ଉଦଘାଟନୀ ଉତ୍ସବ ଓ ଉତ୍ସବରେ ବଲିଉଡ୍ ତାରକାଙ୍କ ସଂପୃକ୍ତି ଖେଳପ୍ରେମୀଙ୍କ ଉତ୍ସାହ ବଢ଼ାଇଛି ।

ହକି ମହାକୁମ୍ଭରେ ବଲିଉଡ୍ ତାରକାଙ୍କ ମେହଫିଲ୍। ଉଦଘାଟନୀ ଉତ୍ସବରେ ରେହମାନଙ୍କ ସହ ଶାହରୁଖ ଖାନ୍ । କଳିଙ୍ଗ ଷ୍ଟାଡ଼ିୟମରେ ଜୋରଦାର ଚାଲିଛି ବିଶ୍ୱକପର ପ୍ରସ୍ତୁତିପର୍ବ। ସେପଟେ କ୍ରୀଡ଼ାପ୍ରେମୀଙ୍କ ମନରେ ଅପେକ୍ଷା କେବଳ ନଭେମ୍ବର ୨୭କୁ, ଯେବେ ସୁଯୋଗ ମିଳିବ କିଙ୍ଗ୍ ଖାନ୍ ଶାହରୁଖ୍, ଓସ୍କାର ବିଜେତା ମ୍ୟୁଜିସିଆନ୍ ଏ.ଆର.ରେହମାନ୍ ଓ ପରିଚିତ ଗୀତିକାର ତଥା ନିର୍ଦ୍ଦେଶକ ଗୁଲଜାରଙ୍କୁ ଅତି ପାଖରୁ ଦେଖିବାକୁ । ହକି ପାଇଁ ହୃତସ୍ପନ୍ଦନ ବା ହାର୍ଟ ବିଟ୍ ଫର୍ ହକି ଅଭିଯାନ ଶେଷରେ ଶାହରୁଖ ବିଭିନ୍ନ ଦେଶର ହକି ଅଧିନାୟକଙ୍କୁ ଭେଟି ସଂଗୃହୀତ ହୃତସ୍ପନ୍ଦନ ପ୍ରଦାନ କରିବେ ଆଉ ରେହମାନ ଓ ଗୁଲଜାରଙ୍କ ଯୋଡ଼ି ପରିବେଷଣ କରିବେ ହକି ବିଶ୍ୱକପର ଆନୁଷ୍ଠାନିକ ସଙ୍ଗୀତ ଜୟ ଇଣ୍ଡିଆ ।

ଦେଖନ୍ତୁ କିଭଳି ରହିବ ଉଦଘାଟନୀ କାର୍ଯ୍ୟକ୍ରମର ରୂପରେଖ ?

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଶାହରୁଖ୍, ରେହମାନ୍ ଓ ଗୁଲଜାର୍
୨ ଘଂଟା ଧରି ୧୧୦୦ ସ୍ଥାନୀୟ ଓ ବିଦେଶୀ କଳାକାରଙ୍କ ପରିବେଷଣ
ଦି ଆର୍ଥ ସଙ୍ଗରେ ଓଡ଼ିଶାରୁ ୮୦୦ ନବାଗତ କଳାକାରଙ୍କ ନୃତ୍ୟ
୪୫ ମିନିଟ୍ ଅବଧି ବିଶିଷ୍ଟ ମୁଖ୍ୟ ମନୋରଂଜକ କାର୍ଯ୍ୟକ୍ରମ
ଓଡ଼ିଆ ସ୍ପର୍ଶ ପାଇଁ ସବ୍ୟ-ଅର୍ଚ୍ଚିତାଙ୍କ ଯୋଡ଼ି
ଡିଡି ନ୍ୟାସନାଲ ଓ ସ୍ପୋର୍ଟସ ବ୍ୟତୀତ ଆଂଚଳିକ ଚାନେଲରେ ସିଧାପ୍ରସାରଣ
କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ‘ଏକତା ଓ ଏକ ବିଶ୍ୱ’

ହକି ବିଶ୍ୱକପକୁ ସ୍ମରଣୀୟ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋରଦାର ଚାଲିଛି । ସେପଟେ ଶୁଣାଯାଉଛି ଏହି ଉଦଘାଟନୀ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଭାବେ ଯୋଗ ଦେବେ ବାହୁବଲୀ ଷ୍ଟାର ପ୍ରଭାସ୍ ଓ ମାଧୁରୀ ଦୀକ୍ଷିତ । ତେବେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନଥିଲେ ବି ଖେଳପ୍ରେମୀଙ୍କ ପାଇଁ ଏହା ଭଲ ଖବର ଏଥିରେ ସନ୍ଦେହ ରଖାଯାଇନପାରେ । ଉଦଘାଟନୀ ଉତ୍ସବ ପାଇଁ କେବଳ ଅନଲାଇନରେ ଟିକେଟ୍ ବିକ୍ରି ହେବ ଓ ବିକ୍ରିର ଅଧଘଂଟା ଆଗରୁ ଏନେଇ ସରକାରୀ ଭାବେ ସୂଚନା ଦିଆଯିବ । ତେବେ ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ନାମୀଦାମୀ ତାରକାଙ୍କ ଉପସ୍ଥିତି ସୂଚନା ଖେଳପ୍ରେମୀଙ୍କ ଉତ୍କଣ୍ଠା ଓ ଉତ୍ସାହ ବହୁମାତ୍ରାରେ ବଢ଼ାଇଦେଇଛି ।

ସମ୍ବନ୍ଧିତ ଖବର