ଭୁବନେଶ୍ବର : କିଏ ପିନ୍ଧିବ ରାଜ୍ୟ ବିଜେପି ମୁକୁଟ? ଏଭଳି ଏକ ପ୍ରଶ୍ନ ଉପରେ ରାଜ୍ୟ ବିଜେପି ଶିବିରରେ ଘଣ୍ଟାଚକଟା ଚାଲିଛି। ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହୋଇଥିବା କାରଣରୁ ରାଜନୈତିକ ମହଲ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଔପଚାରିକତା ଭିତ୍ତିରେ କେବଳ ନିର୍ବାଚନ ହେବ। କେନ୍ଦ୍ରରୁ ଯେଉଁ ନାମ ଉପରେ ସଙ୍କେତ ମିଳିବ, ତା ଉପରେ କେନ୍ଦ୍ରୀୟ ନେତାମାନେ ରାଜ୍ୟ ବିଜେପି ନେତାଙ୍କ ଭିତରେ ସହମତି ଆଣିବେ।
ବିଜେପି ଶିବିରର ଭିନ୍ନ ଭିନ୍ନ ମହଲରେ ୪ ଜଣଙ୍କ ନାମ ଉପରେ ଚର୍ଚ୍ଚା ଚାଲିଛି। ଗୋଟିଏ ଶିବିର ସମୀର ମହାନ୍ତିଙ୍କୁ ଆଗରେ ରଖିଥିବା ବେଳେ ଆଉ ଗୋଟିଏ ଶିବିର ପୃଥ୍ବୀରାଜ ହରିଚନ୍ଦନଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ତେବେ କେନ୍ଦ୍ରୀୟ ଲବିରେ ପୂର୍ବତନ ମନ୍ତ୍ରୀ କନକ ବର୍ଧନ ସିଂହଦେଓଙ୍କ ନାମ ଚାଲିଆସିପାରେ େବାଲି ବି କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ଏହା ଭିତରେ ଗୋଟିଏ ମତ ଭାସି ଆସୁଛି ଯେ ସଂପ୍ରତି ନିର୍ବାଚନ ନଥିବା କାରଣରୁ କେନ୍ଦ୍ରୀୟ ନେତୃତ୍ବ ବର୍ତମାନ ପାଇଁ କୌଣସି ନିଷ୍ପତ୍ତି ଲଦି ବିବାଦ ଉସୁକାଇବା ପରିବର୍ତେ ସାଂସଦ ବସନ୍ତ ପଣ୍ଡାଙ୍କୁ ଆଉଥରେ ସୁଯୋଗ ଦେବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।
ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ୧୭ ତାରିଖ ଦିନ ସଭାପତି ନିର୍ବାଚନ ହେବ। ଆସନ୍ତାକାଲି ଅପରାହ୍ନ ୩ଟା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ହେବା ପରେ ଯାଞ୍ଚ ହେବ। ଆବଶ୍ୟକ ପଡିଲେ ୧୭ ତାରିଖରେ ନିର୍ବାଚନ ରାଜ୍ୟ କାର୍ଯ୍ୟାଳୟରେ ହେବ ଓ ଅପରାହ୍ନ ସାଢେ ଗୋଟାଏରେ ଭୋଟଗଣତି ପରେ ନାମ େଘାଷଣା କରାଯିବ। କେନ୍ଦ୍ର ନିର୍ବାଚନରୁ ଆସିଥିବା ପର୍ଯ୍ୟବେକ୍ଷକ ଏହି ନାମ େଘାଷଣା କରିବେ ଓ ନୂଆ ସଭାପତିଙ୍କୁ ସମ୍ବର୍ଧିତ କରିବେ ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ କହିଛନ୍ତି।
ବିଜେପି କହିଛି ଯେ ଏହି ନିର୍ବାଚନ ସହ ୨୧ଟି ଲୋକସେବା କ୍ଷେତ୍ରରୁ ନିର୍ବାଚିତ ୨୧ ଜଣ ରାଷ୍ଟ୍ରୀୟ ପରିଷଦ ସଭ୍ୟ ନିର୍ବାଚନ ବି ଅନୁଷ୍ଠିତ ହେବ। ଏମାନେ ସଭାପତି ନିର୍ବାଚନରେ ଅଂଶଗ୍ରହଣ କରିବେ। ଏହି ଅବସରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ସାଂସଦ ରାଜୀବ ପ୍ରତାପ ରୁଢୀ,ଓଡ଼ିଶା ଦାୟିତ୍ବରେ ଥିବା ସୌଦାନ ସିଂହ, ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିବେ।