ଭୁବନେଶ୍ବର: ଚଳିତ ବର୍ଷ ବଜେଟ୍‌ରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ଲାଗି ୩୫,୫୩୬ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରିଛନ୍ତି। ଗ୍ରାମୀଣ ଓ ଅର୍ଧ ସହରାଞ୍ଚଳର ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲାଗି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମକ ‌ନୂଆ ଯୋଜନା ଘୋଷଣା ହୋଇଛି। ସେଥିପାଇଁ ୫୦ କୋଟି ଟଙ୍କା ଦିଆଯାଇଛି। ସେହିପରି, ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ବିଦ୍ୟାଳୟ ବିକାଶ ପାଇଁ ‘ପଞ୍ଚଶଖା ଶିକ୍ଷା ସେତୁ ଅଭିଯାନ’ ଘୋଷଣା କରାଯାଇଛି। ସେଥିପାଇଁ ୩୩୨ କୋଟି ଟଙ୍କା ଦିଆଯାଇଛି।

Advertisment

ନୂଆ ଯୋଜନା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’
ଡ୍ରପ୍‌ଆଉଟ୍‌ ହାର କମାଇବ ‘ମାଧୋସିଂହ ହାତ ଖର୍ଚ୍ଚ ‌ଯୋଜନା’
ସମଗ୍ର ଶିକ୍ଷାକୁ ୩୭୯୧ କୋଟି
୨୬ ଭାଷା ଗବେଷଣାଗାର ସ୍ଥାପନ ହେବ

ସମଗ୍ର ଶିକ୍ଷା ଲାଗି ରାଜ୍ୟ ସରକାର ବଜେଟ୍‌ରେ ୩୭୯୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ଷ୍ଟାର୍ ଯୋଜନା ପାଇଁ ୭୧୪ କୋଟି ଟଙ୍କା ଦେଇଛନ୍ତି। ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାକୁ ୪୦୯ କୋଟି ଟଙ୍କା ଦିଆଯାଇଛି। ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିବା ପିଏମ୍ ପୋଷଣ ଯୋଜନା ଲାଗି ୯୯୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରି ଅଧାରୁ ପାଠପଠା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ରୋକିବା ପାଇଁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ ହୋଇଛି। ଏଥିରେ ବାର୍ଷିକ ୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ରାଜ୍ୟରେ ପ୍ରଥମ ଥର ପାଇଁ ‘ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା’ କାର୍ଯ୍ୟକାରୀ ହେବ। ସେଥିପାଇଁ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ପାଣ୍ଠି ଦେବ। ରାଜ୍ୟ ଭାଗ ବାବଦକୁ ବଜେଟ୍‌ରେ ୧୫୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ନିର୍ମାଣ ଓ ବିକାଶ ପାଇଁ ୩୨୫ କୋଟି ଟଙ୍କା ଦିଆଯାଇଛି। ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ-ବିଶ୍ବବିଦ୍ୟାଳୟ ଯୋଜନାରେ ସରକାରୀ ବିଶ୍ବବିଦ୍ୟାଳୟରେ ୨୬ଟି ଭାଷା ଗବେଷଣାଗାର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାକୁ ୭୦୧ କୋଟି ଟଙ୍କା, ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାକୁ ୫୪ କୋଟି ଟଙ୍କା, କ୍ରୀଡ଼ା ଓ ଯୁବ ସେବା ପାଇଁ ୧୩୧୫ କୋଟି ଟଙ୍କା ଦିଆଯାଇଛି। ମେଧାବୀ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ଲାଗି ଖେଳ ରତ୍ନ ଖୋଜା ଅଭିଯାନ କାର୍ଯ୍ୟକାରୀ କରାଯିବ ବୋଲି ବଜେଟ୍‌ରେ ଘୋଷଣା କରାଯାଇଛି।