ଆରମ୍ଭ ହେବ ‘ସୁଭିକ୍ଷା’

ଜେଲ ଅନ୍ତେବାସୀଙ୍କ ହେବ ଏଚ୍‌ଆଇଭି ପରୀକ୍ଷା, ପ୍ରଥମ ପର୍ଯ୍ୟାୟରେ ୯ଟି ଜିଲ୍ଲାର ଜେଲ୍‌ରେ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର: ଜେଲ୍‌ ଅନ୍ତେବାସୀଙ୍କ ଏଚ୍‌ଆଇଭି ପରୀକ୍ଷା କରାଯିବ। କେବଳ ଏଚ୍‌ଆଇଭି ନୁହେଁ ଏହାସହ ସିଫିଲିସ୍‌, ଯୌନରୋଗ ସଂକ୍ରମଣ ବା ଏସ୍‌ଟିଡିର ସ୍କ୍ରିନିଂ ଓ ଏଚ୍‌ଆଇଭି ଆକ୍ରାନ୍ତଙ୍କ କାଉନସେଲିଂ କରାଯିବ। ‘ସୁଭିକ୍ଷା’ ଯୋଜନାରେ ରାଜ୍ୟର ୯ଟି ଜିଲ୍ଲାରେ ଥିବା ଜେଲ୍‌ଗୁଡ଼ିକରେ ପ୍ରଥମରଥର ଲାଗି ଏହି ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି ଓ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ଅଧୀନରେ ‘ସାଥୀ’ ସଂସ୍ଥା ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ୧୦ ତାରିଖରେ ଏହାର ଉଦ୍‌ଘାଟନ ହେବ ବୋଲି ଜଣାପଡ଼ିଛି। ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, କଟକ, ଗଞ୍ଜାମ, ଖୋର୍ଧା, କୋରାପୁଟ, ମୟୂରଭଞ୍ଜ ଓ ସମ୍ବଲପୁରରେ ଥିବା ଜେଲ୍‌ରେ ପ୍ରଥମେ ଏହି ପ୍ରକଳ୍ପ ଆରମ୍ଭ ହେବ। ପରବର୍ତୀ ସମୟରେ ରାଜ୍ୟର ସମସ୍ତ ଜେଲ୍‌ରେ କାର୍ଯ୍ୟକାରୀ କରାଯିବ। ଏହାବ୍ୟତୀତ ରାଜ୍ୟରେ ୭୩ଟି ସ୍ୱଧାର ଓ ୧୭ଟି ଉଜ୍ଜଳା ଗୃହରେ ଥିବା ୨୭୦୦ ଅନ୍ତେବାସୀଙ୍କ ମଧ୍ୟ ଏହି ପରୀକ୍ଷା କରାଯିବ।

ଏଚ୍‌ଆଇଭି/ଏଡ୍‌ସ ନେଇ ଏକ ସମନ୍ଵୟ ରକ୍ଷା କରିବା ହେଉଛି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନାରେ ଜେଲ ଅନ୍ତେବାସୀଙ୍କ ଏଚ୍‌ଆଇଭି ପରୀକ୍ଷା ସହିତ କାଉନସେଲିଂ, ଯକ୍ଷ୍ମାର ଚିହ୍ନଟ ଓ ଚିକିତ୍ସା, ମା’ଠାରୁ ଶିଶୁକୁ ଏଚ୍‌ଆଇଭିକୁ ରୋକିବା, ସିଫିଲିସ୍‌, ହେପାଟାଇଟିସ୍‌ ବି ଓ ସିର ସ୍କ୍ରିନିଂ କରାଯିବ। ଯେଉଁ ଅନ୍ତେବାସୀମାନଙ୍କ ଏଚ୍‌ଆଇଭି ପଜିଟିଭ୍‌ ଜଣାପଡ଼ିବ, ସେମାନଙ୍କୁ ଏଆରଟି ସେଣ୍ଟର, ଯକ୍ଷ୍ମା ରୋଗୀଙ୍କୁ ଆରଏନ୍‌ଟିସିପି ଓ ଅନ୍ୟ ଆକ୍ରାନ୍ତଙ୍କୁ ନିକଟସ୍ଥ ଚିକିତ୍ସା କେନ୍ଦ୍ର ସହ ସାମିଲ କରାଯିବ। ରାଜ୍ୟରେ ସମୁଦାୟ ୧୫ଟି ଏଆରଟି ସେଣ୍ଟର କାର୍ଯ୍ୟ କରୁଛି। ଓଡ଼ିଶାରେ ଏଚ୍‌ଆଇଭିର ମାତ୍ରା ୦.