ରାଜ୍ୟର ସୀମା ଜଗିବା ଦୁଃସାଧ୍ୟ, ପଞ୍ଚାୟତମାନେ ଚାହିଁଲେ ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରିପା‌ରିବେ ଓ କରୋନାରୁ ବଞ୍ଚାଇ ପାରିବେ : ବାଗଚୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟର ସୀମା ଜଗିବା ଦୁଃସାଧ୍ୟ କାମ । ଓଡ଼ିଶାର ସୀମାକୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଲାଗିଛି । ପଡୋଶୀ ରାଜ୍ୟ ସହ ଲାଗିଥିବା ଓଡ଼ିଶାର ସୀମା ହେଉଛି ମୋଟ ୩ ହଜାର ୫୬୩ କିଲୋମିଟର । ଏହି ସୀମା ମଧ୍ୟରେ ଘନ ଜଙ୍ଗଲ ଓ ସମୁଦ୍ର ମଧ୍ୟ ରହିଛି । ତେଣୁ ସୁଦୀର୍ଘ ସୀମା ଜଗିବା ସହଜ ନୁହେଁ । ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ବାଗଚୀ କହିଛନ୍ତି, ଓଡ଼ିଶାର ସୀମାକୁ ପଞ୍ଚାୟତବାସୀ ହିଁ ଜଗିପାରିବେ । କାରଣ ପଞ୍ଚାୟତର ଗାଁଗୁଡ଼ିକ ଅନ୍ୟ ରାଜ୍ୟର ସୀମାଗୁଡ଼ିକ ଲାଗି ରହିଛି । ସ୍ଥାନୀୟ ନାଗରିକମାନେ ନିକଟସ୍ଥ ଗାଁର ଲୋକଙ୍କୁ ଭଲ ଭାବରେ ଜାଣିଛନ୍ତି । ସେମାନେ ଚାହିଁଲେ ବାହାର ରାଜ୍ୟ ତଥା ବାହାର ରାଜ୍ୟରୁ ସଂଯୋଗ କରୁଥିବା ରାସ୍ତାରେ ଆସୁଥିବା ଲୋକଙ୍କୁ ନିଜ ଗାଁକୁ ପ୍ରବେଶ ଦେଇ ନ ପାରନ୍ତି । ଏହାଦ୍ବାରା ଅନ୍ୟରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ପାରିବ ଏବଂ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ନେଇ ହେବ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବରୁ ପଞ୍ଚାୟତସ୍ତରରେ ଜନ ସଚେତନତା ସୃଷ୍ଟି କରିଛନ୍ତି । ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୬ ହଜାର ୭୯୮ଟି ପଞ୍ଚାୟତର ସରପଞ୍ଚଙ୍କ ସହିତ ଭିଡିଓ ବାର୍ତ୍ତା ଜରିଆରେ କଥା ହୋଇଛନ୍ତି । କରୋନା ମୁକାବିଲା କିଭଳି କରାଯାଇପାରିବ ସେ ବାବଦରେ କହିଛନ୍ତି

ଶ୍ରୀ ବାଗଚୀ ଆହୁରି କହିଛନ୍ତି ଯେ, ଓଡ଼ିଶାର ସମୀାକୁ ଜଗିବା ପାଇଁ ଆମ ପାଖରେ ଏତେ ସଂଖ୍ୟାରେ ପୁଲିସ  ନାହାନ୍ତି । କିନ୍ତୁ ଅନେକ ଲୋକ ଭାବୁଛନ୍ତି ଯେ, କାହିଁକି ରାଜ୍ୟ ସୀମାକୁ କାହିଁକି ସିଲ କରାଗଲା ନାହିଁ । କିନ୍ତୁ ଓଡ଼ିଶାର ସୀମା ସୁବିସ୍ତୃତ । ପଶ୍ଚିମବଙ୍ଗକୁ ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲା ଲାଗିଛି । ଏହି ସୀମା ପ୍ରାୟ ୨୦୦ କିଲୋମିଟର, ଝାଡ଼ଖଣ୍ଡ ସୀମାକୁ ମୟୂରଭଂଜ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲା ଲାଗିଛି । ଏହା ମୋଟ ୫୯୧ କିଲୋମିଟର ହେବ । ଛତିଶଗଡ଼ ସୀମାକୁ ରାଜ୍ୟର ୮ଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଲାଗିଛି । ଏହାର ଦୂରତା ୧୨୨୬ କିଲୋମିଟର । ଆନ୍ଧ୍ରପ୍ରଦେଶ ସୀମାକୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଲାଗିଛି । ଏହାର ସୀମା ୧ ହଜାର ୨୪ କିଲୋମିଟର । ସମୁଦ୍ରକୂଳରେ ଓଡ଼ିଶାର ସୀମା ରହିଛି ୫୨୨ କିଲୋମିଟର । ତେଣୁ ଏହାକୁ ପୁଲିସ କିମ୍ବା ଆରକ୍ଷୀ ବାହିନୀ ଅଟକାଇ ପାରିବ ନାହିଁ । ତେଣୁ ଏପରି ସମୟରେ ଆମକୁ ବର୍ତ୍ତିବାକୁ ହେଲେ ରାଜ୍ୟର ୬ ହଜାର ୭୯୮ଟି ପଞ୍ଚାୟତକୁ ସତର୍କ ରହିବାକୁ ହେବ ବୋଲି ଶ୍ରୀ ବାଗଚୀ କହିଛନ୍ତି ।

ସମ୍ବନ୍ଧିତ ଖବର