ନୂଆ ବିଧାୟକଙ୍କ ଉଠବସ ଫର୍ମୁଲା, ଅଡୁଆରେ ରାଜ୍ୟ ବିଜେପି

ଭୁବନେଶ୍ୱର: ଜଣେ ବିଜେଡି ବିଧାୟକ ସରୋଜ ମେହେର, ଅନ୍ୟ ଜଣେ ବିଜେପି ବିଧାୟିକା କୁସୁମ ଟେଟେ | ସରୋଜ ମେହେର ଉଠବସ ଫର୍ମୁଲାକୁ କାମରେ କରି ଦେଖାଇଦେଇଥିବାବେଳେ କୁସୁମ ଏହା କରିବାକୁ ଧମକ ଦେଇଛନ୍ତି | ପାଟଣାଗଡରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଇବା ଘଟଣାର ସମାଧାନ ହୋଇନଥିବାବେଳେ ସୁନ୍ଦରଗଡ ବିଧାୟିକାଙ୍କ ଉଠବସ ଧମକ ଦେବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି | କାରଣ ଦୁଇ ଜଣ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ନିଜର ଦବଙ୍ଗଗିରି ପ୍ରଥମରୁ ଦେଖାଇବା ଆରମ୍ଭ କରିଦେଲେଣି |

ସରୋଜ ମେହେରଙ୍କ ନାମରେ କନିଷ୍ଠଯନ୍ତ୍ରୀଙ୍କ ପତ୍ନୀ ଏତଲା ଦେଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ହୋଇନାହିଁ | ଯାହାକୁ ନେଇ କୁସୁମଙ୍କ ସାହସ ବଢିଥିବା ଚର୍ଚ୍ଚା ସୃଷ୍ଟି ହେଉଛି | ବଡ କଥା ସରୋଜଙ୍କ ଏଭଳି ଆଚରଣକୁ ନେଇ ବିଧାୟକଙ୍କୁ ଗିରଫ କରିବାକୁ ବିଜେପି ସାଧାରଣ ସମ୍ପାଦକ ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର ଦାବି କରିଥିଲେ | କିନ୍ତୁ ନିଜ ଦଳର ବିଧାୟିକା ଏଭଳି କରିବାକୁ ଧମକ ଦେଇଥିବାବେଳେ ରାଜ୍ୟ ବିଜେପି କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ଏବେ ନଜର |

ଏଠାରେ ସୂଚନା ଥାଉ କି ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ଅଭିଯୋଗରେ ବିଧାୟକ ସରୋଜ ମେହେର ଦବଙ୍ଗଗିରି ଦେଖାଇଥିଲେ। ବେଲପଡ଼ା ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଧାୟକ ଅଡୁଆରେ ପଡ଼ିଥିଲେ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଶ୍ରୀମତୀ ଟେଟେ ତାଙ୍କ କଥା ନ ମାନିଲେ ସରକାରୀ କର୍ମଚାରୀମାନଙ୍କୁ ସେ ଉଠ୍‌ବସ୍‌ କରାଇବେ ବୋଲି ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର