ଅନ୍‌ଲାଇନ୍‌ରେ ଫଣ୍ଡାମେଣ୍ଟାଲ କୋର୍ସ ଆରମ୍ଭ କରନ୍ତୁ

କ’ଣ ରହିବ କଲେଜ୍‌ ଆଡ୍‌ମିସନ୍‌ର ମାନଦଣ୍ଡ?
କରେନା ପାଇଁ ରାଜ୍ୟ ସରକାର ମାଟ୍ରିକ୍ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି। କିନ୍ତୁ ଦଶମ ‌ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରି-ବୋର୍ଡ ପରୀକ୍ଷା ଅନୁସାରେ ନମ୍ବର ମିଳିବ କିମ୍ବା ଆଉ କିଛି ମାନଦଣ୍ଡ ନିର୍ଦ୍ଧାରଣ କରାଯିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ଦଶମ ପିଲା‌ କେଉଁ ଆଧାରରେ ଯୁକ୍ତ ଦୁଇରେ ଆଡ୍‌ମିସନ କରିବେ, ତାହା ସମସ୍ତଙ୍କ ପାଇଁ ଦ୍ବନ୍ଦ୍ବ ସୃ୍ଷ୍ଟି କରିଛି। ବିଭିନ୍ନ କଲେଜର ଆଡମିସନ୍ ପାଇଁ ଭିନ୍ନ ଭିନ୍ନ କଟ୍‌ ଅଫ୍ ମାର୍କ ରହି ଆସିଛି। ତେଣୁ ପିଲାମାନେ କିପରି କଲେଜର ଆବେଦନ କରିବେ? ହୁଏତ ସବୁ ପିଲାଙ୍କ ପାଇଁ ଗୋଟିଏ କମନ୍‌ ଏଣ୍ଟ୍ରାନ୍‌ସ ଏହାର ଶ୍ରେ‌ଷ୍ଠତମ ସମାଧାନ ହେବ। କମନ୍‌ ଏଣ୍ଟ୍ରାନ୍‌ସର ଫଳାଫଳ ସହ ପିଲାର ପସନ୍ଦ, ଯୋଗ୍ୟତା, ଦକ୍ଷତା ବିଚାର କରି ବିଭିନ୍ନ କଲେଜରେ ବିଜ୍ଞାନ, କଳା, ବାଣିଜ୍ୟ ବିଭାଗରେ ପିଲାଙ୍କୁ ଆଡ୍‌ମିସନ୍ ମିଳିଲେ ହୁଏତ କାହାର କିଛି ଅଭିଯୋଗ ରହିବ ନାହିଁ। ଯେପରିକି ଜେଇଇ, ଓୟୁଏଟି ଆଦି କ୍ଷେତ୍ରରେ କରାଯାଉଛି। ଏହି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ (‌ବୋର୍ଡ) ବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(କାଉନ୍‌ସିଲ୍) ଦ୍ବାରା ପରିଚାଳିତ ହେବା ଉଚିତ। କିନ୍ତୁ ସରକାର ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ।

ପ୍ରତିବନ୍ଧକକୁ ପ୍ରତିହତ କରିବାକୁ ପିଲାଏ ସଂକଳ୍ପ ନିଅନ୍ତୁ
ପିଲାମାନେ ଜାଣିବା କଥା, ସାଧନା କ୍ଷେତ୍ରରେ ପ୍ରତିବନ୍ଧକ ବିଭିନ୍ନ ରୂପରେ ଅତୀତରେ ଆସିଛି। ସଂପ୍ରତି ରହିଛି, ଆଗକୁ ଆସିବ ମଧ୍ୟ। ତେଣୁ ପ୍ରତିବନ୍ଧକ ଦ୍ବାରା ବାନ୍ଧି ନ ହୋଇ ଏହାକୁ ପ୍ରତିହତ କରି ଆଗକୁ ପଢ଼ିବା ଛାତ୍ରର ଲକ୍ଷ୍ୟ ହେଉ। ସେ ସର୍ବଦା ବିକଳ୍ପ ମାର୍ଗ ଖୋଜିବାରେ ଅଭ୍ୟସ୍ତ ହେଉ। ସବୁ କଠିନତମ ପରିସ୍ଥିତିକୁ ଅତିକ୍ରମ କରି ଆମ ପିଲାମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଦକ୍ଷତା ଓ ସାମର୍ଥ୍ୟ ବୃଦ୍ଧି କରିବାକୁ ପଡ଼ିବ। କାରଣ ସଂପ୍ରତି ପ୍ରତିଯୋଗୀଙ୍କ ସଂଖ୍ୟା ଅସଂଖ୍ୟ, ପ୍ରତିଯୋଗିତା ବି ତୀବ୍ର। ତେଣୁ ଆମକୁ ବିକଳ୍ପ ମାର୍ଗ ବାଛି ତାହା ସହାୟତାରେ ପ୍ରସ୍ତୁତ ହେବାକୁ ପଡ଼ିବ ହିଁ ପଡ଼ିବ।

