କଟକ : ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିଷଦର ସଦସ୍ୟ ମାନସ ଚାନ୍ଦ ଓ ଆତ୍ମା ପ୍ରକାଶ ମହାନ୍ତିଙ୍କ ପକ୍ଷରୁ ଦାୟର ଆବେଦନର ଏକତ୍ର ଶୁଣାଣି କରି ଜାନୁଆରି ୨୧ରେ ଅନୁଷ୍ଠିତ ହେବାକୁ ଥିବା ଅଧ୍ୟକ୍ଷ ନିର୍ବାଚନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହିତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୯ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ପଦରୁ ବରିଷ୍ଠ ଅଇନଜୀବୀ ମାନସ ରଂଜନ ମହାପାତ୍ର ୨୦୧୭, ଜୁଲାଇ ୭ରେ ଇସ୍ତଫା ଦେଇଥିଲେ। ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଥିବା ବେଳେ ଖାଲି ହୋଇଥିବା ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବା ଲାଗି ଆଡଭୋକେଟ ଜେନେରାଲଙ୍କୁ ଅନୁରୋଧ କରାଯାଇଥିଲା। ଏହା ପରେ ବିଭିନ୍ନ ସମୟରେ ଆଡଭୋକେଟ୍‌ ଜେନେରାଲ ଅଧ୍ୟକ୍ଷ ନିର୍ବାଚନ ପାଇଁ ଚାରି ଥର ଚେଷ୍ଟା କରିଥିଲେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇ ପାରି ନଥିଲା ବୋଲି ଶ୍ରୀ ଚାନ୍ଦ ତାଙ୍କ ଆବେଦନରେ ଦର୍ଶାଇଥିଲେ। ଜାନୁଆରି ୨୧ରେ ଅଧ୍ୟକ୍ଷ ପଦ ପୂରଣ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିକଟରେ ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ନିର୍ବାଚନରେ ବିଶୃଙ୍ଖଳା ଓ ଅନିୟମିତତା ହେବାର ସମ୍ଭାବନା ରହିଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ସିସି ଟିଭି ଦ୍ୱାରା ରେକର୍ଡିଂ କରିବା ଆବଶ୍ୟକ ବୋଲି ଶ୍ରୀ ଚାନ୍ଦ ଦର୍ଶାଇଥିଲେ।

ଏଥି ସହିିତ ନିର୍ବାଚନ ଲାଗି ହାଇକୋର୍ଟଙ୍କ ପକ୍ଷରୁ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଉ ଓ ଗୋପନ ବାଲଟ ମାଧ୍ୟମରେ ଅଧ୍ୟକ୍ଷ ପଦ ପାଇଁ ମତ ଦାନ କରାଯାଉ ବୋଲି ଶ୍ରୀ ଚନ୍ଦ ଦର୍ଶାଇଛନ୍ତି। ମାମଲାରେ ପରିଷଦର ଅନ୍ୟ ୨୪ ଜଣ ସଦସ୍ୟ, ଆଡଭୋକେଟ ଜେନେରାଲ, ଗୃହ ସଚିବ ଓ ପରିଷଦର ସଂପାଦକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ପଦ ପୂରଣ ପାଇଁ ନିର୍ବାଚନ ପରିଚାଳନା କରିବାର କ୍ଷମତା ଆଡଭୋକେଟ ଜେନେରାଲଙ୍କର ନାହିଁ ଦର୍ଶାଇ ଆତ୍ମା ପ୍ରକାଶ ମହାନ୍ତି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଆଜି ଉଭୟ ମାମଲାର ଏକତ୍ର ଶୁଣାଣି ହୋଇଥିଲା। ତେବେ ଆବେଦନକାରୀ ଶ୍ରୀ ଚନ୍ଦାଙ୍କ ପକ୍ଷରୁ ବରିଷ୍ଠ ଜଗନ୍ନାଥ ପଟ୍ଟନାୟକ ଓ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିବା ବେଳେ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ ଓ ତ୍ରିଲୋଚନ ଦାଶ ତାଙ୍କୁ ସହାୟତା କରୁଥିଲେ।