ରାଜ୍ୟ କ୍ୟାବିନେଟର ଅନୁମୋଦନ: ଆଇଟି କମ୍ପାନିଙ୍କ ପାଇଁ ପୁଳାପୁଳା ‌ପ୍ରୋତ୍ସାହନ

ପୁରୀରେ ୧୩୫ କୋଟିରେ ନୂଆ ଧର୍ମଶାଳା, ରାୟଗଡ଼ା ଓ କୋରାପୁଟରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଟେଣ୍ଡରକୁ ମଞ୍ଜୁରୀ

ଭୁବନେଶ୍ବର): ଆଇଟି ଆଉଟସୋର୍ସିଂରେ ଓଡ଼ିଶାକୁ ବିଶ୍ବ ମାନଚିତ୍ରରେ ସ୍ଥାନିତ କରିବା, ବ୍ୟାପକ ନିଯୁକ୍ତି ସୁଯୋଗ, ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପାଇଁ ପୁଞ୍ଜିନିବେଶର ଅଗ୍ରଣୀ ଗନ୍ତବ୍ୟସ୍ଥଳରେ ପରିଣତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଶା ଆଇ.ଟି. ପଲିସି-୨୦୨୨ ଆଣିଛନ୍ତି। ଆଜି ଏହାକୁ କ୍ୟାବିନେଟ୍ ମଞ୍ଜୁର କରିଛି। ଆଜି ପୂର୍ବାହ୍ନରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଉପରୋକ୍ତ ନିଷ୍ପତ୍ତି ସମେତ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଆଜି ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁ୍ଆଲ୍‌ ପ୍ଲାଟ୍‌ଫର୍ମରେ କ୍ୟାବିନେଟ୍‌ ବୈଠକ ବସିଥିଲା। ବିଧାନସଭା ଅଧିବେଶନ ଚାଲିଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜ ପୂଜାରୀ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗୃହରେ ସୂଚନା ଦିଆଯାଇଥିଲା। ନୂଆ ଆଇଟି ପଲିସିରେ ବିଭିନ୍ନ ଆଇଟି କମ୍ପାନି ପାଇଁ ରାଜ୍ୟ ସରକାର ହାତଖୋଲା ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଯେପରି ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କମ୍ପାନିଗୁଡ଼ିକର ପୁଞ୍ଜିନିବେଶର ୨୫%(ସର୍ବାଧିକ ୨୦କୋଟି) ଯୋଗାଇ ଦେବା, ସୌରଶକ୍ତି କେନ୍ଦ୍ରର ବିକାଶ ନିମନ୍ତେ ଖର୍ଚ୍ଚ ହୋଇଥିବା ଅର୍ଥର ୧୫% (ସର୍ବାଧିକ ୨୫ଲକ୍ଷ ଟଙ୍କା) ଭରଣା, ଗ୍ରିନ୍ ଫିଲ୍ଡ ଆଇଟି ପାର୍କଗୁଡ଼ିକୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରବର୍ତ୍ତନ ଦେୟ ଶତ ପ୍ରତିଶତ ଛାଡ଼, ଭିତ୍ତିଭୂମିରେ ସ୍ଥାୟୀ ପୁଞ୍ଜିନିବେଶ‌ର ୩୦% (ସର୍ବାଧିକ ୩କୋଟି) ପର୍ଯ୍ୟନ୍ତ ଯୋଗ୍ୟ ଆଇଟି ସଂସ୍ଥାଗୁଡ଼ିକୁ ରିହାତି, ବ୍ୟାଙ୍କରୁ ଋଣ କରି ଠିକ୍ ସମୟରେ ପରିଶୋଧ କରୁଥିଲେ ଋଣ ଉପରେ ବାର୍ଷିକ ୫% ସୁଧ ରିହାତି ୫ବର୍ଷ ପର୍ଯ୍ୟନ୍ତ (ସର୍ବାଧିକ ୧୦କୋଟି ବାର୍ଷିକ) ,ବିଦ୍ୟୁତ ଶୁଳ୍କ, ବୈଦ୍ୟୁତିକ ଯାଞ୍ଚ ଶୁଳ୍କ ୫ବର୍ଷ ପର୍ଯ୍ୟନ୍ତ ଛାଡ଼, ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ ବିଲ୍‌ର ୩୦% (ସର୍ବାଧିକ ୩୫ଲକ୍ଷ) ରିହାତି ଆଦି ପ୍ରଦାନ କରାଯିବ।୍ର

ସେହିପରି ୪୦ରୁ ଅଧିକ କର୍ମଚାରୀ ଥିବା ଆଇଟି ୟୁନିଟଗୁଡ଼ିକ ଇନକ୍ୟୁବେସନ୍ ସ୍ପେଶ୍‌କୁ ଆଧାର କରି ସର୍ବାଧିକ ୩ବର୍ଷ ପାଇଁ ଇନକ୍ୟୁବେସନ ସ୍ପେଶ୍‌ର ଭଡ଼ାରେ ରିହାତି ପାଇପାରିବେ। ସରକାରଙ୍କ ଦ୍ବାରା ଅନୁମୋଦିତ ଆଇଟି ପାର୍କ ଓ ଇନକ୍ୟୁବେସନ୍ ସେଣ୍ଟରରେ କୋ ୱାର୍କିଂ ସ୍ପେଶ୍‌ରେ କାର୍ଯ୍ୟ କଲେ ପ୍ରତି ସିଟ୍ ପିଛା ମାସିକ ୧୪୦୦ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଜ୍ଞପ୍ତିପ୍ରାପ୍ତ ଘରୋଇ ଆଇଟି ପାର୍କରେ ପ୍ରତି ସିଟ୍‌ ପିଛା ହଜାର ଟଙ୍କା ପର୍ଯ୍ୟନ୍ତ ଭରଣ‌ା କରାଯିବ। ଭଡ଼ା ଘରେ ନୂଆ କରି ବ୍ୟବସାୟ ଆରମ୍ଭ କଲେ ପ୍ରତିମାସରେ ପ୍ରତି ବର୍ଗଫୁଟ ପିଛା ୨୦ଟଙ୍କା ହିସାବରେ ସହାୟତା ଦିଆଯିବ। ଯାହା ପ୍ରକୃତ ଭଡ଼ାର ୭୫%ରୁ ଅଧିକ ହେବନି। ମହିଳା ଅନୁସୂଚିତ ଜାତି/ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀଙ୍କୁ ଅତିରିକ୍ତ ୨୫% (ସର୍ବାଧିକ ୫ଲକ୍ଷ) ସହାୟତା ପ୍ରଦାନ କରାଯିବ। ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଉପରୁ ଶତ ପ୍ରତିଶତ ଏବଂ ଦ୍ବିତୀୟ ଥର ପାଇଁ ୫୦% ଛାଡ଼ କରାଯିବ। ଚାଷ ଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ କରିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରାଯିବ। ବିଡିଏ ଅଞ୍ଚଳରେ ବ୍ୟବସାୟ ସ୍ଥାପନ କଲେ ଆଇଟି କମ୍ପାନିଙ୍କୁ ୫ବର୍ଷ ପାଇଁ ଏସ୍‌ଜିଏସ୍‌ଟି ଶତ ପ୍ରତିଶତ ଭରଣା କରାଯିବ, ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦେଲେ ପ୍ରତି ବ୍ୟକ୍ତି ପାଇଁ ୧୦ହଜାର ଟଙ୍କା (ସର୍ବାଧିକ ୧୦ଲକ୍ଷ ଟଙ୍କା) ପ୍ରତି ୟୁନିଟକୁ ୩ବର୍ଷ ପାଇଁ ଯୋଗାଇ ଦିଆଯିବ। ଓଡ଼ିଆ କର୍ମଚାରୀଙ୍କ ପାଇଁ ଇପିଏଫ୍ ଓ ଇଏସ୍‌ଆଇ ବାବଦକୁ ଶତ ପ୍ରତିଶତ (ସର୍ବାଧିକ ୫କୋଟି) ୩ବର୍ଷ ପାଇଁ ଯୋଗାଇ ଦିଆଯିବ।
ଯୋଗ୍ୟ ଆଇଟି କମ୍ପାନିକୁ ସେମାନଙ୍କ ଇଣ୍ଟରନେଟ୍ ସଂଯୋଗ/ଲିଜ୍ ଦେୟର ୫୦% (ସର୍ବାଧିକ ୫ଲକ୍ଷ) ପର୍ଯ୍ୟନ୍ତ ୨ବର୍ଷ ପାଇଁ ଭରଣା କରାଯିବ। ବିଜୁ ଇନୋଭେସନ ଲାବ୍‌ର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ବାବଦକୁ ୫ବର୍ଷ ପାଇଁ ୨୦ଲକ୍ଷ ଟଙ୍କାର ସହାୟତା, ରାଜ୍ୟର ଇଞ୍ଜିନିୟରିଂ କଲେଜ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସକୁ ପ୍ରୋତ୍ସାହନ ଦେବା ପାଇଁ ମାର୍କେଟିଂ, ଗୁଣବତ୍ତା ପ୍ରମାଣପତ୍ର, ପେଟେଣ୍ଟ ପଞ୍ଜୀକରଣ, ଇଣ୍ଟରନେଟ, ସୁଧ ସବ୍‌ସିଡି ଆଦି ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର୍ ସିକ୍ୟୁରିଟି, ଅଟୋମେସନ, ବ୍ଲକ ଚେନ୍, ବିଗ୍‌ ଡାଟା, ମେସିନ୍ ଲର୍ଣ୍ଣିଂ, ଇଣ୍ଟରନେଟ୍ ଅଫ ଥିଙ୍ଗ୍‌ସ କ୍ଷେତ୍ରରେ ବିନିଯୋଗ କରିଥିବା କମ୍ପାନି/ୟୁନିଟକୁ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ। ଏହି ପଲିସି ଗେଜେଟ୍ ବିଜ୍ଞପ୍ତି ଠାରୁ ୫ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟ ସେହିଭଳି ଏକ ଯୋଜନା କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଲାଗୁ ହେବ।

ଏହାବାଦ୍ ଆଜିର କ୍ୟାବିନେଟ୍ ବୈଠକରେ ବିଭିନ୍ନ ଗ୍ରାମ ଓ ଗ୍ରାମପଞ୍ଚାୟତଗୁଡ଼ିକୁ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଆବଶ୍ୟକ ହେଉଥିବା ଉନ୍ନତମାନର ଟେଲି କମ୍ୟୁନିକେସନ୍ ଭିତ୍ତିଭୂମି ଓ ଟେଲି କମ୍ୟୁନିକେସନ୍ ନେଟୱର୍କ ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମୋବାଇଲ ଟାୱାର, ଅପ୍ଟିକାଲ ଫାଇବର୍ କେବୁଲ୍ ଏବଂ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନ କରିଛନ୍ତି। ଏଥିରେ ଅନୁପସ୍ଥିତ ଥିବା ‘ବିବେଚିତ ଅନୁମୋଦନ’ ଧାରାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ବାରା ଭୂତଳ ଓ ଉର୍ଦ୍ଧ୍ବ ଟେଲିଗ୍ରାଫ ଭିତ୍ତିଭୂମିର ସ୍ଥାପନ ପାଇଁ ୬୦ଦିନରେ ଅନୁମତି ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି।

ସେହିପରି ଗଞ୍ଜାମ ଜିଲ୍ଲାର ବରଦା ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀରେ ଏକ ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୪୯କୋଟି ୬୦ଲକ୍ଷ ଏବଂ ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ବାବଦକୁ ଅଢେଇ କୋଟି ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ୩ବର୍ଷରେ ଶେଷ ହେବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଗଞ୍ଜାମ ବ୍ଲକ ଏବଂ ଛତ୍ରପୁର ଏନ୍‌ଏସି, ଗଞ୍ଜାମ ଏନ୍‌ଏସି, ବ୍ରହ୍ମପୁର ସହରର ୧୬ଟି ଗ୍ରାମର ଲୋକମାନଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ମିଳିବ। ଏହି ଜଳାଶୟଟି ଲୋକଙ୍କର ଚାଷ କାର୍ଯ୍ୟ, ଶିଳ୍ପ ଓ ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସାହାଯ୍ୟ କରିବା ସହ ୧୬୪ହେକ୍ଟର ପରିମିତ ଅଞ୍ଚଳରେ ମାଛ ଚାଷ ହୋଇପାରିବ।

