ଫେବ୍ରୁଆରି ୧୪ରୁ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ଫେବ୍ରୁଆରି ୧୪ତାରିଖରୁ ଆରମ୍ଭ ହେବ ଓ ଏହା ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୧ ଦିନ ଧରି ଏହି ଅଧିବେଶନ ଚାଲିବାର କାର୍ଯ୍ୟକ୍ରମ ରହିଛି ।

ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳ ଗଣେଶି ଲାଲ ନିଜର ଅଭିଭାଷଣ ରଖିବେ । ଫେବ୍ରୁଆରି ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୪ରୁ ୨୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ପୁଣିଥରେ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ପକ୍ଷରୁ ମଙ୍ଗଳବାରଦିନ ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି।

ରାଜ୍ୟ ସରକାର ଇତି ମଧ୍ୟରେ ବଜେଟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବଜେଟ ପ୍ରସ୍ତୁତି ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଗତ ୧୫ ତାରିଖଠାରୁ ପ୍ରାକ ବଜେଟ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ, ବିଶେଷଜ୍ଞ ଓ ସଚିବମାନଙ୍କ ସହ ସେ ଆଲୋଚନା କରୁଛନ୍ତି । ଏହା ସହିତ ସାଧାରଣ ଲୋକଙ୍କ ମତାମତ ମଧ୍ୟ ନିଆଯାଉଛି ।

ସୂଚନାଯୋଗ୍ୟ ଯେ ଆସନ୍ତା ଫେବ୍ରୁଆରି ୧ରେ କେନ୍ଦ୍ର ସାଧାରଣ ବଜେଟ ଉପସ୍ଥାପନ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିବେ । ଏହାର ପୂର୍ବଦିନ ଅର୍ଥାତ ଜାନୁଆରି ୩୧ରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ ହେବ ।

ସମ୍ବନ୍ଧିତ ଖବର