ସ୍ୟାଟ୍ ଉଚ୍ଛେଦ ବିଜ୍ଞପ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ତଲବ

କଟକ : ହାଇକୋର୍ଟରେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌) ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ରୁଜୁ ମାମଲାର ଶୁଣାଣି ହୋଇଛି। ଏହି ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫କୁ ଧାର୍ଯ୍ୟ କରାଯାଇଥିବାବେଳେ ଏହା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ମାମଲାରେ ଜବାବ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସ୍ୟାଟ୍ ଉଚ୍ଛେଦ ବିଜ୍ଞପ୍ତି ଉପରେ ରହିତାଦେଶ ପାଇଁ ଦାୟର ଅନ୍ତରୀଣ ଆବେଦନ ଉପରେ ଆଜି ହାଇକୋର୍ଟ କୌଣସି ନିର୍ଦ୍ଦେଶ ପ୍ରଦାନ କରିନାହାନ୍ତି।

କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନ୍‌ସନ୍ ମନ୍ତ୍ରାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ପ୍ରକାଶିତ ଗେଜେଟ ନୋଟିଫିକେସନ୍‌କୁ ଚାଲେଞ୍ଜ କରି କଟକ ଓଏଟି ବାର୍ ଆସୋସିଏସନ୍ ସଂପାଦକ ପ୍ରକାଶ କୁମାର ରାଉତ ଗତ ୬ ତାରିଖରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ପ୍ରସଂଗରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଥିବାବେଳେ ଏହି ମାମଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରଣାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ବିଜ୍ଞପ୍ତି କରାଯାଇଥିଲା। ଓଡ଼ିଶା ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଏପରି ପ୍ରସ୍ତାବକୁ ହାଇକୋର୍ଟଙ୍କ ଅନୁମୋଦନ ମିଳିଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଧୂଳିରାମ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର