ଭୁବନେଶ୍ବର, ୨୫/୭(ଇମିସ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ୨୦୨୪-୨୫ର ବଜେଟ୍ ଉପସ୍ଥାପନ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୩୩,୯୧୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ୨୦୨୩-୨୪ରେ କୃଷି ବଜେଟ୍ ପରିମାଣ ୨୪,୮୨୯ କୋଟି ଟଙ୍କା ଥିଲା। ଚଳିତ ବର୍ଷ ସେଥିରେ ୩୬ ପ୍ରତିଶତ ବୃଦ୍ଧି ଘଟିଛି। ଏଥି ସହିତ ବଜେଟ୍ରେ ଜଳ ସମ୍ପଦ ବିଭାଗର ବ୍ୟୟବରାଦକୁ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି।
କୃଷି ବଜେଟ୍ରେ ରାଜ୍ୟ ସରକାର ସମୃଦ୍ଧ କୃଷକ ଯୋଜନା, ପିଏମ୍ କିଷାନ ଯୋଜନା, ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିସନ, ଡ୍ୟାମ୍ ସୁରକ୍ଷା ଓ ଉନ୍ନତୀକରଣ ଭଳି ନୂଆ ଯୋଜନା ଘୋଷଣା କରିଛନ୍ତି। ବିକଶିତ ଓଡ଼ିଶା ସ୍ବପ୍ନ ସାକାର କରିବା ଲାଗି ନୂଆ ସମୃଦ୍ଧ କୃଷକ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ ଚାଷୀମାନଙ୍କଠାରୁ ଉଚିତ୍ ମୂଲ୍ୟରେ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରହିଛି। ଚାଷୀମାନଙ୍କଠାରୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ଯାହା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ଠାରୁ ୮୦୦ ଟଙ୍କା ଅଧିକ। ସମୃଦ୍ଧ କୃଷକ ଯୋଜନା ଅଧୀନରେ ୫୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିଭଳି ସିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ଅତିରିକ୍ତ ଟପ୍-ଅପ୍ ପ୍ରଦାନ କରାଯିବ।
ରାଜ୍ୟ ସରକାର ଉପ-ଖଣ୍ଡ ସ୍ତରରେ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ବ୍ଲକ୍ ସ୍ତରରେ ତାହାକୁ କାର୍ଯ୍ୟକାରୀ କରାଯିବ। ଚାଷୀମାନଙ୍କ ଲାଗି ବ୍ଲକ୍ ସ୍ତରରେ କୃଷି ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠା କରାଯିବ। ତାହା ଜରିଆରେ ବିଭିନ୍ନ ସୂଚନା ପ୍ରଦାନ କରାଯିବ। ଖୁବ୍ଶୀଘ୍ର କୃଷି ସମୃଦ୍ଧି ହେଲ୍ପଲାଇନ୍ ଆରମ୍ଭ କରାଯିବ। ମିଲେଟ୍ ଜାତୀୟ ଫସଲର ଉତ୍ପାଦନ ଓ ବ୍ୟବହାରକୁ ବୃଦ୍ଧି କରିବା ପାଇଁ କୃଷି ବଜେଟ୍ରେ ଶ୍ରୀ ଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମିଲେଟ୍ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରୋତ୍ସାହନ ଦେବା ସହ ସରକାରୀ କ୍ୟାଣ୍ଟିନ, ସ୍କୁଲ ଓ ଅନୁଷ୍ଠାନରେ ମିଲେଟ୍ ଯୋଗାଇ ପୁଷ୍ଟିହୀନତାର ମୁକାବିଲା କରାଯିବ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସବୁ ଚାଷୀଙ୍କୁ ସାମିଲ କରିବା ଉପରେ ସରକାର କାମ କରିବେ। ଏହା ବ୍ୟତୀତ ବନ୍ୟଜନ୍ତୁମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ଫସଲର କ୍ଷତିପୂରଣକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ। ଫସଲ ବୀମା ଯୋଜନା ଲାଗି ୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅକ୍ଷୟ ଶକ୍ତି ସାହାଯ୍ୟରେ ଚାଷୀଙ୍କୁ ସଶକ୍ତ କରିବା ଲାଗି ରାଜ୍ୟରେ ପିଏମ୍ କୁସୁମ୍ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ ୩୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବଜେଟ୍ରେ ପ୍ରାଣୀ ସମ୍ପଦ ବିକାଶ ଆବଣ୍ଟନକୁ ୬୯୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।