ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନୂଆ ଟିମ୍ ଘୋଷଣା ହୋଇଛି। ୧୦ଜଣ ଉପ-ସଭାପତି, ୫ଜଣ ସାଧାରଣ ସଂପାଦକ, ୧୦ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କୁ ମିଶାଇ ଏହି ତାଲିକାରେ ୩୫ଜଣ ସ୍ଥାନ ପାଇଛନ୍ତି। ଏହାସହ ବିଭିନ୍ନ ମୋର୍ଚ୍ଚାର ନୂଆ ସଭାପତିଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ବିଜେପିର କେନ୍ଦ୍ରୀୟ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଘୋଷଣା ହୋଇଥିବା ରାଜ୍ୟ ବିଜେପିର ନୂଆ ଟିମ୍ରେ କିଛି ପ୍ରମୁଖ ନେତାଙ୍କୁ ବାଦ୍ ଦିଆଯାଇଛି। ଏହା ସତ୍ତ୍ବେ ଅଧିକାଂଶ ହେଉଛନ୍ତି ପୁରୁଣା ମୁହଁ। ତେବେ ଜିଲ୍ଲା ସଭାପତିମାନଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଦଳର ମୁଖପାତ୍ରମାନେ ବଦଳିବେ ହେବେ ନା ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ ତାହା ସଂପର୍କରେ ମଧ୍ୟ ଦଳ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ତାଲିକାରୁ ବାଦ୍ ପଡ଼ିଥିବା ପ୍ରମୁଖ ନେତାଙ୍କୁ ଜାତୀୟ କମିଟିରେ ସ୍ଥାନ ମିଳିପାରେ ବୋଲି ଗୋଟିଏ ମହଲ ଚର୍ଚ୍ଚା କରୁଛନ୍ତି।
ପ୍ରକାଶିତ ତାଲିକାରେ ଉପ-ସଭାପତି ଭାବେ ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ସୁକେଶୀ ଓରାମ, ଲେଖାଶ୍ରୀ ସାମନ୍ତସିଂହାର ଓ ବିରଞ୍ଚି ନାରାୟଣ ତ୍ରିପାଠୀ ଅଛନ୍ତି। ରାଜ୍ୟ ସାଧାରଣ ସଂପାଦକ ତାଲିକାରେ ସାରଦା ପ୍ରସାଦ ଶତପଥୀ, ଯତୀନ ମହାନ୍ତି, ପୂର୍ଣ୍ଣିମା କେର୍କେଟା, ସୀମାଞ୍ଚଳ ଖଟେଇ ଓ ମାନସ କୁମାର ମହାନ୍ତିଙ୍କ ନାମ ରହିଛି। ସଂପାଦକ ତାଲିକାରେ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, କୃଷ୍ଣଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର, ପୂର୍ଣ୍ଣିମା ନାୟକ, ଇରାଶୀଷ ଆଚାର୍ଯ୍ୟ ରହିଛନ୍ତି। ସୁଦର୍ଶନ ଗୋଏଲ କୋଷାଧ୍ୟକ୍ଷ ଓ ଦିବାକର ହରିଚନ୍ଦନଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ଦାୟିତ୍ବ ମିଳିଛି। ସେହିପରି ବିଜେପି ଯୁବ ମୋର୍ଚ୍ଚା ସଭାପତି ଭାବେ ଅଭିଳାଷ ପଣ୍ଡାଙ୍କୁ ଦାୟିତ୍ବ ମିଳିଥିବା ବେଳେ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି ଐଶ୍ବର୍ଯ୍ୟା ବିଶ୍ବାଳ। କିଷାନ ମୋର୍ଟ୍ଟା ସଭାପତି ଭାବେ ମହେଶ୍ବର ସାହୁଙ୍କୁ ନିଯୁକ୍ତି ମିଳିଛି। ଏସ୍ଟି ମୋର୍ଚ୍ଚା ସଭାପତି ଭାବେ ନିତ୍ୟାନନ୍ଦ ଗଣ୍ଡ, ଏସ୍ସି ମୋର୍ଚ୍ଚା ସଭାପତି ଭାବେ ବିଭୁପ୍ରସାଦ ତରାଇ ଓ ଓବିସି ମୋର୍ଚ୍ଚା ସଭାପତି ଭାବେ ସୁରଥ ବିଶ୍ବାଳଙ୍କୁ ନୂଆ ଦାୟିତ୍ବ ମିଳିଛି।
ମନମୋହନଙ୍କ ନୂଆ ଟିମ୍ରୁ ବାଦ ପଡିଛନ୍ତି ସାଧାରଣ ସମ୍ପାଦକ ଥିବା ପୃଥ୍ୱୀରାଜ ହରିଚନ୍ଦନ, ଉପ-ସଭାପତି ଥିବା ଭୃଗୁ ବକ୍ସିପାତ୍ର, ଉପ-ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଉପ-ସଭାନେତ୍ରୀ ସଂଗୀତା ସିଂହଦେଓ, ଉପ-ସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ଉପ-ସଭାପତି ବଳଭଦ୍ର ମାଝି, ଉପ-ସଭାପତି ଭାସ୍କର ମଢ଼େଇ, ସମ୍ପାଦକ କାଳନ୍ଦୀ ସାମଲ, ପିଙ୍କି ପ୍ରଧାନ ଓ ଶର୍ମିଷ୍ଠା ମେହେର। କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ମଧ୍ୟ ବାଦ୍ ଦିଆଯାଇଛି। ଇରାଶିଷ ଆଚାର୍ଯ୍ୟଙ୍କୁ ଯୁବ ମୋର୍ଚ୍ଚା ସଭାପତି ପଦରୁ ପରିବର୍ତ୍ତନ କରି ରାଜ୍ୟ ସମ୍ପାଦକ ଦାୟିତ୍ୱ ମିଳିଛି। ଉଲ୍ଲେଖ ଯେ ମାର୍ଚ୍ଚ ୨୩ ତାରିଖରେ ମନମୋହନ ସାମଲଙ୍କୁ ବିଜେପି ରାଜ୍ୟ ସଭାପତି ଦାୟିତ୍ବ ଦିଆଗଲା। ଶ୍ରୀ ସାମଲ ତାଙ୍କ ନୂଆ କମିଟିର କର୍ମକର୍ତ୍ତା ଚୟନ କରିବାକୁ ୪ମାସରୁ ଅଧିକ ସମୟ ନେଇଗଲେ। ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଟିମ୍ରୁ ଅଧିକାଂଶ କର୍ମକର୍ତ୍ତା ବାଦ୍ ପଡ଼ିବେ ବୋଲି ବିଜେପିର ଗୋଟିଏ ଗୋଷ୍ଠୀ ଚର୍ଚ୍ଚା କରୁଥିଲେ। କିନ୍ତୁ ନୂଆ ତାଲିକାରେ ସେପରି କିଛି ବଡ଼ ଧରଣର ପରିବର୍ତ୍ତନର ଆଭାସ ମିଳିନାହିଁ। ନିର୍ବାଚନ ଆଉ କମ୍ ସମୟ ଥିବା ବେଳେ କେବେ ଜିଲ୍ଲା ସଭାପତି ଓ ଜିଲ୍ଲା କମିଟି ଘୋଷଣା ହେବ ତାହା ଉପରେ ଦଳୀୟ ନେତାଙ୍କ ନଜର ରହିଛି।