ଆରମ୍ଭ ହେଲା ଚିଲିକାରେ ପକ୍ଷୀ, ଡଲ୍‌ଫିନ ଗଣନା: ୨୯ଟି ଦଳରେ ୧୭୫ ଜଣ ସାମିଲ୍‌

ହାଇଡ୍ରୋଫୋନ୍‌ ଜରିଆରେ ଡଲଫିନ୍‌ଙ୍କ ରହଣି ସ୍ଥଳ ଚିହ୍ନଟ, ପକ୍ଷୀଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ଛୁଇଁପାରେ

ଭୁବନେଶ୍ବର: ଚିଲିକାର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଥିବା ପକ୍ଷୀ ଓ ଡଲ୍‌ଫିନ୍‌ ଗଣନା ଆରମ୍ଭ ହୋଇଛି। ଚିଲିକା ଉନ୍ନୟନ କର୍ତୃପକ୍ଷ (ସିଡିଏ) ପକ୍ଷରୁ ଆରମ୍ଭ ହୋଇଥିବା ଏହି ଗଣନାରେ ୧୭୫ଜଣ ବ୍ୟକ୍ତିବିଶେଷ ୨୯ଟି ଦଳରେ ସାମିଲ୍‌ ହୋଇ ସର୍ବେକ୍ଷଣ ଆରମ୍ଭ କରିଛନ୍ତି। ସିଡିଏର କର୍ମଚାରୀଙ୍କ ସମେତ ଚିଲିକା ବନ୍ୟଜନ୍ତୁ ଡିଭିଜନ୍‌, ବିଭିନ୍ନ ଡଙ୍ଗା ସଂଘର ସଦସ୍ୟ, ସ୍ବେଚ୍ଛାସେବୀ ସଂଗଠନ, ଡବ୍ଲୁଡବ୍ଲୁଏଫ୍‌ ଇଣ୍ଡିଆର ପ୍ରତିନିଧି ଓ ବିଏନ୍‌ଏଚ୍‌ଏସ୍‌ର ସଦସ୍ୟମାନେ ସାମିଲ ହୋଇଛନ୍ତି। ଆଜି ସକାଳୁ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଖରାପ ପାଗ ଯୋଗୁଁ ଚିଲିକା ଇରାୱାଡ଼ି ଡଲ୍‌ଫିନ୍‌ ଗଣନାରେ ବାଧା ଉପୁଜିଥିଲା ବୋଲି ସିଡିଏର କର୍ତୃପକ୍ଷ କହିଛନ୍ତି। ତେବେ ବହୁ ସଂଖ୍ୟାରେ ପକ୍ଷୀମାନେ ବିଚରଣ କରୁଥିବା ଅଞ୍ଚଳ, ବିଲୁପ୍ତପ୍ରାୟ ପକ୍ଷୀମା‌ନେ ରହୁଥିବା ଅଞ୍ଚଳ ସହ ନଳବଣ ଅଭୟାରଣ୍ୟରେ ଏମାନଙ୍କ ବିଚରଣ ସ୍ଥାନକୁ ଚିହ୍ନଟ କରାଯାଇଛି।

