ଉଚ୍ଛେଦ ହେଲା ସ୍ୟାଟ୍‌

ସେପ୍ଟେମ୍ବର ୨୦୧୫ରେ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥିଲେ, ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

କଟକ : ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍‌) ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ ନୋଟିଫିକେସନ୍ ପ୍ରକାଶ ପାଇଛି। ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ୧୯୮୬, ଜୁଲାଇ ୪ରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ପ୍ରତିଷ୍ଠା ନେଇ ପ୍ରକାଶିତ ବିଜ୍ଞପ୍ତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଦ୍ଦ କରାଯାଇଛି। ଓଡ଼ିଶା ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଏପରି ପ୍ରସ୍ତାବକୁ ହାଇକୋର୍ଟଙ୍କ ଅନୁମୋଦନ ମିଳିଥିଲା। ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ଆକ୍ଟ, ୧୯୮୫ର ଧାରା ୪(୨) ଓ ଜେନେରାଲ କ୍ଲଜେସ୍ ଆକ୍ଟର ଧାରା ୨୧ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି କେନ୍ଦ୍ର ସରକାର ସ୍ୟାଟକୁ ଉଚ୍ଛେଦ କରିଛନ୍ତି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। କେନ୍ଦ୍ର ସରକାରଙ୍କ ଏପରି ବିଜ୍ଞପ୍ତି ପରେ ସ୍ୟାଟ୍ ଉଚ୍ଛେଦ ପ୍ରସଂଗକୁ ନେଇ ଦୀର୍ଘ ୫ ବର୍ଷ ଧରି ଲାଗି ରହିଥିବା ବିବାଦୀୟ ପରିସ୍ଥିତିର ଅବସାନ ଘଟିଛି।

ସୂଚନା ଯୋଗ୍ୟ ଯେ ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ପ୍ରତିଷ୍ଠା ହୋଇଥିଲା। ୨୦୧୪, ଫେବ୍ରୁଆରି ୧୮ରେ ଟ୍ରିବୁନାଲରେ ଅଧୢକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ରହିବା ସ˚ପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭୁବନେଶ୍ବର ପ୍ରମୁଖ ବେଞ୍ଚ ରହିଥିବା ବେଳେ କଟକ ବେଞ୍ଚ୍‌ ସହିତ ସମ୍ବଲପୁର ଓ ବ୍ରହ୍ମପୁର ସର୍କିଟ ବେଞ୍ଚ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ୍ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା। ଏହି ନିଷ୍ପତ୍ତିକୁ କେତେକ ବିରୋଧ କରିଥିବା ବେଳେ ସରକାର ଏଥିରେ କୌଣସି ପରିବର୍ତ୍ତନ କରି ନଥିଲେ। କେନ୍ଦ୍ର ସରକାରଙ୍କୁ ଏ ନେଇ ଅନୁରୋଧ କରାଯାଇଥିବା ବେଳେ ହାଇକୋର୍ଟ ସ୍ୟାଟ୍ ଉଚ୍ଛେଦ ନେଇ ରହିଥିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ।

ସମ୍ବନ୍ଧିତ ଖବର