ବାଲ୍ୟ ବିବାହ ବି‌ରୋଧରେ ରାଜ୍ୟ କାର୍ଯ୍ୟଧାରାର ଶୁଭାରମ୍ଭ : ୨୦୩୦ ସୁଦ୍ଧା ‘ଶୂନ୍‌’ରେ ପହଞ୍ଚିବ ବାଲ୍ୟବିବାହ

ଭୁବନେଶ୍ବର : ୨୦୩୦ ମସିହା ସୁଦ୍ଧା ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୫ବର୍ଷ ମଧ୍ୟରେ ଏହି ହାର ଯେପରି କ୍ରମାନ୍ବୟ‌ରେ ହ୍ରାସ ପାଏ, ସେଥିପାଇଁ ‘ଷ୍ଟେଟ୍‌ ଷ୍ଟ୍ରାଟେଜିକ୍‌ ଆକ୍ସନ୍‌ ପ୍ଲାନ୍‌ ୨୦୧୯-୨୪’ ଆରମ୍ଭ ହେବ। ସଂପ୍ରତି ଝିଅମାନଙ୍କ କ୍ଷେତ୍ରରେ ବାଲ୍ୟ ବିବାହ ୨୧.୩ ପ୍ରତିଶତ ଥିବା ‌ବେଳେ ଆକ୍ସନ୍‌ ପ୍ଲାନ୍‌ ମୁତାବକ ଏହାକୁ ୧୦ପ୍ରତିଶତକୁ ଖସାଇବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ପୁଅମାନଙ୍କ କ୍ଷେତ୍ରରେ ବାଲ୍ୟ ବିବାହ ହାର ୧୧ ପ୍ରତିଶତ ଥିବା ବେଳେ ଏହାକୁ ୬ ପ୍ରତିଶତକୁ ଖସାଇବାକୁ ଲକ୍ଷ୍ୟ ରଖାଯାଇଛି। ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁନିସେଫ୍‌ ଓ ୟୁଏନ୍‌ଏଫ୍‌ପିଏର ମିଳିତ ଆନୁକୂଲ୍ୟରେ ବାଲ୍ୟ ବିବାହ ବି‌ରୋଧରେ ରାଜ୍ୟ କାର୍ଯ୍ୟଧାରାର ଶୁଭାରମ୍ଭ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଜି ଏହା କହିଛନ୍ତି।

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ କହିଲେ, ଯେଉଁଠି ନାରୀ ପୂଜା ପାଏ‌, ସେ ରାଜ୍ୟ ସେତେ ସମୃଦ୍ଧ ହୁଏ। ତେଣୁ ବିଶେଷକରି ମହିଳାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା ପାଇଁ ପଞ୍ଚାୟତରୁ ବ୍ଲକ୍‌ ସ୍ତରରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପଡ଼ିବ। ପ୍ରତି ପରିବାରକୁ ଏ ବାବଦରେ ସଚେତନ କରିବାକୁ ପଡ଼ିବ। ଏନେଇ ମହିଳା ପ୍ରତିନିଧିମାନେ ସୈନିକ ସାଜି ଆଗେଇ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ। ବିଶେଷକରି ବାଲ୍ୟ ବିବାହକୁ ମୂଳପୋଛ କରିବା ପାଇଁ ଷ୍ଟେଟ୍‌ କମ୍ୟୁନିକେସନ୍ ଷ୍ଟ୍ରାଟେଜି ଉପରେ ଗୁରୁତ୍ବ ଦିଆଯିବ।

ମୁଖ୍ୟତଃ ୧୬ଟି ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ ବାଲ୍ୟ ବିବାହ ହ୍ରାସ ପାଇଁ ତ୍ବରିତ ବ୍ୟବସ୍ଥା ଗ୍ରହଣ କରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, କ୍ରୀଡ଼ା ଓ ଯୁବ ବ୍ୟାପାର, ଦକ୍ଷତା ବିକାଶ ଓ ବୈଷୟିକ ପାଠ୍ୟକ୍ରମ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଆଇନ, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକସମ୍ପର୍କ ଓ ଗୃହ ବିଭାଗ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପ୍ରଥମତଃ ଆଇନ ଓ ନୀତିଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯିବ। କିଶୋର ଅବସ୍ଥାକୁ ସଶକ୍ତ କରିବା ପାଇଁ ଶିକ୍ଷା, ସ୍ବାସ୍ଥ୍ୟଠୁ ନେଇ ବିଭିନ୍ନ କ୍ଷେତ୍ର ମାଧ୍ୟମରେ ପ୍ରଚେଷ୍ଟା କରାଯିବ। ଏନେଇ ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ। ଜୀବନ ଦକ୍ଷତା ପ୍ରଶିକ୍ଷଣ ସହ ସେମାନଙ୍କ ପସନ୍ଦକୁ ନେଇ ସେମାନଙ୍କୁ ସଶକ୍ତ କରାଯିବ। ଏଗୁଡ଼ିକ କିଭଳି ଠିକ୍‌ ଭାବେ କାର୍ଯ୍ୟକାରୀ ହେବ, ସେ ଦିଗରେ ମଧ୍ୟ ଚେଷ୍ଟା କରାଯିବ ବୋଲି ମିସନ୍‌ ଶକ୍ତି ନିର୍ଦେଶିକା ସୁଜାତା କାର୍ତିକେୟନ କହିଛନ୍ତି। ଏ‌ କ୍ଷେତ୍ରରେ ରାଜ୍ୟରେ ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୭୦ଲକ୍ଷ ମହିଳା କିଭଳି ଭୂମିକା ନେବେ, ସେ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ। ୟୁଏନ୍‌ଏଫ୍‌ପିଏର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଡ. ଦୀପା ପ୍ରସାଦ ରାଜ୍ୟରେ ବାଲ୍ୟ ବିବାହର ସ୍ଥିତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ୟୁନିସେଫ୍‌, ଓଡ଼ିଶାର ମୁଖ୍ୟ ମୋନିକା ନିଲ୍‌ସେନ୍‌ ବାଲ୍ୟ ବିବାହାର ବିଭିନ୍ନ କାରଣ ସମ୍ପର୍କରେ କହିଥିଲେ। ଏହି ଅବସରରେ ବାଲ୍ୟ ବିବାହ ବିରୋଧରେ ଲଢ଼େଇ କରିଥିବା ସଂଜନା ଖିଲର, ବର୍ଷାରାଣୀ ସାହୁ, ସରୋଜିନୀ ନାୟକ, ଶୁଭଲକ୍ଷ୍ମୀ ସେଠୀ, ବର୍ଷାରାଣୀ ମୁନିଙ୍କୁ ‘ଚାମ୍ପିୟନ’ ଭାବେ ସମ୍ମାନିତ କରାଯାଇଥିଲା। ଏଥିସହ ବାଲ୍ୟବିବାହ କ୍ଷେତ୍ରରେ ସକ୍ରିୟ କାର୍ଯ୍ୟକର୍ତା ଭାବେ ନୟାଗଡ଼ର ସିଡିପିଓ ତଥା ବାଲ୍ୟ ବିବାହ ନିବାରଣ ଅଧିକାରୀ ବ୍ରହ୍ମୋତ୍ରୀ ମିଶ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ‘ଟିକି ମାଉସୀ’ ବାଲ୍ୟ ବିବାହ ବାବଦରେ ସଚେତନ କରାଇଥିଲେ। ପ୍ରାରମ୍ଭରେ ଆସିଡିଏସ୍‌ର ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ୍‌ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସଚିବ (ଡବ୍ଲୁଡି) ନିତ୍ୟାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ଆକ୍ସନ ଏଡ୍‌ର ଘାସିରାମ ପଣ୍ଡା ଓ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜର ତଥ୍ୟ ସମ୍ବଳିତ ମତ ରଖିଥିଲେ।

ସମ୍ବନ୍ଧିତ ଖବର