ଗତବର୍ଷ ସର୍ବେକ୍ଷଣ ଅନୁଯାୟୀ, ପକ୍ଷୀମାନଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ସଂଖ୍ୟା ୧୦ ଲକ୍ଷ ୫୦ ହଜାରରୁ ୧୦ ଲକ୍ଷ ୭୦ ହଜାର ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରାଯାଇଛି। ତେଣୁ ଗତବର୍ଷ ଓ ଏ ବର୍ଷର ପକ୍ଷୀଙ୍କ ସଂଖ୍ୟା ଆପାତତଃ ସମାନ ‌ରହିବ ବୋଲି ଅଧିକାରୀମାନେ କହିଛନ୍ତି। ତେବେ ସମ୍ପୂର୍ଣ୍ଣ ଗଣନା ପରେ କେତେ ପ୍ରଜାତିର ପକ୍ଷୀ କେତେ ସଂଖ୍ୟାରେ ପକ୍ଷୀ ଅଛନ୍ତି, ତାହା ଜଣାପଡ଼ିବ। ୨୦୧୭ ମସିହାରେ ୯ ଲକ୍ଷ ୨୫ ହଜାର ପକ୍ଷୀ ଥିବା ବେଳେ ୨୦୧୮ରେ ଏହା ୮ଲକ୍ଷ ୬୭ ହଜାରକୁ ଖସି ଆସିଥିଲା। ମାତ୍ର ୨୦୧୯ରେ ଏହା ୧୦ଲକ୍ଷ ୪୭ ହଜାରକୁ ବୃଦ୍ଧି ପାଇଥିଲା। ନଳବଣର ୧୫.୫୩ ବର୍ଗ କିଲୋମିଟର ଅଭୟାରଣ୍ୟ ଅନ୍ୟତମ ବୃହତ୍‌ ପକ୍ଷୀ ସମାଗମସ୍ଥଳ ହୋଇଥିବା ବେଳେ ଏଠାରେ ୧୧୪ କିସମର ୩ଲକ୍ଷ ୭୪ ହଜାରରୁ ଅଧିକ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ୭୪ଟି ଜଳପକ୍ଷୀ ପ୍ରଜାତିର ହୋଇଥିବା ବ‌େଳେ ୪୦ଟି ଲୁପ୍ତପ୍ରାୟ ପ୍ରଜାତିର ପକ୍ଷୀ। ଜଳପକ୍ଷୀଙ୍କ ମଧ୍ୟରୁ ଅଧିକାଂଶ ଉପମହାଦେଶୀୟ ହୋଇଥିବା ବେ‌ଳେ ସେମାନେ ଶୀତ ଋତୁରେ ଚିଲିକା ହ୍ରଦ ନିକଟକୁ ଖାଦ୍ୟ ଓ ଆଶ୍ରୟ ଅନ୍ବେଷଣରେ ଚାଲି ଆସନ୍ତି। ବାତ୍ୟା ଫନି ଯୋଗୁଁ ଲୁପ୍ତପ୍ରାୟ ପକ୍ଷୀଙ୍କ ସଂଖ୍ୟା ପୂର୍ବବର୍ଷ ତୁଳନାରେ କମିପାରେ ବୋଲି ଆକଳନ କରାଯାଉଛି।

ସମ୍ପୃକ୍ତ ଅଞ୍ଚଳରେ ଜାଲିଘେରା ଅଞ୍ଚଳ ଉଚ୍ଛେଦ ହେବା ପରେ ୧୬୨ବର୍ଗ କିଲୋମିଟର ଅଞ୍ଚଳ ମୁକ୍ତ ହୋଇଥିବାରୁ ଗୁରୁବାଇ ଓ ପାରିକୁଦ ଭଳି ଅଞ୍ଚଳ ଏବେ ପକ୍ଷୀ ଓ ଡଲ୍‌ଫିନ୍‌ମାନଙ୍କ ପାଇଁ ନୂତନ ବିଶ୍ରାମସ୍ଥଳୀରେ ପରିଣତ ହେବା ସହ ପକ୍ଷୀଙ୍କ ବିଚରଣର ଗୁରୁତ୍ବପୂର୍ଣ୍ଣ ସ୍ଥଳ ପାଲଟିଛି। ବିଶେଷକରି ବତକ ଓ ରାଜହଂସଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଡଲ୍‌ଫିନ୍‌ମାନେ କେନ୍ଦ୍ର ଓ ଦକ୍ଷିଣ ଭାଗକୁ ଚାଲି ଆସିଥିବା ବେଳେ ହାଇଡ୍ରୋଫୋନ୍‌ ଜରିଆରେ ସେମାନଙ୍କ ରହଣିସ୍ଥଳକୁ ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର