ଶେଷ ହେଲା କ୍ୟାବିନେଟ୍‌ ବୈଠକ, ମୋଟ୍‌ ୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଥିବା ସୂଚନା

ଭୁବନେଶ୍ୱର : ଶେଷ ହେଲା କ୍ୟାବିନେଟ୍‌ ବୈଠକ । ମୋଟ୍‌ ୧୧ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଲିଥିବା ସୂଚନା ମିଳିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ପଞ୍ଚାୟତିରାଜ ବିଭାଗର ବସୁଧା ଯୋଜନାକୁ କ୍ୟାବିନେଟ୍‌ରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଏହାସହ ରାଜ୍ୟରେ ରେଳକ୍ଷେତ୍ରକୁ ଅଧିକ ବିକଶିତ କରିବା ପାଇଁ ରେଲୱେ ଜମି ଅଧିଗ୍ରହଣକୁ ନବୀନ ସରକାର ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି ।

ସବୁଠାରୁ ବଡ଼ କଥା ହେଲା, ମାସର ଚତୁର୍ଥ ଶନିବାର ଛୁଟିଦିବସ ଥିବା ସତ୍ତ୍ୱେ ବିଧାନସଭା ଚାଲୁଥିବାରୁ ଅନ୍ୟନ୍ୟ କେତୋଟି ବିଲ ଆଣିବାକୁ କ୍ୟାବିନେଟ୍‌ ମୋହର ମାରିଛନ୍ତି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ଦୁଇଟି ପ୍ରସ୍ତାବ ରହିଛି । ଏସିଆନ୍‌ ସ୍କୁଲ ଅଫ୍‌ ବିଜିନେସ ମ୍ୟାନେଜମେଣ୍ଟ (ଏଏସବିଏମ)କୁ ଡିମଡ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାକୁ ସରକାର କ୍ୟାବିନେଟ୍‌ ବୈଠକରେ ମୋହର ମାରିଛନ୍ତି ।

ଅନ୍ୟପଟେ ଲାଞ୍ଜିଗଡ଼ରେ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ସହିତ ଅନ୍ୟ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ନେଇ ରାଜସ୍ୱ ବିଭାଗର ଦୁଇଟି ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ୍‌ ପାସ୍‌ କରିଛି । ପଞ୍ଚାୟତିରାଜ ବିଭାଗର ପ୍ରସ୍ତାବ ଅନୁଯାୟୀ ପୁରୀ ଓ ନବରଙ୍ଗପୁରରେ ତିନୋଟି ପାନୀୟ ଜଳ ପ୍ରକଳ୍ପ ପାଇଁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରି ମିଳିଥିବା ବେଳେ ଆଇନ ବିଭାଗର ଗୋଟିଏ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର