ସମ୍ବଲପୁର: ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଆସନ୍ତା ୧୦ ତାରିଖ ଗୁରୁବାର ଦିନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ପହଞ୍ଚିବ। ଭିସୁଟ୍ କ୍ୟାମ୍ପସ୍ରେ ଏକ ବୁଟ୍କ୍ୟାମ୍ପ୍ ଆୟୋଜନ କରାଯିବ ଯେଉଁ ଥିରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମ୍କାର୍ ରାଏ ଅନ୍ୟ କିଛି ଅଧିକାରୀଙ୍କ ସହ ଯୋଗଦେବେ। ରାଜ୍ୟର ଉନ୍ନତ ଷ୍ଟାର୍ଟଅପ୍ ପରିବେଶ ବିଷୟରେ ସେ ସୂଚନା ପ୍ରଦାନ କରିବେ ଓ ଭିସୁଟ୍ରେ ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ ପାଇଁ ଉତ୍ସାହିତ କରିବେ। ଏଥି ସହିତ ଆସନ୍ତା ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ ସଂପର୍କରେ ଜଣାଇ ଷ୍ଟାର୍ଟଅପ୍ ଓଡ଼ିଶା ଅଭିଯାନ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବେ।
ସୂଚନାଯୋଗ୍ୟ, ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶେଷ ଗ୍ରହଣୀୟ ହୋଇଛି। ବର୍ତମାନ ସୁ୍ଦ୍ଧା ଏହି ଯାତ୍ରା ୯୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି ତଥା ୧୫୦୦ରୁ ଅଧିକ ଅଭିନବ ଚିନ୍ତାଧାରା ସଂଗ୍ରହ କରିପାରିଛି। ୧୦୦ରୁ ଅଧିକ ଭ୍ୟାନ୍ ଅଭିଯାନ ଆୟୋଜନ କରା ଯାଇଥିବା ବେଳେ ଛାତ୍ରଛାତ୍ରୀ ଓ ତୃଣମୂଳସ୍ତରରେ ଥିବା ନବସୃଜନକାରୀଙ୍କଠାରୁ ଅଭିନବ ଚିନ୍ତାଧାରା ସଂଗ୍ରହ ଲାଗି ବୁଟ୍କ୍ୟାମ୍ପ୍ ଜୋରସୋରରେ ଆୟୋଜନ କରାଯାଉଛି। ଏହି ଯାତ୍ରାରେ ସଂଗ୍ରହ କରାଯାଇଥିବା ଚିନ୍ତାଧାରା ମଧ୍ୟରୁ ୪୦-୫୦% ମହିଳାମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଛି। କନ୍ଧମାଳ, କୋରାପୁଟ, ନୟାଗଡ଼, କଳାହାଣ୍ଡି ଓ ଜୟପୁର ଭଳି ସ୍ଥାନରୁ ମଧ୍ୟ ଅନେକ ସୁନ୍ଦର ଓ ଗ୍ରହଣୀୟ ଚିନ୍ତାଧାରା ଆସିଛି। ଏହି ଯାତ୍ରା ରାଜ୍ୟରେ ଉଦ୍ୟୋଗୀ ଭାବକୁ ଏକ ନୂଆ ଉତ୍ସାହ ପ୍ରଦାନ କରିଛି।