୨୯ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ସମୁଦାୟ ୭୬ହଜାର ଏଚ୍‌ଆଇଭି ପଜିଟିଭ୍‌ ରହିଥିବା ଅନୁମାନ କରାଯାଉଛି। ତେବେ ଏ ପର୍ଯ୍ୟନ୍ତ ୪୩ ହଜାର ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରିଛି। ଆହୁରି ଅନେକ ଆକ୍ରାନ୍ତ ଚିହ୍ନଟ ହୋଇ ପାରି ନାହାନ୍ତି। ପୂର୍ବରୁ କେବଳ ଅଧିକ ସମ୍ବେଦନଶୀଳ ଗ୍ରୁପ୍‌ରେ ଏଚ୍‌ଆଇଭି ସ୍କ୍ରିନିଂ କରାଯାଉଥିବା ବେଳେ ଏବେ ଓସାକ୍ସ ପକ୍ଷରୁ ଗୋଷ୍ଠୀସ୍ତରରେ ଏଚ୍‌ଆଇଭିର ସ୍କ୍ରିନିଂ ଆରମ୍ଭ ହୋଇଛି। ତେବେ ଜେଲ୍‌ରେ ରହୁଥିବା ଅନ୍ତେବାସୀ ଏଚ୍‌ଆଇଭି ଓ ଯକ୍ଷ୍ମା ସହିତ ଉଭୟ ରୋଗରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥିବାରୁ ଏହି କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଚିହ୍ନଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଓସାକ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏକ ସର୍ବେକ୍ଷଣରେ ପଞ୍ଜାବରେ ଥିବା ସମସ୍ତ ଜେଲ୍‌ଗୁଡ଼ିକରେ ୫ ପ୍ରତିଶତ ପର୍ଯ୍ୟନ୍ତ ଏଚ୍‌ଆଇଭି ଆକ୍ରାନ୍ତ ରହିଥିବା ଜଣାପଡ଼ିଥିଲା। ଏହାକୁ ଭିତ୍ତି କରି ଦେଶର ସମସ୍ତ ଜେଲ୍‌ରେ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୯ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ପରବର୍ତୀ ସମୟରେ ସମସ୍ତ ଜିଲ୍ଲାର ଜେଲ୍‌ରେ ଏହାକୁ ଲାଗୁ କରାଯିବ। ଝାରପଡ଼ାସ୍ଥିତ ସ୍ୱତନ୍ତ୍ର ଜେଲ୍‌ରେ ଏହାର ଆରମ୍ଭ ହୋଇଛି। ଯେଉଁ ଜିଲ୍ଲାଗୁଡ଼ିକରେ ଡାକ୍ତର ଓ ଆବଶ୍ୟକ ସଂଖ୍ୟକ କର୍ମଚାରୀ ରହିଛନ୍ତି ସେମାନଙ୍କୁ ତାଲିମ୍‌ ପ୍ରଦାନ କରାଯିବା ସହ ଏଚ୍‌ଆଇଭିର ସ୍କ୍ରିନିଂ ପାଇଁ ସମସ୍ତ ଯନ୍ତ୍ରପାତି ଯୋଗାଇ ଦିଆଯିବ। ଅପରପକ୍ଷରେ ଯେଉଁ ଜେଲଗୁଡ଼ିକରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବେ, ସେଠାରେ ଓସାକ୍ସ ଅଧୀନରେ ଥିବା ଇଣ୍ଟିଗ୍ରେଟେଡ୍‌ କାଉନସେଲିଂ ଓ ଟ୍ରେନିଂ ସେଣ୍ଟର ବା ଆଇସିଟିସିର କର୍ମଚାରୀମାନେ ସପ୍ତାହରେ ଥରେ ଜେଲ୍‌କୁ ଯାଇ ସ୍କି୍ରିନିଂ କରିବେ। ‘ସାଥୀ’ ପକ୍ଷରୁ ମଧ୍ୟ ଦକ୍ଷତା ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର