ରାଜ୍ୟ ଅମିନ ସଂଘର ନିଷ୍ପତ୍ତି: ୧ ତାରିଖରୁ କଳାବ୍ୟାଜ୍ ପିନ୍ଧିବେ ଓ ୧୧ ତାରିଖରେ ରାଲି

ଖୋର୍ଦ୍ଧା: ଖୋର୍ଦ୍ଧା ଠାରେ ରାଜ୍ୟ ଅମିନ ସଂଘର ଏକ ରାଜ୍ୟସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଦୋନ୍ନତି ଓ ଦରମାବୃଦ୍ଧିରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ଡିସେମ୍ବର ୧ ତାରିଖରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବା ସହ ୧୧ ତାରିଖରେ ଭୁବନେଶ୍ୱରେ ଏକ ପ୍ରତିବାଦ ରାଲି ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ଅନୁଷ୍ଠିତ ବୈଠକରେ ସଂଗଠନର ରାଜ୍ୟ ସଭାପତି ମନୋଜ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ସଂଗଠନର ସମ୍ପାଦକ ଦେବୀ ପ୍ରସାଦ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବୈଠକରେ ୩୦ଟି ଜିଲ୍ଲାର ୨ଶହରୁ ଉଦ୍ଧ୍ୱର୍ ରାଜସ୍ୱ ବିଭାଗର ଅମିନ ଯୋଗ ଦେଇଥିଲେ । ଏଥିରେ ୪ଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଗ୍ରେଡ୍ ପେ ୧୮ଶହରୁ ୨୮ଶହ କରିବା, ଅମିନଙ୍କ ସପକ୍ଷରେ ଏଲ୍ଆର୍ଏମ୍ଏସ୍ ଓ ଭୂନ୍କ୍ସା ଆଇଡି ପ୍ରଦାନ କରିବା, ସରକାରୀ ଅମିନଙ୍କ ନାମ ପରିବର୍ତନ କରି ଭୂ ନିରୀକ୍ଷକ ରଖିବା, ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ ବୃଦ୍ଧି କରିବା ।

ସଂଗଠନର ସଭାପତି ଶ୍ରୀ ଦାସ କହିଛନ୍ତି ଏହି ଦାବିଗୁଡ଼ିକ ସହ ପଦୋନ୍ନତି, ଜବ୍ ଚାର୍ଟ ପ୍ରକାଶ ଆଦି ନେଇ ପୂର୍ବେ ଅନେକ ଥର ରାଜସ୍ୱ ବିଭାଗର ସଚିବ ଓ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ଆଲୋଚନାରେ ଦାବି ପୂରଣର ପ୍ରତିଶ୍ରୁତି ମଧ୍ୟ ମିଳିଥିଲା, କିନ୍ତୁ କୌଣସି ପ୍ରତିଶ୍ରୁତି ପାଳନ ହୋଇନାହିଁ । ଏହାର ପ୍ରତିବାଦ କାର୍ଯ୍ୟକ୍ରମରେ, ଡିସେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ଅମିତ କାର୍ଯ୍ୟରେ ଯୋଗଦେବେ ଅଥଚ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇବେ । ଏହାସତ୍ୱେ ସେମାନଙ୍କ ଦାବି ପୂରଣ ନହୁଏ ତେବେ ୧୧ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରାଲିର ଆୟୋଜନ କରିବେ ।

ସମ୍ବନ୍ଧିତ ଖବର