ରାଜ୍ୟ ସରକାର ଭିତ୍ତିଭୂମି ବିକାଶ, ଗୋଷ୍ଠୀ ସଶକ୍ତୀକରଣ ଓ ସ୍ଥାୟୀ ପର୍ଯ୍ୟଟନ ଉପରେ ଧ୍ୟାନ ଦେଇ ୮୨୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ବିକାଶ କରାଯିବ, ଯେଉଁଥିରେ ହୀରାକୁଦ ଜଳଭଣ୍ଡାର ଓ ଡେବ୍ରିଗଡ଼ ଜଙ୍ଗଲ ସାମିଲ ରହିବ। ବୌଦ୍ଧ ସର୍କିଟ୍‌କୁ ବିଶେଷ ଭାବେ ବିକାଶ କରାଯିବ। ଦେଓମାଳି, ଧଉଳି, ଚିଲିକା, ଖଣ୍ଡଗିରି-ଉଦୟଗିରି, ଖିଚିଂ, ସାତକୋଶିଆ ଓ ଶିମିଳିପାଳ ପାଇଁ ସମନ୍ବିତ ଯୋଜନା ପ୍ରସ୍ତୁତ କରି ଆଗାମୀ ୫ ବର୍ଷରେ କାର୍ଯ୍ୟକାରୀ କରାଯିବ। ଗୋପାଳପୁର ଓ ପାରାଦୀପ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍ ମାନ୍ୟତା ପାଇଁ କାମ କରାଯିବ। ୧୦ଟି ଜିଲ୍ଲାରେ ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ ନିର୍ମ‌ାଣ କରାଯିବ। 

Advertisment

ଚିଲିକା ହ୍ରଦକୁ ଏକ ସ୍ବତନ୍ତ୍ର ପର୍ଯ୍ୟଟନ ଜୋନ୍‌ରେ ବିକଶିତ କରାଯିବ। ଚିଲିକାରେ ପକ୍ଷୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ପର୍ଯ୍ୟଟକ ଡଙ୍ଗାର ଇଞ୍ଜିନ୍‌ ବଦଳାଇ ପରିବେଶ ଅନୁକୂଳ କରାଯିବ। ଗରିବ ଭକ୍ତଙ୍କ ମନସ୍କାମନା ପୂରଣ କରିବା ଲାଗି ରାଜ୍ୟ ସରକାର ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’ ଆରମ୍ଭ କରିଛନ୍ତି। ଏଥିପାଇଁ ବଜେଟ୍‌ରେ ୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ଭକ୍ତମାନେ ବିଭିନ୍ନ ଜିଲ୍ଲା ସଦର ମହକୁମାରୁ ବସ୍‌ରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ। ପ୍ରାୟ ୨୨୫ କୋଟି ଟଙ୍କାରେ କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀ ମନ୍ଦିର ପରିସରର ବିକାଶ କରାଯିବ। ଏଥିସହିତ ଢେଙ୍କାନାଳର ଯୋରନ୍ଦା‌ରେ ମହିମାଗାଦିର ବିକାଶ ଓ ସେଠାରେ ଭବ୍ୟ ଶୂନ୍ୟମଣ୍ଡପ ନିର୍ମାଣ କରାଯିବ। ପୁରୀର ସାକ୍ଷୀଗୋପାଳରେ ଥିବା ସାକ୍ଷୀ ଗୋପୀନାଥ ମହିରର ପାରିପାର୍ଶ୍ବିକ ଉନ୍ନତି କରାଯିବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୩୦ଟି ସ୍ଥାନରେ ମହିଳା ପର୍ଯ୍ୟଟକ ମିତ୍ରଙ୍କୁ ନିଯୁକ୍ତ କରାଯିବ।

ଘଟଗାଁ ତାରିଣୀ ମନ୍ଦିର ବିକାଶ ପାଇଁ ୨୨୫ କୋଟି
ଚିଲିକା ହେବ ସ୍ବତନ୍ତ୍ର ପର୍ଯ୍ୟଟନ ଜୋନ୍
୧୦ ଜିଲ୍ଲାରେ ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ
୩୦ଟି ସ୍ଥାନରେ ରହିବେ ମହିଳା ପର୍ଯ୍ୟଟକ ମିତ୍ର