ଉଚ୍ଚ ଶିକ୍ଷା ପାଇଁ କିପରି ପ୍ରସ୍ତୁତି ହେବେ ମାଟ୍ରିକ୍ ପରୀକ୍ଷାର୍ଥୀ?
ଏବେ ପିଲା କ’ଣ କରିବେ, ତାହା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ତେଣୁ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବାକୁ ଆଗ୍ରହୀ ଥିବା ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏବେ କେବଳ ଘରେ ବସି ନରହି ଏବେଠାରୁ ଫଣ୍ଡାମେଣ୍ଟାଲ୍‌ କୋର୍ସ/ସମର ‌କୋର୍ସ/ବ୍ରିଜ୍‌ କୋର୍ସ ଅନ୍‌ଲାଇନ୍‌ରେ ନେବା ଆରମ୍ଭ କରନ୍ତୁ। ବିଭିନ୍ନ ସଂସ୍ଥା ଅନ୍‌ଲାଇନ୍‌ରେ ଏହି କୋର୍ସ ଆରମ୍ଭ କଲେଣି। ସେମାନେ ଜୁମ୍‌ଆପ୍, ଗୁଗୁଲ ମିଟ୍‌ ଆଦିର ଲିଙ୍କ୍ ପଠାଇ ଲାଇଭ୍‌ କ୍ଲାସ୍‌ କରୁଛନ୍ତି। ଏଭଳି ସମର କୋର୍ସ ପାଖାପାଖି ଦେଢ଼ ମାସରୁ ୨ମାସ ପର୍ଯ୍ୟନ୍ତ ଚାଲେ। ଏହି ସମୟରେ ପିଲାମାନେ ଯୁକ୍ତ ଦୁଇ ଥିବା ମୌଳିକ ପାଠ ବିଷୟରେ ପରିଚିତ ହୋଇଥାନ୍ତି। ଦଶମ ଶ୍ରେଣୀରେ ପିଲାମାନେ ଆଞ୍ଚଳିକ ଭା‌ଷା(ଓଡ଼ିଆ, ହିନ୍ଦୀ, ତେଲ୍‌ଗୁ) ଆଦିରେ ଶିକ୍ଷା ଗ୍ରହଣ କରିଥିବାରୁ ହଠାତ୍‌ କଲେଜରେ ପ୍ରବେଶ କଲେ, ଇଂରାଜୀ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏବେ ସମର କୋର୍ସରେ ସେମାନେ ବିଭିନ୍ନ ଇଂରାଜୀ ଶବ୍ଦ ସହ ପରିଚିତ ହୁଅନ୍ତି। ଇଂରାଜୀ ସ୍ପିକିଂ ଦକ୍ଷତା ବୃଦ୍ଧି ପାଇବା ସହିତ ପଦାର୍ଥ ବିଜ୍ଞାନର ୟୁନିଟ୍ ଆଣ୍ଡ ଡାଇମେନ୍‌ସନ୍, ରସାୟନ ବିଜ୍ଞାନର ସିମ୍ବଲ, ଫର୍ମୁଲା, ବିଭିନ୍ନ ପ୍ରକାର ରାସାୟନିକ ପ୍ରତିକ୍ରୟା, ଗଣିତର କଂପ୍ଲେକ୍ସ ନମ୍ବର, ଲଜିକ୍‌, ମ୍ୟାଥ୍‌ମେଟିକାଲ ଇଣ୍ଡକ୍ସନ୍, ଜୀବବିଜ୍ଞାନ ଓ ଉଦ୍ଭିଦ୍ ବିଜ୍ଞାନର ପ୍ରଥମ ବିଷୟ ଆଦିକୁ ପଢ଼ିଥାନ୍ତି। ଦେଖାଯାଇଛି, ପିଲାମାନେ ଏସବୁ କ୍ଲାସ ମନୋଯୋଗ ପୂର୍ବକ କରିଥାନ୍ତି। ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି ହୁଏ, ଯାହା କଲେଜରେ ପଢ଼ିବାବେଳକୁ ଆଉ ବେଶି ସମସ୍ୟା ରୁହେନାହିଁ।

ଡକ୍ଟର ହୃଷିକେଶ ଆଚାର୍ଯ୍ୟ
ଅଧ୍ୟକ୍ଷ, ସରସ୍ବତୀ ଶିଶୁବିଦ୍ୟାମନ୍ଦିର ହାୟର ସେକେଣ୍ଡାରି ସ୍କୁଲ, ତୁଳସୀପୁର, କଟକ

ସମ୍ବନ୍ଧିତ ଖବର