ଭୁବନେଶ୍ୱର : ହନୁମାନ ଜୟନ୍ତୀ ପାଳନ ଅବସରରେ ଗତ ଏପ୍ରିଲ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଘଟିଥିବା ହିଂସା ଏବଂ ଗଣ୍ଡଗୋଳ ଘଟଣାରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ। ଏହି ଘଟଣାର ଏନ୍ଆଇଏ ତଦନ୍ତ ଦାବି କରି ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ୬ଜଣ ବିଧାୟକ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି।
ବିଜେପି ନେତାମାନେ ଲେଖିଛନ୍ତି ଯେ, ହନୁମାନ ଜୟନ୍ତୀରେ ହିଂସା ଆଶଙ୍କା କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଏପ୍ରିଲ ୫ରେ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ହେଲେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଏବଂ ଯାତ୍ରାର ପୂର୍ବ ଦିନ ଗଣ୍ଡଗୋଳ ଘଟିବାର ଆଶଙ୍କାକୁ ଜାଣିନପାରିବା ରାଜ୍ୟ ସରକାରଙ୍କ ଦୁର୍ବଳ ଗୁଇନ୍ଦା ବ୍ୟବସ୍ଥାକୁ ପଦାରେ ପକାଇଛି। ଯେଉଁଥିପାଇଁ ଜଣେ ଯୁବକଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଛନ୍ତି। କିନ୍ତୁ ଆଇନଶୃଙ୍ଖଳା ନାଁରେ ବର୍ତମାନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି। ସମଗ୍ର ଜିଲ୍ଲାରେ ଇଣ୍ଟରନେଟ ସେବା ଉପରେ ରୋକ୍ ଲଗାଯାଇଛି। ଯାହାକି ଜିଲ୍ଲାବାସୀଙ୍କୁ ହନ୍ତସନ୍ତ କରୁଛି।
ପୂର୍ବ ବର୍ଷ ହନୁମାନ ଜୟନ୍ତୀ ପାଳନ ଅବସରରେ ଶୋଭାଯାତ୍ରା ଉପରକୁ ସେହି ସମାନ ସ୍ଥାନରେ ଆକ୍ରମଣ କରାଯାଇଥିଲା। ଏପରିକି ଏହି ଗଣ୍ଡଗୋଳ ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ଥିଲା ବୋଲି ପୁଲିସ ମଧ୍ୟ ସ୍ବୀକାର କରିଛି। ଗଣ୍ଡଗୋଳ କରିଥିବା ଲୋକମାନେ ଦେଶ ବିରୋଧୀ ନାରା ଦେଇଥିଲେ ବି ସେମାନଙ୍କ ବିରୋଧରେ ୟୁଏପିଏ ଓ ଏନ୍ଏସ୍ଏ ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଏହି ସମ୍ବେଦନଶୀଳ ଘଟଣାର ଭିଡ଼ିଓ ପୁଲିସ ପାଖରେ ଥିଲେ ବି ଏପର୍ଯ୍ୟନ୍ତ କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି। ବରଂ ନିରୀହ ଲୋକଙ୍କୁ ଗିରଫ କରାଯାଉଛି। ଶାନ୍ତପ୍ରିୟ ସମ୍ବଲପୁରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ଆଚରଣ ଓ ବ୍ୟବହାର ରାଜ୍ୟବାସୀଙ୍କୁ ଆଚମ୍ବିତ କରିଛି। ବର୍ତମାନ ସୁଦ୍ଧା ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ କରାନଯିବା ଆଶ୍ଚର୍ଯ୍ୟ କରିଛି। ରାଜନୈତିକ ସ୍ୱାର୍ଥ ହାସଲ ପରିପ୍ରେକ୍ଷୀରେ ମୁଖ୍ୟ ଷଡଯନ୍ତ୍ରକାରୀକୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେଉଛନ୍ତି। ତେଣୁ ଏହି ଘଟଣାର ଏନ୍ଆଇଏ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବିଜେପି ନେତାମାନେ କହିଛନ୍ତି।
ଏହି ଚିଠିରେ ବିେଜପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ନାଉରୀ ନାଏକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କେ.ନାରାୟଣ ରାଓ, ବୁଧାନ ମୁର୍ମୁ, ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ସ୍ୱାକ୍ଷର କରିଛନ୍ତି।