୨.୯୦ ଲକ୍ଷ କୋଟିର ବଜେଟ୍‌
ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରାଯାଇଥିଲା। ଏଥର ପ୍ରସ୍ତୁତ କରାଯାଇଥିବା ବଜେଟ୍‌ର ପରିମାଣ ରାଜ୍ୟର ମୋଟ୍‌ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୨୭.୩ ପ୍ରତିଶତ ରହିଛି। ବଜେଟ୍‌ରୁ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୧.୭୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହା ମୋଟ ବଜେଟ୍‌ର ହେଉଛି ୫୮.୬ ପ୍ରତିଶତ। ପୁଞ୍ଜି ବ୍ୟୟ ଅଟକଳ ୬୫୦୧୨ କୋଟି ଧାର୍ଯ୍ୟ କରାଯାଇଛି। ତାହା ଜିଏସ୍‌ଡିପିର ୬.୧ ପ୍ରତିଶତ ରହିଛି। ବଜେଟ୍‌ରେ ସାମାଜିକ କ୍ଷେତ୍ରକୁ ୧,୧୯,୫୬୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୋଟ୍‌ ବଜେଟ୍‌ରେ ଏହି କ୍ଷେତ୍ରର ଭାଗ ୪୧ ପ୍ରତିଶତ ରହିଛି। ଅର୍ଥନୈତିକ କ୍ଷେତ୍ରକୁ ୯୧,୬୪୭ କୋଟି ଟଙ୍କା ଓ ବିକାଶମୂଳକ ବ୍ୟୟ ୨,୧୧,୨୧୨ କୋଟି ଟଙ୍କା ରହିଛି। ବଜେଟ୍‌ ୩୧,୮୦୦ କୋଟି ଟଙ୍କାର ରାଜସ୍ବ ବଳକା ରହିବ ବୋଲି ଆକଳନ କରାଯାଇଛି। ବିତ୍ତୀୟ ନିଅଣ୍ଟ ୩୪,୨୦୦ କୋଟି ଟଙ୍କା ନିର୍ଧାରଣ କରାଯାଇଛି, ଯାହା ଜିଏସ୍‌ଡିପିର ୩.୨ ପ୍ରତିଶତରେ ରହିବ। ମୋଟ ଋଣ ପରିମାଣ ୧,୩୪,୯୧୪ କୋଟି ଟଙ୍କା ରହିଛି।

xxcxc

୯,୪୯,୧୪୦ କୋଟିର ଅର୍ଥନୀତି
ରାଜ୍ୟର ଅର୍ଥନୀତିର ଆକାର ୨୦୨୪-୨୫ ଆର୍ଥିକ ବର୍ଷରେ ୯,୪୯,୧୪୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ୨୦୨୩-୨୪ରେ ତାହା ୮,୬୨,୬୫୮ କୋଟି ଟଙ୍କା ଥିଲା। ୨୦୧୫-୧୬ ଆର୍ଥିକ ବର୍ଷ ସହ ତୁଳନା କଲେ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ରେ ପ୍ରାୟ ତିନି ଗୁଣା ପାଖାପାଖି ବୃଦ୍ଧି ଘଟିଛି। ସେହି ଆର୍ଥିକ ବର୍ଷରେ ଜିଏସ୍‌ଡିପି ପରିମାଣ ଥିଲା ୩,୨୮,୫୫୦ କୋଟି ଟଙ୍କା। ରାଜ୍ୟ ଅର୍ଥନୀତି ପାଇଁ ଶିଳ୍ପ କ୍ଷେତ୍ରର ଅବଦାନ ସର୍ବାଧିକ ୪୩ ପ୍ରତିଶତ ଥିବା ବେଳେ ସେବାର ୩୬ ପ୍ରତିଶତ ଓ କୃଷି କ୍ଷେତ୍ରର ଅବଦାନ ୨୧ ପ୍ରତିଶତ ରହିଛି। ୨୦୧୫-୧୬ରେ ରାଜ୍ୟର ଅଭିବୃଦ୍ଧି ହାର ୭.୯୭ ପ୍ରତିଶତ ଥିଲା। ୨୦୨୪-୨୫ରେ ତାହା ୭.୨୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଏଥର ମଧ୍ୟ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଜାତୀୟ ହାର ୬.୯୩ ପ୍ରତିଶତଠାରୁ ଅଧିକ ରହିବ। ରାଜ୍ୟର ମୁଣ୍ଡପିଛା ଆୟ ୨୦୧୫-୧୬ରେ ଥିଲା ୫୪,୮୩୫ ଟଙ୍କା। ୨୦୨୪-୨୫ରେ ତାହା ୮୨,୫୪୮ ଟଙ୍କାକୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ସତ୍ତ୍ବେ ଦେଶର ମୁଣ୍ଡପିଛା ଆୟ ୨,୦୦,୧୬୨ ଟଙ୍କାଠାରୁ ଓଡ଼ିଶା ବହୁ ପଛରେ ରହିଛି।

ରାଜଧାନୀ ଭିଡ଼ କମାଇବାକୁ ୧୩ହଜାର କୋଟି, ସଡ଼କ ଉନ୍ନୟନ କାର୍ଯ୍ୟକ୍ରମକୁ ୬୫୦୨ କୋଟି

ଭୁବନେଶ୍ବରକୁ ଏକ ସମୃଦ୍ଧ ସହର ଭାବେ ନିର୍ମାଣ କରାଯିବ। ଏହାକୁ ବ୍ୟବସାୟ ହବ୍‌ରେ ପରିଣତ କରାଯିବ। ଯେପରି ଅଧିକରୁ ଅଧିକ ପୁଞ୍ଜିନିବଶେ ହେବ ସେହିଭଳି ଭିତ୍ତିଭୂମି ସରକାର ବିକାଶ କରିବେ। ଏଥିପାଇଁ ଜାଗା ଚିହ୍ନଟ ସରିଛି। ଭୁବନେଶ୍ବରକୁ ହାଇଦ୍ରାବାଦ ଭଳି ବିକଶିତ କରାଯିବ। ଭୁବନେଶ୍ବର ସହର ବାହାରେ ଏବଂ ଭିତରେ ଦୁଇଟି ରିଙ୍ଗ୍‌ ରୋଡ୍‌ ନିର୍ମାଣ କରାଯିବ। ବାହାର ରିଙ୍ଗ‌୍‌ ରୋଡ୍‌ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏହି ଦୁଇ ରିଙ୍ଗ୍‌ ରୋଡ୍‌ ମଝିରେ ସମୃଦ୍ଧ ଭୁବନେଶ୍ବରର ପରିକଳ୍ପନା କରାଯାଇଛି। ଏହାଦ୍ବାରା ଭୁବନେଶ୍ବର ଭିଡ଼ କମିବ ଏବଂ ଯାତାୟାତ ସୁବିଧା ହେବ। ସେହିପରି ବର୍ତ୍ତମାନର ସହର ଭିତରେ ଯେଉଁ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି ତାହାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ପ୍ରକଳ୍ପ କରାଯିବ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୩ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ରଖିଛନ୍ତି। ଏହି ଯୋଜନାର ନାମ ବିସ୍ତୃତ ସିଟି ରୋଡ୍ ଡିକଞ୍ଜେସନ ରଖାଯାଇଛି।  

ସଡ଼କ ଉନ୍ନୟନ କାର୍ଯ୍ୟକ୍ରମକୁ  ୬୫୦୨ କୋଟି
ସବୁ ରାଜ୍ୟ ରାଜପଥ ହେବ ଚାରି ଲେନ୍
ଓଡ଼ିଶା ରାଜପଥ ପ୍ରାଧିକରଣ ଗଠନ
cxxcc

