ଭୁବନେଶ୍ବର: ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ମୋହନ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ସେ ହିଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ବ୍ୟୟବରାଦ ଯେଭଳି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହେବ, ସେହି ଅନୁଯାୟୀ ଏହାକୁ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ବିଭିନ୍ନ ସାମଗ୍ରୀର ଆକାଶଛୁଆଁ ଦର ପାଇଁ ଓଡ଼ିଶାର ମୁଦ୍ରାସ୍ଫୀତି ଲଗାତାର ଭାବେ ଅଧିକ ରହୁଥିବା ଚିନ୍ତାର କାରଣ ପାଲଟିଛି। ଦର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଜେଟ୍ରେ ପଦକ୍ଷେପ ନେବା ଆଶା କରାଯାଉଛି।
ଗତବର୍ଷ ରାଜ୍ୟରେ ସରକାର ବଦଳିବା ପରେ ଜୁଲାଇ ମାସରେ ବିେଜପି ସରକାର ରେକର୍ଡ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଏଥିରେ ମୁଖ୍ୟତଃ ‘ସୁଭଦ୍ରା’ ଯୋଜନା, ଧାନକିଣା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ଅର୍ଥ ବରାଦ ହୋଇଥିଲା। ହେଲେ ଏବେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ନୀଳ ନକ୍ସା ପ୍ରସ୍ତୁତ କରୁଥିବାରୁ ଏହି ବଜେଟ୍ ତା’ର ମୂଳଦୁଆ ହେବ ବୋଲି କୁହାଯାଉଛି। ବିକଶିତ ଓଡ଼ିଶା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ, ଆସିଥିବା ୩ଲକ୍ଷରୁ ଅଧିକ ଲୋକଙ୍କ ମତାମତକୁ ଆଧାର କରି ଏହି ବଜେଟ୍ରେ ଯୋଜନା ପ୍ରସ୍ତୁତ କରାଯାଇଛି।
୩ ଲକ୍ଷ କୋଟି ଟଙ୍କା ଟପିବ
ଦରଦାମ୍ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ ଆଶା
ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ହୋଇଥିବାରୁ ଏଥିରେ ହିତାଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏହି ବଜେଟ୍ରେ ହଜାରେ କୋଟିରୁ ଅଧିକ ଅର୍ଥ ବରାଦ ହୋଇପାରେ। ସବୁ ଉପଖଣ୍ଡରେ ଶୀତଳ ଭଣ୍ଡାର ସ୍ଥାପନ, ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି, ଧାନ କ୍ବିଣ୍ଟାଲ୍ ପିଛା ୮୦୦ଟଙ୍କା ଇନ୍ପୁଟ୍ ସବ୍ସିଡି, ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା, ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ୍ସ୍ତରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରାଯାଉଥିବାରୁ ଏସବୁ ପାଇଁ ଏଥର ବଜେଟ୍ରେ ବ୍ୟୟବରାଦ ବଢ଼ିବ। କୃଷକଙ୍କ ପାଇଁ ବିଭିନ୍ନ ଯୋଜନାରେ ଅଧିକ ଅର୍ଥ ବରାଦ ଏବଂ କୃଷି ସାମଗ୍ରୀ ଉପରେ ସବ୍ସିଡି ପ୍ରଦାନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ୀକରଣ, ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଭିତ୍ତିଭୂମି ପ୍ରସ୍ତୁତି, ଗ୍ରାମାଞ୍ଚଳରେ ଅଧିକ ନୂଆ ରାସ୍ତା ନିର୍ମାଣ, ସେତୁ ନିର୍ମାଣ, ଅଧିକ ଜମିକୁ ଜଳସେଚନ କରିବା ପାଇଁ ଯୋଜନା ହୋଇଥିବାରୁ ଏହି ସବୁ କ୍ଷେତ୍ରରେ ଅଧିକ ବଜେଟ୍ ବ୍ୟବସ୍ଥା ହୋଇପାରେ ବୋଲି ଆଶା କରାଯାଉଛି।
ଏହାବାଦ୍ ପୂର୍ବ ଭାରତରେ ଓଡ଼ିଶାକୁ ଆଇଟି ହବ୍ରେ ପରିଣତ କରିବା, ଶିଳ୍ପୋଦ୍ୟୋଗୀଙ୍କ ପାଇଁ ଅନୁକୂଳ ହୋଇଥିବା କହୁଥିବାରୁ ଏଥିପାଇଁ କେତୋଟି ଆଇଟି ପାର୍କ, ଇଣ୍ଡଷ୍ଟ୍ରିଆଲ୍ କରିଡର୍ ଘୋଷଣା କରୁଛନ୍ତି ତାହା କାଲି ସ୍ପଷ୍ଟ ହେବ। ଆସନ୍ତା ବଜେଟ୍ରେ ରାଜ୍ୟ ସରକାର କେନ୍ଦ୍ର ସରକାର ଯୋଜନା ପାଇଁ ରାଜ୍ୟ ଭାଗ ବାବଦ ଅଧିକ ଅର୍ଥ ଆବଣ୍ଟନ କରିପାରନ୍ତି। ସହରାଞ୍ଚଳ ଭିତ୍ତିଭୂମି ସୁଦୃଢ଼ୀକରଣ, ବହୁ ଫ୍ଲାଏଓଭର୍ ନିର୍ମାଣ, ମେଟ୍ରୋ ରେଳ ଡିଜାଇନ୍ ପରିବର୍ତ୍ତନ ଆଦି ବିଷୟ ଥିବାରୁ ସେ ବାବଦରେ ମଧ୍ୟ ଅଧିକ ବ୍ୟୟବରାଦର ଆବଶ୍ୟକତା ରହିଛି। ରାଜ୍ୟରେ ମୁଣ୍ଡ ପିଛା ଆୟ ଏବଂ କୃଷକଙ୍କ ଆୟ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ କେଉଁ ଦିଗକୁ ଫୋକସ୍ କରୁଛନ୍ତି, ତାହା କାଲିର ବଜେଟ୍ ସ୍ପଷ୍ଟ କରିବ। ସେହିପରି ଖଣି ରାଜସ୍ବ, କେନ୍ଦ୍ରୀୟ ସହାୟତା ଏବଂ ଅନ୍ୟାନ୍ୟ ଟିକସ ବାବଦକୁ କେତେ ଅର୍ଥ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ତାହା ଉପରେ ବି ସମସ୍ତଙ୍କ ନଜର ରହିିଛି।