ମାଟ୍ରିକ୍‌ ପରୀକ୍ଷା ଆରମ୍ଭ: ପରୀକ୍ଷା ଦେଲେ ୩୦,୨୬୧ ଛାତ୍ରଛାତ୍ରୀ

୨,୪୯୯ ଛାତ୍ରଛାତ୍ରୀ ଅନୁପସ୍ଥିତ

ବାଲେଶ୍ବର: ଶୁକ୍ରବାରଠାରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷା ନେଇ ଅନେକ ଛାତ୍ରଛାତ୍ରୀ ଉତ୍ସାହିତ ଥିବାବେ‌ଳେ କିଛି ଛାତ୍ରଛାତ୍ରୀ ଦ୍ବନ୍ଦ୍ବ ଓ ଆଶଙ୍କା ଭିତରେ ରହିଥିଲେ। କାରଣ କରୋନା ପାଇଁ ଦୁଇବର୍ଷ ହେଲା ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇନଥିଲେ। ସୂଚନା ମୁତାବକ, ଜିଲ୍ଲାରେ ୫୨୧ ସ୍କୁଲର ମୋଟ୍‌ ୩୨ ହଜାର ୭୬୦ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମଫିଲପ୍‌ କରିଥିଲେ। ଆଜି ୩୦ ହଜାର ୨୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏଥିରୁ ୧୦୬୭ ଜଣ ମଧ୍ୟମା ଏବଂ ୭୨୧ ଜଣ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ରହିଛନ୍ତି। ପ୍ରଥମ ଦିନରେ ଇଂରାଜୀ ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଜିଲ୍ଲାରେ ୨୦୬ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ୧୨ଟି ନୋଡାଲ ସେଣ୍ଟର ହୋଇଛି। ପରୀକ୍ଷା ପାଇଁ ୪ଟି ଫ୍ଲାଇଂ ସ୍କ୍ବାର୍ଡ ଏବଂ ୨ଟି ସେଣ୍ଟ୍ରାଲ ସ୍କ୍ବାର୍ଡ ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ଯାଇ ତଦାରଖ କରିଥିଲେ। ୫୦ଟି କେନ୍ଦ୍ରରେ ବୋର୍ଡ ପକ୍ଷରୁ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାର ସହ ଛାତ୍ରଛାତ୍ରୀ ପରୀକ୍ଷା ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର କହିଛନ୍ତି।

ସମ୍ବନ୍ଧିତ ଖବର