ସୀମାନ୍ତ ଗୁଡ଼ିଖଳାରେ ରାଜ୍ୟ ବ‌ିଜେପି ଟିମ୍‌, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

 

ପାତ୍ରପୁର : ରାତି ପାହିଲେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ। ଏହାର ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକର ଗୁଡ଼ିଖଳା ଗାଁ ଯାଇ ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ଦୁଇ ରାଜ୍ୟ ମଧ୍ୟରେ କିଭିଳି ସୀମା ନିର୍ଦ୍ଧାରଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଗଞ୍ଜାମ ଜିଲ୍ଲା ପିଲା ଆନ୍ଧ୍ର ସ୍କୁଲ ମୁହାଁ ହେଉଥିବାରୁ ତାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷବ୍ୟକ୍ତ କରିଛି ବିଜେପି।
ବିଜେପିର ୧୦ ଜଣିଆ ପ୍ରତିନିଧି ଦଳ ଗଞ୍ଜାମର ବିବାଦୀୟ ଗ୍ରାମ ଗୁଡ଼ିଖଳା ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପାତ୍ରପୁର ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ପାତ୍ରପୁର ବ୍ଲକ୍‌ ସୀମାନ୍ତ ଅଞ୍ଚଳ ବାସିନ୍ଦା ମୌଳିକ ସୁବିଧାରୁ ବଞ୍ଚିତ। ଆନ୍ଧ୍ର ସରକାରଙ୍କ ଦ୍ବାରା ଗଞ୍ଜାମର ଏହି ସୀମାନ୍ତ ଗ୍ରାମ ଗୁଡିକରେ ପକ୍କା ରାସ୍ତା, ବିଦ୍ୟୁତ ସେବା, ପାନୀୟ ଜଳ, ରାସନ କାର୍ଡ଼ ବାର୍ଦ୍ଧକ୍ୟ ଭତ୍ତା ଓ ସ୍ବାସ୍ଥ୍ୟ ସେବା ଆଦି ଯୋଗାଇ ଦିଆଯଉଛି। କିନ୍ତୁ ଉକ୍ତ ଗ୍ରାମବାସୀ ଓଡ଼ିଶା ସରକାରଙ୍କ ପକ୍ଷରୁ ରାସନକାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା, ପକ୍କା ଘର ସୁବିଧା ପାଉଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା ଉକ୍ତ ଗ୍ରାମର କେହି ଯଦି ୧୦୨ କିମ୍ବା ୧୦୮କୁ କଲ୍ କରୁଛନ୍ତି ତେବେ ତାହା ଆନ୍ଧ୍ର ସରକାରଙ୍କ ସେବା ସହିତ ସଂଯୋଗ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଥିବା ବିଜେପି ପ୍ରତିନିଧି ଦଳ କହିଛନ୍ତି। ତୃଣମୂଳ ସ୍ତରରେ ବିଫଳତା, ପ୍ରଶାସନର ଉଦାସୀନତା, ଜନପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ, ସରକାରୀ କର୍ମଚାରୀଙ୍କ ସେବା ଯୋଗାଇବାରେ ଅବହେଳା ଯୋଗୁଁ ଲୋକେ ଆନ୍ଧ୍ର ଉପରେ ଭରସା କରୁଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବା ସତ୍ତ୍ବେ ସୀମାନ୍ତ ଗ୍ରାମ ଗୁଡ଼ିକରେ ବିକାଶ ଅପହଞ୍ଚ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ଏକ  ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ପ୍ରବକ୍ତା ବିର‌ଞ୍ଚି ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା, ଜିଲ୍ଲା ଉପସଭାପତି ୱାଇ.ମୋହନ ରାଓ ପ୍ରମୁଖଙ୍କ ସହ ନଗ୍‌ମା, ଧନୁ ଶବର, ତ୍ରିନାଥ ମିଶ୍ର, ରଞ୍ଜନ ପ୍ରଧାନ, ଏମ୍. ବାଲରାଜୁ, ସମୀର ଯାଦବ୍‌, କିରଣ ଅଧିକାରୀ, ଲବ ନାୟକ, ଶିବାନନ୍ଦ ବେଜଙ୍କ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର