ଭୁବନେଶ୍ବର : ନୌବାଣିଜ୍ୟ ପରିବହନର ସାମଗ୍ରିକ ବିକାଶ ପାଇଁ ପ୍ରସ୍ତୁତ ଓଡ଼ିଶା ବନ୍ଦର ନୀତିକୁ ମଞ୍ଜୁରି ମିଳିଛି। ଏହି ନୀତି ଅନୁସାରେ ଓଡ଼ିଶାକୁ ଏକ ଅନୁକୂଳ ପୁଞ୍ଜି ବିନିଯୋଗସ୍ଥଳ ଭାବେ ମାନ୍ୟତା ମିଳିବ। ବନ୍ଦର ଏବଂ ବନ୍ଦର ସଂପର୍କିତ ଶିଳ୍ପ ସମୂହର ବିକାଶ ହେବ। ଏଥିରେ ଘରୋଇ ପୁଞ୍ଜି ବିନିଯୋଗ ପାଇଁ ସୁଯୋଗ ପ୍ରଦାନ କରାଯିବ। ବେକାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବାରେ ଏହା ସହାୟକ ହେବ। ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହା ସହିତ ୧୭ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଅନୁଷ୍ଠିତ ବୈଠକରେ ପ୍ରାୟ ୨୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଅନୁମତି ମିଳିଛି।
କଟକ ଜିଲ୍ଲା ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏଠାରେ ୩୮୭ ମିଟର ଦୀର୍ଘ ଓ ୪୩. ୮୨୫ମିଟର ଉଚ୍ଚର କଂକ୍ରିଟ୍ ବନ୍ଧ ନିର୍ମାଣରେ ୨୨୫ କୋଟି ଖର୍ଚ୍ଚ ହେବ। ଅଢ଼େଇ ବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ନରସିଂହପୁର, ବଡ଼ମ୍ବା, ତିଗିରିଆ ବ୍ଲକର ମରୁଡ଼ିପ୍ରବଣ ଅଞ୍ଚଳର ୬୨୦୫ ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିବ। ଜଳସେଚନ ବ୍ୟତୀତ ୩ଲକ୍ଷ ୭ ହଜାର ୬୩୮ ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ସକ୍ଷମ ହେବ। ସେହିଭଳି ବ୍ରାହ୍ମଣୀ ବାମପାର୍ଶ୍ବ କେନାଲରେ ହେବାକୁ ଥିବା ଜଳସେଚନ ପ୍ରକଳ୍ପରେ ୨୯୭ କୋଟି ଖର୍ଚ୍ଚକୁ ଅନୁମୋଦନ ମିଳିଛି। ୩ବର୍ଷରେ ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିଯୋଗୁଁ କୋରେଇ ବ୍ଲକ୍ ସହ କେନ୍ଦୁଝର ଜିଲ୍ଲାର ୧୯ହଜାର ୮୦୦ ହେକ୍ଟର ଜମି ଜଳସେଚିତ ହେବ।
୧୫ଶହ କୋଟି ଖର୍ଚ୍ଚରେ ରୂପାନ୍ତରଣ ହେବ ଓୟୁଟିଆର
ଜଳସେଚନ ପାଇଁ ୫୦୦ କୋଟି
ଶିଶୁମାନଙ୍କ ପାଇଁ ‘ପ୍ରାରମ୍ଭ’ ଯୋଜନା
ଏଥିସହ ଓୟୁଟିଆର ରୂପାନ୍ତରଣ ପାଇଁ ହୋଇଥିବା ମାଷ୍ଟରପ୍ଲାନ୍ରେ ୧୫୦୦ କୋଟି ଟଙ୍କା ବ୍ୟୟ ବରାଦକୁ ମଞ୍ଜୁରି ମିଳିଛି। ଏଥିରେ ଛାତ୍ର କ୍ଷମତା ୫ ହଜାରରୁ ୧୦ ହଜାରକୁ ବୃଦ୍ଧି ପାଇବା ସହ ଗବେଷଣା ଓ ଜ୍ଞାନକୌଶଳ, ଦକ୍ଷତା ବିକାଶ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।
/sambad/media/post_attachments/wp-content/uploads/2022/08/school-700x430.jpg)
ଶିଶୁମାନଙ୍କର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ଅଂଶଗ୍ରହଣ ଓ ସର୍ବୋଚ୍ଚ ବିକାଶ ତଥା ସାମଗ୍ରିକ କଲ୍ୟାଣ ପାଇଁ ଆବଶ୍ୟକ ଦାୟିତ୍ବ ବୃଦ୍ଧି ପାଇଁ ‘ପ୍ରାରମ୍ଭ’ ଯୋଜନା କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏଥିରେ ଶିଶୁ ସମ୍ବନ୍ଧିତ ୭ଟି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇଛି।
