ରାଜ୍ୟ ବଜେଟ ୨୦୧୯-୨୦ : କୃଷି ପାଇଁ ୨୦,୭୧୪ କୋଟି ଟଙ୍କାର ବ୍ୟୟ ବରାଦ, କାଳିଆ ଯୋଜନା ପାଇଁ ୫୬୧୧ କୋଟି

ଭୁବନେଶ୍ୱର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜି ବିଧାନସଭାରେ ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଦୁଇ ଭାଗରେ ବଜେଟ ଉପସ୍ଥାପନ କରାଯାଇଛି । ପ୍ରଥମେ କୃଷି ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରାଯିବା ପରେ ଅନ୍ୟାନ୍ୟ କ୍ଷେତ୍ର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରାଯାଇଥିଲା । ଏଥର କୃଷି ପାଇଁ ମୋଟ ୨୦,୭୧୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

କୃଷି କ୍ଷେତ୍ରରେ ରାଜ୍ୟ ଗତ ୫ ବର୍ଷ ହେଲା କୃଷି କର୍ମଣ ପୁରସ୍କାର ପାଇଚାଲିଛି । କୃଷି କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ହାସଲ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ସରକାରଙ୍କ ଫ୍ଲାଗସିପ ଯୋଜନା ଭାବେ ପରିଚିତ କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ଏପର୍ଯ୍ୟନ୍ତ ପ୍ରାୟ ୭୫ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କୃଷି ସଂଂଚନ ଯୋଜନାରେ ୨୧୮ କୋଟିର ବ୍ୟୟବରାଦ କରାଯାଇଛି । ଚାଷୀମାନଙ୍କୁ ସାର ଯୋଗାଇବା ପାଇଁ ୧୦୦ କୋଟି ଟଙ୍କାର ଏକ ଆବର୍ତ୍ତି ପାଣ୍ଠି ଗଠନ କରାଯାଇଛି । ସେହିପରି ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ ୬୩୫ କୋଟିର ବ୍ୟୟ ବରାଦ କରାଯାଇଛି । ମତ୍ସ୍ୟଚାଷ ପାଇଁ ପୋଖରୀ ଖୋଳାରେ ୫୦ ପ୍ରତିଶତ ସବସୀଡି ଦିଆଯାଉଛି । ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିମାନ ସୁଧରେ ଯୋଗାଇଦିଆଯିବ ।

ସମ୍ବନ୍ଧିତ ଖବର