ଭୁବନେଶ୍ବର : ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଡିସେମ୍ବର ୯ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଓଡ଼ିଶାରୁ ବିଭିନ୍ନ ଜିଲ୍ଲାର ପ୍ରକାଶକମାନଙ୍କ ସହ ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ପଡ଼ୋଶୀ ଦେଶ ନେପାଳରୁ ପ୍ରକାଶକମାନେ ଯୋଗ ଦେବେ। ଏହା ସହ ଓଡ଼ିଶାର ପ୍ରମୁଖ ବିଶ୍ବବିଦ୍ୟାଳୟ ଓ ବହୁ ଶିକ୍ଷାନୁଷ୍ଠାନ ଏଥିରେ ଯୋଗ ଦେବେ। ମେଳାରେ ୬୦୦ଟି ଷ୍ଟଲ ନିର୍ମିତ ହୋଇଛି।
ଦୁଇ ବର୍ଷ ପରେ ଏହି ମେଳା ଆୟୋଜନ ହେଉଥିବାରୁ ପାଠକ ଓ ଲେଖକଙ୍କ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ମେଳା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ, ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଚାଟାର୍ଜୀ, ଓଡ଼ିଶା ସାହିତ୍ୟ ଏକାଡେମିର ସମ୍ପାଦକ ପ୍ରବୋଧ ରାଉତ ଓ ରାଜଧାନୀ ପୁସ୍ତକ ମେଳା ସଭାପତି ତଥା ଆୟୋଜକ କମିଟି ଅଧ୍ୟକ୍ଷ ଉପେନ୍ଦ୍ର ଜେନା ଉପସ୍ଥିତ ଥିଲେ। ଚଳିତବର୍ଷ ପୁସ୍ତକ ମେଳାକୁ ଦର୍ଶକମାନେ ଅନ୍ଲାଇନ୍ରେ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।