ସରକାରଙ୍କ ପଛୁଆବର୍ଗ ଚିନ୍ତା : ୨୦୨୧ ଜନଗଣନାରେ ଅନଗ୍ରସରଙ୍କ ପାଇଁ ସ୍ୱତନ୍ତ୍ର ଗଣନା ହେଉ, ରାଜ୍ୟ କ୍ୟାବିନେଟ୍‌ ପାରିତ କଲା ସଂକଳ୍ପ, କେନ୍ଦ୍ର ସରକାରଙ୍କୁ ପଠାଯିବ ପ୍ରସ୍ତାବ

ଭୁବନେଶ୍ବର : ରାଜ୍ୟରେ ଥିବା ପଛୁଆ ବର୍ଗଙ୍କ ସଠିକ୍‌ ପରିସଂଖ୍ୟାନ ନ ଥିବାରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଯୋଜନା ପ୍ରଣୟନ କରାଯାଇପାରୁନି। ଆସନ୍ତା ୨୦୨୧ ଜନଗଣନାରେ ସାମାଜିକ, ଅର୍ଥନୈତିକ ଓ ଜାତିଭିତ୍ତିକ ଆଧାରରେ ପଛୁଆ ବର୍ଗଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ସଂକଳ୍ପ ପାରିତ ହୋଇଛି। ଏହି ସଂକଳ୍ପ କେନ୍ଦ୍ରକୁ ପଠାଯିବ। ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବ୍ୟକ୍ତିମାନଙ୍କ ବିକାଶ ପାଇଁ ସବୁବେଳେ ଅହରହ ଉଦ୍ୟମ କରୁଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ଣ ଶତବାର୍ଷିକୀରେ ଏହା ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ରାଜ୍ୟ ସରକାର କହିଛନ୍ତି।

୨୦୨୦ ମସିହାର ପ୍ରଥମ ରାଜ୍ୟ କ୍ୟାବିନେଟ୍‌ର ବୈଠକ ଆଜି ଲୋକସେବା ଭବନରେ ବସିଥିଲା। ଦ୍ବିତୀୟ ଶନିବାର ସରକାରୀ ଛୁଟି ଥାଇ ବି କ୍ୟାବିନେଟ୍‌ ଡକାଯାଇଥିଲା। ଛୁଟି ଦିନରେ ଅଚାନକ କ୍ୟାବିନେଟ୍‌ ଡକାଯିବା ନେଇ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଥିଲା। ନିର୍ଦ୍ଧାରିତ ସମୟ ସାଢ଼େ ପାଞ୍ଚଟାରେ ବୈଠକ ଆରମ୍ଭ ହୋଇ ପାଖାପାଖି ଅଧ ଘଣ୍ଟା ଚାଲିଥିଲା। ବୈଠକରେ କେବଳ ଏହି ଗୋଟିଏ ସଂକଳ୍ପ ହିଁ ପାରିତ ହୋଇଥିଲା।

ବୈଠକ ପରେ ସଂକଳ୍ପ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ରାଜ୍ୟରେ ସାମାଜିକ, ଅର୍ଥନୈତିକ ଓ ଜାତି ଆଧାରରେ ୨୦୧୧ରେ ଏସ୍‌ଇସିସି ଗଣନା ହୋଇଥିଲା। ଏହି ଗଣନା ନିର୍ଭୁଲ ଥିଲେ ବି ଏହାକୁ କେନ୍ଦ୍ର ସରକାର ପ୍ରକାଶ କରି ନ ଥିଲେ। ୨୦୧୧ରୁ ଏହା ଭିତରେ ରାଜ୍ୟରେ ଏସ୍‌ଇବିସି, ଓବିସି ଓ ଜାତି ଭିତ୍ତିକ ପଛୁଆ ବର୍ଗଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ସେମାନଙ୍କ ଠିକ୍ ତଥ୍ୟ ସରକାରଙ୍କ ପାଖରେ ନାହିଁ। ଫଳରେ ପଛୁଆ ବର୍ଗଙ୍କ ବିକାଶ ପାଇଁ ସଂରକ୍ଷଣ ବ୍ୟବସ୍ଥା ଠୁ ଆରମ୍ଭ କରି ସ୍ବତନ୍ତ୍ର ଯୋଜନା ପ୍ରଣୟନ କରିହେଉ ନାହିଁ। ସମ୍ବିଧାନର ଧାରା ୧୫(୪) ଓ ଧାରା ୪୬ ଅନୁଯାୟୀ ସାମାଜିକ, ଶିକ୍ଷା କ୍ଷେତ୍ରରେ ଅନଗ୍ରସର ନାଗରିକ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ବ୍ୟକ୍ତିମାନଙ୍କୁ ସାମାଜିକ ବାସନ୍ଦ ଓ ଅତ୍ୟାଚାରରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା ପ୍ରଣୟନ କରିପାରିବେ। ସେହିପରି ଧାରା ୧୬(୪) ଅନୁଯାୟୀ, ସରକାରୀ ଚାକିରିରେ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା ନିମନ୍ତେ ମଧ୍ୟ ରାଜ୍ୟକୁ କ୍ଷମତା ପ୍ରଦାନ କରାଯାଇଛି। ଏସବୁ ଦୃଷ୍ଟିରୁ ବିଚାର କଲେ ଓଡ଼ିଶାରେ ବହୁ ପୁରାତନ କାଳରୁ ବିଭିନ୍ନ ସଂପ୍ରଦାୟ ଓ ଜାତିମାନଙ୍କ ଭିତରେ ବିବିଧତା ଥିଲେ ବି ଏକତାର ଡୋରିରେ ବାନ୍ଧି ହୋଇ ରହିଛନ୍ତି। ଆଧୁନିକ ଓଡ଼ିଶାକୁ ୮୩ ବର୍ଷ ବିତିଥିଲେ ବି ଅଧିକାଂଶ କ୍ଷେତ୍ରରେ ବିକାଶ କରିବାରେ ରାଜ୍ୟ ସଫଳତା ପାଇଛି। ଦୀର୍ଘ ଦୁଇ ଦଶନ୍ଧି ଭିତରେ ରାଜ୍ୟର ମାନବ ବିକାଶ ସୂଚକାଙ୍କ ଦ୍ରୁତ ଗତିରେ ଅଗ୍ରସର ହୋଇଆସିଛି। ତଥାପି ସମୂହ ବିକାଶ କ୍ଷେତ୍ରରେ ସଂସ୍କାର ଆଣି ଆହୁରି ଆଗକୁ ଯିବାର ଅଛି। ଆନୁଷ୍ଠାନିକ ଭାବେ ଜାତି ଭିତ୍ତିକ ଜନଗଣନା ଶେଷ ଥର ପାଇଁ ରାଜ୍ୟରେ ୧୯୩୧ ମସିହାରେ ହୋଇଥିଲା।

ଆଇନ ମନ୍ତ୍ରୀ ଶ୍ରୀ ଜେନା ଆହୁରି କହିଥିଲେ ଭୌଗଳିକ ଅବସ୍ଥିତି ଓ ପଛୁଆ ବର୍ଗଙ୍କ ବହୁଳତା ନେଇ ସରକାରଙ୍କ ପାଖରେ ନିର୍ଭରଶୀଳ ତଥ୍ୟ ନ ଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ଭାବେ ଯୋଜନା କରାଯାଇପାରୁନି। କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ ୨୦୨୧ ଜନଗଣନା ବେଳେ ଏହି ପଛୁଆ ବର୍ଗଙ୍କୁ ଗଣନା କରିବାକୁ ସଂକଳ୍ପ ପାରିତ ହୋଇଛି। କେନ୍ଦ୍ର ସରକାରଙ୍କୁ ଏହି ସଂକଳ୍ପ ପଠାଯିବ। ସାଧାରଣ ଜନଗଣନା ବେଳେ ପଛୁଆବର୍ଗଙ୍କ ପାଇଁ ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ତଥ୍ୟ ସଂଗ୍ରହ ପାଇଁ ପ୍ରଶ୍ନାବଳୀରେ ଆବଶ୍ୟକ ଅଲଗା ବ୍ୟବସ୍ଥା କିମ୍ବା ସ୍ବତନ୍ତ୍ର ଫର୍ମାଟ୍‌ ଜରିଆରେ ତଥ୍ୟ ସଂଗ୍ରହ କରିବାକୁ ଅନୁରୋଧ କରାଯିବ। ଯାହାକୁ କେନ୍ଦ୍ର ସରକାର ଅବିଳମ୍ବେ ପ୍ରକାଶ କରିବେ।

ଜାତିର ପିତା ମହାତ୍ମା ଗାନ୍ଧୀ ସବୁବେଳେ ଆର୍ଥିକ ଅନଗ୍ରସର ଓ ପଛୁଆ ବର୍ଗଙ୍କ ଆର୍ଥିକ ବିକାଶ କ୍ଷେତ୍ରରେ ସମାନତା ଆଣିପାରିଲେ ପ୍ରକୃତ ସ୍ବାଧୀନତା ଆସିବ ବୋଲି କହୁଥିଲେ। ତାଙ୍କ ଦୃଷ୍ଟିରେ ସବୁ ବର୍ଗରୁ ସମାନ ସୁବିଧା ସୁଯୋଗ ମିଳିବା ଉଚିତ। ରାଜ୍ୟ ସରକାରଙ୍କ ଆଜିର ନିଷ୍ପତ୍ତି ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀରେ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ। ଯାହା ଗରିବଙ୍କ କଲ୍ୟାଣ ପାଇଁ ମହାତ୍ମାଗାନ୍ଧୀ ତାଙ୍କ ପରଶମଣୀ ବାର୍ତ୍ତାରେ ଦେଇଥିବା ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ଜେନା କହିଥିଲେ।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ମହାରାଷ୍ଟ୍ର ବିଧାନସଭା ଏଭଳି ଏକ ପ୍ରସ୍ତାବ (ଅନଗ୍ରସର ବର୍ଗ ପାଇଁ ସ୍ବତନ୍ତ୍ର ଗଣନା) ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବକୁ ସବୁ ଦଳର ବିଧାୟକମାନେ ସମର୍ଥନ କରିଥିଲେ। ଆଜି ଓଡ଼ିଶା କ୍ୟାବିନେଟ୍‌ ମଧ୍ୟ ଏଭଳି ସଂକଳ୍ପ ଗୃହୀତ କରିଛି।

ସମ୍ବନ୍ଧିତ ଖବର