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ସହାୟତାପ୍ରାପ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଗ୍ରାମୀଣ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରକ୍ଷଣାବେକ୍ଷଣ କାମ ଉଭୟ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ କରିବେ।
ଫସଲ ବିବିଧକରଣ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମୋଦନ ମିଳିଛି। ୩ ବର୍ଷରେ ପଡ଼ିଆ ପଡ଼ୁଥିବା ୩.୭ଲକ୍ଷ ହେକ୍ଟର ଜମିରେ ଡାଲିଜାତୀୟ ଓ ବାସମତୀ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଦୁଇ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ୯୨୯୫୫ଲକ୍ଷ ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ଅନୁମୋଦନ ମିଳିଛି।
/sambad/media/post_attachments/wp-content/uploads/2021/10/farmers-750x430.jpg)
ତିନି ଲକ୍ଷ କିମ୍ବା ଅଧିକ ଜନସଂଖ୍ୟା ବିଶିଷ୍ଟ ପୌରପାଳିକାର କ୍ଷେତ୍ରୀୟ ଅଞ୍ଚଳରେ ଏକ କିମ୍ବା ଏକାଧିକ ଵାର୍ଡକୁ ନେଇ ଵାର୍ଡ କମିଟି ଗଠନ ହେବ। ଜନସାଧାରଣଙ୍କୁ ଉନ୍ନତ ସେବା ଦେବା, ଚତୁଃପାର୍ଶ୍ବ ବିକାଶ ପ୍ରକ୍ରିୟାରେ ଗୋଷ୍ଠୀ ଆଧାରିତ ସଂଗଠନ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ବିପର୍ଯ୍ୟୟର ଫଳପ୍ରଦ ପରିଚାଳନା ପାଇଁ ଵାର୍ଡ କମିଟି ଗଠନ ପାଇଁ ହୋଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିସହ ଟେକ୍ ହୋମ୍ ରାସନ୍ ନୀତିକୁ କ୍ୟାବିନେଟରେ ମଞ୍ଜୁରି ମିଳିଛି।
ଖଣ୍ଡଗିରିରେ ନିର୍ମାଣାଧୀନ ଯତୀନ ଦାସ କଳାକେନ୍ଦ୍ରର ସମ୍ପ୍ରସାରଣ ପାଇଁ ୪କୋଟି ୪ଲକ୍ଷ ଟଙ୍କା ବ୍ୟୟକୁ ମଞ୍ଜୁରି ମିଳିଛି। ଏହାକୁ ବିଶ୍ବସ୍ତରୀୟ ସଂଗ୍ରହାଳୟ କରିବା ପାଇଁ ଯୋଜନା ରହିଛି।
ଇଚ୍ଛାଧୀନ କୋଟାରେ ଏକକ ଆବଣ୍ଟନକୁ ଟାସ୍କଫୋର୍ସ ରିପୋର୍ଟ ପରିଧିରୁ ବାଦ୍ ଦିଆଯାଇଛି। ବିଡିଏ, ସିଡିଏ ଓ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଜରିଆରେ ଯେଉଁ ସବୁ ଆବଣ୍ଟନ କରାଯାଇଛି, ସେମାନଙ୍କ ଉତ୍ତରାଧିକାରୀ ସପକ୍ଷରେ ଦାଖଲ ଖାରଜ ଓ ଆବଣ୍ଟନ ପରବର୍ତ୍ତୀ କାର୍ଯ୍ୟାବଳିକୁ ଯଥାର୍ଥ ବୋଲି ଗ୍ରହଣ କରାଯାଇଛି। ତା’ ସହ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ହୋଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ସେହିଭଳି ଷ୍ଟାଫ୍ ସିଲେକ୍ସନ ଅଧୀନରେ ହେଉଥିବା ବିଭିନ୍ନ ପରୀକ୍ଷା(ଗ୍ରୁପ୍ ବି ଓ ଗ୍ରୁପ୍ ସି ସ୍ପେସାଲିଷ୍ଟ ପଦବୀ) ପାଇଁ ଏଥର ଏକକ ପରୀକ୍ଷା ପାଇଁ ଆବେଦନ କରିପାରିବେ। ସେହିଭଳି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ଅଧିନିୟମରେ ସଂଶୋଧନ ପାଇଁ ରହିଥିବା ପ୍ରସ୍ତାବ ଓ ଟେକ୍ ହୋମ୍ ରାସନ୍ ବ୍ୟବସ୍ଥାକୁ ମଧ୍ୟ ଅନୁମୋଦନ ମିଳିଛି।