‘ଅବଢ଼ା’ ଯୋନଜାନରେ ପୁରୀରେ ପର୍ଯ୍ୟଟକଙ୍କ ପାଇଁ ସ୍ବଳ୍ପ ମୂଲ୍ୟର ବୋର୍ଡିଂ ଓ ରହଣି ସୁବିଧା, ବିଶେଷ ଭାବେ ବରିଷ୍ଠ ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରାଇବା ପାଇଁ ବାସେଳୀସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟାନ୍ବୟନ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ୍ ସର୍ବନିମ୍ନ ନିବିଦା ପ୍ରଦାନକାରୀ ଏମ୍‌/ଏସ୍‌ ଶ୍ରୀଜିକୃପା ପ୍ରୋଜେକ୍ଟସ ଲିମିଟେଡର ୧୩୫କୋଟି ୬୦ଲକ୍ଷ ଟଙ୍କାର ସର୍ବନିମ୍ନ ନିବିଦାକୁ କାର୍ଯ୍ୟାରମ୍ଭ ନିମନ୍ତେ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ କାମ ଦୁଇ ବର୍ଷରେ ଶେଷ ହେବ।
ଏହାସହ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ୭.୭୯୫ଏକର ସରକାରୀ ଜମି ବିଡିଏକୁ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୪.୧୪୮ ଏକର ଜମିକୁ ଲିଜ୍‌ ସୂତ୍ରେ ଏବଂ ୩.୪୪୭ ଏକର ଜମିକୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଅନୁମତିମୂଳକ ଦଖଲ ଦେବା ପାଇଁ ନିଷ୍ପତ୍ତି ହୋଇଛି। ବିଡିଏ ଏହି ଜମିକୁ ୧୯୮୬ ମସିହାରୁ ଦଖଲରେ ରଖି ବିଭିନ୍ନ ହିତାଧିକାରୀଙ୍କୁ ପ୍ରଦାନ କରିଥିବାରୁ ରାଜ୍ୟ ସରକାର ୧୯୮୬ ମସିହାରେ ପ୍ରଚଳିତ ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ‌ଦେୟ ଆଦା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୋଟ୍ ୬କୋଟି ୨୭ଲକ୍ଷ ୯୭ହଜାର ୯୦୭ଟଙ୍କା ଛାଡ଼ କରାଯାଇଛି। ଜଳଜୀବନ ମିସନ୍‌ ଯୋଜନାରେ ‌େକାରାପୁଟ ଓ ରାୟଗଡ଼ା ଜିଲ୍ଲାରେ ହେବାକୁ ଥିବା ପୃଥକପୃଥକ ପାନୀୟ ଜଳ ପ୍ରକଳ୍ପ ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ରାୟଗଡ଼ା ଜିଲ୍ଲାର ରମନଗୁଡ଼ା ବ୍ଲକ ଅଧୀନସ୍ଥ ୭ଟି ଗ୍ରାମପଞ୍ଚାୟତର ୫୮ଟି ଗାଁ, କୋଲନରା ବ୍ଲକର ୮ଟି ଗ୍ରାମପଞ୍ଚାୟତର ୭୧ଟି ଗ୍ରାମର ଗ୍ରାମବାସୀ ଉପକୃତ ହେବେ। ଏହି ପ୍ରକଳ୍ପ ପାଇଁ ୧୧୪କୋଟି ୬୮ଲକ୍ଷ ଖର୍ଚ୍ଚ ହେବ। ପ୍ରକଳ୍ପ ୨ବର୍ଷରେ ସରିବ।

କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଅଧୀନରେ ଥିବା ୧୫ଟି ପଞ୍ଚାୟତର ୮୨ଟି ଗାଁ ଓ କୁନ୍ଦ୍ରା ବ୍ଲକର ୧୬ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୫ଟି ଗ୍ରାମର ଲୋକ ଉପକୃତ ହେବେ। ପ୍ରକଳ୍ପ ପାଇଁ ୨୬୧କୋଟି ୯୭ଲକ୍ଷ ୪୧ହଜାର ୫୦ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ ଦୁଇ ବର୍ଷରେ ଶେଷ ହେବ। ସେହିପରି ଓଡ଼ିଶା ସଚିବାଳୟ କାର୍ଯ୍ୟନିର୍ବାହୀ ସହାୟକ ଓ ବ୍ୟକ୍ତିଗତ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ, ୧୯୯୭ରେ ସଂଶୋଧନ, ଓଡ଼ିଶା ଲୋକାୟୁକ୍ତଙ୍କର ୨୦୨୧ ବର୍ଷର ବାର୍ଷିକ ରିପୋର୍ଟ, ଓଡ଼ିଶା ଡିପ୍ଲୋମ ଯାନ୍ତ୍ରିକ ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୧୨ର ସଂଶୋଧନ, ଡିଆର୍‌ଡିଏର କର୍ମଚାରୀମାନଙ୍କର ଜିଲ୍ଲା ପରିଷଦରେ ମିଶ୍ରଣ ପରେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଦେୟ ୫ମ ରାଜ୍ୟ ଅର୍ଥ କମିସନ ସୁପାରିଶ କରିଥିବା ପ୍ରବେଶ କର ପରିବର୍ତ୍ତେ ରାଜ୍ୟ ଦ୍ରବ୍ୟ ଓ ସେବା କରକୁ କ୍ଷତିପୂରଣ ବାବଦରେ ଏହାର କାର୍ଯ୍ୟାନୁଷ୍ଠାନ ରିପୋର୍ଟର ପାରା ୬.୬କୁ କୋହଳ କରିବା ସମ୍ପର୍କିତ ପ୍ରସ୍ତାବରେ କ୍ୟାବନେଟ୍ ମୋହର ବାଜିଛି।

ପାଇକ ସ୍ମାରକୀ ପାଇଁ ବିନା ମୂଲ୍ୟରେ ୯.୬୮୫ ଏକର ଜମି
ଭୁବନେଶ୍ବର: ପାଇକ ବିଦ୍ରୋହର ସ୍ମୃତି ଉଦ୍ଦେଶ୍ୟରେ ‌ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦଦେଶରେ ‘ପାଇକ ସ୍ମାରକୀ’ ନିର୍ମାଣ ପାଇଁ ରାଜ୍ୟ ସରକାର ୯.୬୮୫ ଏକର ଜମି ବିନା ପ୍ରିମିୟମ, କ୍ୟାପିଟାଲାଇଜ୍‌ଡ ଭାଲ୍ୟୁ ଏବଂ ଇନସିଡେଣ୍ଟାଲ ଚାର୍ଜରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଦେୟ ବାବଦକୁ ୩୧କୋଟି ୯୭ଲକ୍ଷ ୬୨ହଜାର ୯୩୪ଟଙ୍କା ଛ‌ାଡ଼ କରିବାକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ବିଧାନସଭାରେ ସୂଚନା ଦେଇଥିଲେ। ଏହି ପାଇକ ସ୍ମାରକୀ ପାଇଁ ରାଜ୍ୟ ସରକାର ୧୦ଏକର ଜମି ଯୋଗାଇ ଦେବେ ବୋଲି ପ୍ରାୟ ୩ବର୍ଷ ତଳେ ଘୋଷଣା କରିଥିଲେ। ଏପରିକି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ୨୦୧୯ରେ ଏହି ପାଇକ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯାହା ଏବେ କାର୍ଯ୍ୟକାରୀ ହେବାକୁ ବାଟ ଫିଟିଛି।

ସୂଚନାଯୋଗ୍ୟ ଯେ ୧୮୫୭ ମସିହା ସିପା‌ହୀ ବିଦ୍ରୋହର ବହୁ ପୂର୍ବରୁ ୧୮୧୭ ମସିହାରେ ବରୁଣେଇ ପାହାଡ଼ ପାଦଦେଶରେ ବ୍ରିଟିସ ସରକାରଙ୍କ ବିରୋଧରେ ହୋଇଥିବା ସଂଗଠିତ ଯୁଦ୍ଧ ଯାହା ପାଇକ ବିଦ୍ରୋହ ନାମରେ ନାମିତ। ଏହି ସଂଗ୍ରାମ ତତ୍କାଳୀନ ରୋଡ଼ଙ୍ଗର ଜମିଦାର ବକ୍ସି ଜଗବନ୍ଧୁ ବିଦ୍ୟାଧର ରାୟ ମହାପାତ୍ରଙ୍କ ନେତୃତ୍ବରେ ଲଢ଼ା ଯାଇଥିଲା।

ସମ୍ବନ୍ଧିତ ଖବର