ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଅନୁଷ୍ଠିତ : ଅଧ୍ୟକ୍ଷ ପାଇଁ ୨ପ୍ରାର୍ଥୀ, ପରବର୍ତ୍ତୀ ଶୁଣାଣି ପରେ ଭୋଟ ଗଣତି

କଟକ : ରାଜ୍ୟ ଆଇନ୍‌ଜୀବୀ ପରିଷଦ ଅଧ୍ୟକ୍ଷ ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିପାଇଁ ଉପାଧ୍ୟକ୍ଷ ଦେବଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ ଆଇନ୍‌ଜୀବୀ ଟହଲି ଚରଣ ମହାନ୍ତି ଓ ଆଇନଜୀବୀ ଚିନ୍ମୟ ମହାନ୍ତି ନାମାଙ୍କନ ଦାଖଲ କରିଥିଲେ। ପରେ ନିର୍ବାଚନ ପାଇଁ ଏହି ଦୁଇ ପ୍ରାର୍ଥୀଙ୍କ ସମେତ ସମସ୍ତ ୨୫ଜଣ ପରିଷଦ ସଦସ୍ୟ ଭୋଟ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମତଦାନ ପରେ ବାଲଟ ବକ୍ସକୁ ସିଲ୍‌ କରାଯାଇ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ ନିକଟରେ ଦାଖଲ କରାଯାଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ ଭୋଟ ଗଣତି କରାଯିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ହାଇକୋର୍ଟରେ ଆସନ୍ତା ଜୁଲାଇ ୪ ତାରିଖରେ ହେବା ପାଇଁ ସମୟ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟ ଆଇନଜୀବୀ ପରିଷଦ ପଦରୁ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର ଇସ୍ତଫା ଦେବା ପରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ତେବେ ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦ ପୂରଣ ନେଇ ପରିଷଦର ସଦସ୍ୟ ମାନସ ଚାନ୍ଦ ଓ ଆତ୍ମାପ୍ରକାଶ ମହାନ୍ତି ହାଇକୋର୍ଟରେ ଦୁଇଟି ପୃଥକ୍‌ ମାମଲା ରୁଜୁ କରିଥିଲେ। ଏପ୍ରିଲ ୩୦ ତାରିଖରେ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟ, ପରିଷଦର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଦୁଇ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିୟମିତ ପ୍ରକ୍ରିୟାରେ ଅଧ୍ୟକ୍ଷ ପଦ ପୂରଣ ପର୍ଯ୍ୟନ୍ତ ବରିଷ୍ଠ ସଦସ୍ୟ ଚିନ୍ମୟ ମହାନ୍ତି ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର