ଏଥର ଲୋଭନୀୟ ବଜେଟ୍‌!

୧.୨ ଲକ୍ଷ କୋଟି ଛୁଇଁପାରେ
ଚାଷୀ, ଜଳସେଚନ, ଗୃହ ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ
ମାର୍ଚ୍ଚ ୨୦ରୁ ବିଧାନସଭା, ୩୧ରେ ମାସେ ପାଇଁ ବଜେଟ୍‌ ଅନୁମୋଦନ

ଭୁବନେଶ୍ୱର : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଏକ ବଡ଼ ବଜେଟ୍‌ ଉପସ୍ଥାପନ କରିବାକୁୁ ଯାଉଛନ୍ତି। ପ୍ରାରମ୍ଭିକ ଆକଳନ ଅନୁସାରେ, ଏହାର ଆକାର ୧ଲକ୍ଷ ୨୦ ହଜାର କୋଟି ଛୁଇଁପାରେ। ଆଜି ନୂଆଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍‌ର କାର୍ଯ୍ୟକ୍ରମ ଖର୍ଚ୍ଚକୁ ଅନୁମୋଦନ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହାର ଆକାର ପାଖାପାଖି ୬୫ ହଜାର କୋଟିରୁ ଅଧିକ। ବଜେଟ୍‌ରେ ରାଜ୍ୟ ସରକାର ମୁଖ୍ୟତଃ ଗ୍ରାମାଞ୍ଚଳର ବିକାଶ, ଗୃହନିର୍ମାଣ, ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଜଳସେଚନକୁ ଗୁରୁତ୍ୱ ଦେବାକୁ ମନସ୍ଥିର କରିଛନ୍ତି। ଏହାବ୍ୟତୀତ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ମିଳିବ।

ଅନ୍ୟପକ୍ଷରେ ସାଧାରଣ ବଜେଟ୍‌ ଅନୁମୋଦନ କରିବା ଲାଗି ଆବଶ୍ୟକ ସମୟ ଆଉ ନଥିବାରୁ ରାଜ୍ୟ ସରକାର ୨୦୧୬-୧୭ ଆର୍ଥିକ ବର୍ଷ ଢାଞ୍ଚାରେ ଏଥର ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ। ଅର୍ଥାତ୍‌ ସମ୍ପୂର୍ଣ୍ଣ ବଜେଟ୍‌ ଉପସ୍ଥାପନ ହେବ। କିନ୍ତୁ ମାର୍ଚ୍ଚ ୩୧ ତାରିଖରେ ବିଧାନସଭା ମାତ୍ର ୧ମାସର ବ୍ୟୟଭାରକୁ ଅନୁମୋଦନ କରିବେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୦ ତାରିଖରେ ବିଧାନସଭା ଅଧିବେଶନ ବସିବ ଓ ୨୩ ତାରିଖରେ ବଜେଟ୍‌ ଉପସ୍ଥାପନ ହୋଇପାରେ। ଖୁବ୍‌ ଶୀଘ୍ର ଏ ନେଇ ରାଜ୍ୟପାଳଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯିବ।

ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧ଲକ୍ଷ ୬ ହଜାର ୯୧୦ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହାର ଆକାର ପ୍ରାୟ ୧୩.୭ ପ୍ରତିଶତ ଅଧିକ ଥିଲା। ଏହାବ୍ୟତୀତ ଏହି ବର୍ଷ ପାଇଁ ୯୮୨୮ କୋଟି ୫୭ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍‌କୁ ବିଧାନସଭା ଅନୁମୋଦନ ଦେଇଥିଲେ।

ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ହୋଇଥିବା କାରଣରୁ ରାଜ୍ୟ ସରକାର ଏଥିରେ ସବୁ ବର୍ଗକୁ ତୁଷ୍ଟୀକରଣ ପାଇଁ ଯୋଜନା କରୁଛନ୍ତି। ଏମିତିରେ ବି ରାଜ୍ୟର ଟିକସ ହାର ବେଶ୍‌ ଉତ୍ସାହଜନକ ରହିଛି। ଖଣି କ୍ଷେତ୍ରରେ ରାଜସ୍ୱ ପାଖାପାଖି ୩୬% ଅଭିବୃଦ୍ଧି ଘଟିଛି। ସେହିଭଳି ଆଇଓସିଏଲ୍‌ ପ୍ରାପ୍ୟକୁ ବାଦ୍‌ ଦେଇ ବି ବିକ୍ରିକର କ୍ଷେତ୍ରରେ ଟିକସ ଅଭିବୃଦ୍ଧି ହାର ୧୩% ରହିଛି। ଷ୍ଟାମ୍ପ ଡ୍ୟୁଟିକୁ ଛାଡିଦେଲେ ପୂର୍ବବର୍ଷ ତୁଳନାରେ ବିଭିନ୍ନ ଟିକସ କ୍ଷେତ୍ରରେ ପ୍ରାୟ ଉଲ୍ଲେଖନୀୟ ଅର୍ଥରାଶି ମିଳିବ ବୋଲି ସରକାର ହିସାବ କରୁଛନ୍ତି।

ଅନ୍ୟପକ୍ଷରେ ଏଥର ବଜେଟ୍‌ରେ କିଛି ଅନୁଦାନ କ୍ଷେତ୍ରରେ କେନ୍ଦ୍ର ସରକାର ପୂର୍ବାପେକ୍ଷା କମ୍‌ ଅର୍ଥ ଦେବେ। ସେହିଭଳି ଅଳ୍ପ କିଛି ଯୋଜନା ଉପରେ ବି ଅର୍ଥ କାଟ୍‌ ମାଡ଼ ବସିବ। ହେଲେ ଗୃହ ନିର୍ମାଣ ଭଳି କାର୍ଯ୍ୟକ୍ରମରେ ପୂର୍ବାପେକ୍ଷା ଅଧିକ ଅର୍ଥ ମିଳିବ। ରାଜ୍ୟ ସରକାର ମଧ୍ୟ ୨୦୧୯ ସୁଦ୍ଧା ସମସ୍ତଙ୍କୁ ପକ୍‌କା ଘର ସଂପର୍କରେ ଘୋଷଣା କରିଛନ୍ତି। ଏଣୁ ଏ କ୍ଷେତ୍ରରେ ଏକ ବଡ଼ ଅର୍ଥ ବରାଦ କରାଯାଉଛି। ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ସେ ବାବଦରେ ଅର୍ଥ ବରାଦ କରୁଛନ୍ତି ସରକାର। ଚାଷୀଙ୍କୁ ପେନସନ୍‌ ବା ଋଣ ଛାଡ଼ ଭଳି ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। କଳାକାର ଭତ୍ତା ଆଦି ବାବଦରେ ଅର୍ଥ ବରାଦ କରାଯିବ। ଘୋଷଣା ହୋଇଥିବା ଜଳସେଚନ ପ୍ରକଳ୍ପ ପାଇଁ ଅର୍ଥ ଦିଆଯିବା ନେଇ ପ୍ରସ୍ତାବ ରହିଛି। ଏହାବ୍ୟତୀତ ଆଉ କିଛି ନୂଆ ଯୋଜନା ସରକାର ଘୋଷଣା କରିପାରନ୍ତି ବୋଲି ସୂଚନା ମିଳୁଛି। ଏସବୁକୁ ମିଶାଇଲେ ବଜେଟ୍‌ ପ୍ରାୟ ୧ଲକ୍ଷ ୨୦ ହଜାର କୋଟି ଛୁଇଁବଯାଉଛି।

କେନ୍ଦ୍ରୀୟ ଢାଞ୍ଚାରେ ଏଥର ମଧ୍ୟ ସମୁଦାୟ ବଜେଟ୍‌କୁ ପ୍ରଶାସନିକ ଖର୍ଚ୍ଚ, କାର୍ଯ୍ୟକ୍ରମ ଖର୍ଚ୍ଚ, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ଓ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ଏହିଭଳି ମୋଟ ୪ ଭାଗରେ ବିଭକ୍ତ କରାଯାଇ ବଜେଟ୍‌ ପ୍ରସ୍ତୁତ ହୋଇଛି। ଅର୍ଥବିଭାଗର ଅଧିକାରୀମାନେ ଏହା ଉପରେ ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି କାର୍ଯ୍ୟକ୍ରମ ଖର୍ଚ୍ଚ ଅନୁମୋଦନ ପରେ ତୁରନ୍ତ ବିଭାଗମାନଙ୍କୁ ଏ ସଂକ୍ରାନ୍ତରେ ଯୋଜନା ଓ ସଂଯୋଜନ ବିଭାଗ ଜଣାଇ ଦେଇଛି।

ଉଲ୍ଲେଖଥାଉକି, ଆସନ୍ତା ସୋମବାର ବିଧାନସଭାର ବଜେଟ୍‌ ଅଧିବେଶନ ନେଇ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇପାରେ। ମାତ୍ର ଯେଉଁ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି, ସେ ଅନୁସାରେ, ମାର୍ଚ୍ଚ ୨୦ ତାରିଖରେ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ଅଧିକ। ଅଧିବେଶନର ପ୍ରଥମ ଦିବସରେ ରାଜ୍ୟପାଳ ଡ. ଏସ୍‌.ସି. ଜମିର ଅଭିଭାଷଣ ପ୍ରଦାନ କରିବେ। ପରବର୍ତ୍ତୀ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କରାଯିବ। ୨୩ରେ ସମ୍ପୂର୍ଣ୍ଣ ବଜେଟ୍‌ ଉପସ୍ଥାପନ ହେବ ଓ ୨୪, ୨୬ ଓ ୨୭ ତାରିଖରେ ବଜେଟ୍‌ ଉପରେ ସାଧାରଣ ଆଲୋଚନା ହେବ। ସେଥିରେ ୧ମାସ (ଏପ୍ରିଲ) ପାଇଁ ଏକ ସ୍ୱତନ୍ତ୍ର ବ୍ୟୟଭାର ଅନୁମୋଦନ ଲାଗି ୨୮, ୨୯ରେ ଖର୍ଚଦାବି ଆଲୋଚନା ଓ ପାରିତ କରାଯିବ। ୩୧ ତାରିଖରେ ସେହି ଗୋଟିଏ ମାସ ପାଇଁ ବ୍ୟୟମଞ୍ଜୁରି ବିଲ୍‌କୁ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି।

ପୂର୍ଣ୍ଣାଙ୍ଗ ବଜେଟ୍‌ ପାଇଁ ବିଲ୍‌କୁ ଷ୍ଟାଣ୍ଡିଂ କମିଟିକୁ ପଠାଯିବାର ବ୍ୟବସ୍ଥା ରହିଥିବାରୁ ଏପ୍ରିଲ୍‌ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିପାରେ। ୧୬ ତାରିଖରୁ ଅଧିବେଶନର ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ ୧୪ ଦିନ ଧରି ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ଚାଲିବ। ଏପ୍ରିଲ୍‌ ୩୧ ତାରିଖ ବେଳକୁ ବଜେଟ୍‌ ଗୃହୀତ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନର କାର୍ଯ୍ୟକାଳ ମଧ୍ୟରେ ୨ଟି ବେସରକାରୀ ଦିବସ ରହିପାରେ। ଏହି କାର୍ଯ୍ୟସୂଚୀ ଚୂଡ଼ାନ୍ତ ହେଲେ ଆସନ୍ତା ମାର୍ଚ୍ଚ ୩ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇପାରେ।

ସମ୍ବନ୍ଧିତ ଖବର