ସେହିପରି, ସବୁ ରାଜ୍ୟ ରାଜପଥଗୁଡ଼ିକୁ ଚାରି ଲେନ୍ ବିଶିଷ୍ଟ କରିବାକୁ ସରକାର ବଜେଟ୍‌ରେ ଘୋଷଣା କରିଛନ୍ତି। ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ ସେହି କାର୍ଯ୍ୟ କରାଯିବ। ଏଥିପାଇଁ ୬୫୦୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରମୁଖ ଜିଲ୍ଲା ସଡ଼କ ଓ ଅନ୍ୟାନ୍ୟ ଜିଲ୍ଲା ସଡ଼କଗୁଡ଼ିକୁ ଦୁଇ ଲେନ୍ ବିଶିଷ୍ଟ କରାଯିବ। ଏହି ଯୋଜନାରେ ୩ ହଜାର କିଲୋମିଟର ସଡ଼କ ନିର୍ମାଣ କରାଯିବ। ବ୍ରହ୍ମପୁର-ଜୟପୁର ମଧ୍ୟରେ ୬ ଲେନ୍ ବିଶିଷ୍ଟ ନୂତନ ଏକ୍ସପ୍ରେସ୍ ୱେ ନିର୍ମାଣ କରାଯିବ। ଏହା ବ୍ୟତୀତ ପ୍ରମୁଖ ପର୍ଯ୍ୟଟନସ୍ଥଳ, ବନ୍ଦର, ରେଳ ଷ୍ଟେସନ୍‌ ଓ ବିମାନବନ୍ଦରକୁ  ଚାରି ଲେନ୍ ବିଶିଷ୍ଟ ସଡ଼କ ଏବଂ ଶିଳ୍ପପୁଞ୍ଜ ଓ ଖଣି ଅଞ୍ଚଳଗୁଡ଼ିକୁ  ୬ଲେନ୍ ବିଶିଷ୍ଟ ସଡ଼କ ଦ୍ବାରା ସଂଯୋଗ କରାଯିବ।  ‘ରାଜ୍ୟବ୍ୟାପୀ ସଡ଼କ ନେଟ୍‌ୱର୍କ ଯୋଜନା’ ପ୍ରସ୍ତୁତ କରାଯାଇଛି। ସଡ଼କ ପଥଗୁଡ଼ିକୁ ଶୀଘ୍ର ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଢାଞ୍ଚାରେ ‘ଓଡ଼ିଶା ରାଜପଥ ପ୍ରାଧିକରଣ’ ଗଠନ କରିବା ଘୋଷଣା କରିଛନ୍ତି। ରାଜ୍ୟର ବିଭିନ୍ନ ବିଭାଗଗୁଡ଼ିକର ମିଳିତ ସହଯୋଗରେ ୨୦୨୯-୩୦ ସୁଦ୍ଧା ୭୫ ହଜାର କିମି ସଡ଼କ ପଥ ନିର୍ମାଣ କରାଯିବ। ଗ୍ରାମୀଣ ସଡ଼କ ଯୋଗାଯୋଗ ପ୍ରଶିକ୍ଷଣ ଓ ଗବେଷଣା କେନ୍ଦ୍ରକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ।

୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତି ଲକ୍ଷ୍ୟ
୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ହେବାର ଆଶା ରଖାଯାଇଛି। ବିକଶିତ ଓଡ଼ିଶା ପାଇଁ ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ରଣନୀତି ଉପରେ ଆଧାରିତ। ବିକଶିତ ଭାରତ-୨୦୪୭ର ଅଭିବୃଦ୍ଧି ପାଇଁ ଏକ ଇଞ୍ଜିନ୍‌ ଭାବରେ ଓଡ଼ିଶାକୁ ପରିକଳ୍ପନା ବଜେଟ୍‌ରେ କରାଯାଇଛି। ୨୦୪୭ ସୁଦ୍ଧା ୧. ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାକୁ ଆଶା ରଖାଯାଇଛି। କୃଷି ଆୟ ବୃଦ୍ଧି ପାଇଁ ସର୍ବାଧ‌ିକ ଚାଷଜମିକୁ ଜଳସେଚନ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ। ଭାରତ ସରକାରଙ୍କ ସହାୟତାରେ ରାଜ୍ୟରେ ସଡ଼କ, ରେଳପଥ ଏବଂ ବିମାନବନ୍ଦର କ୍ଷେତ୍ରରେ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ସୁଦୀର୍ଘ ଉପକୂଳ ସୁଯୋଗର ଉପଯୋଗ ଦ୍ବାରା ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରାଯିବ।