ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି: ‘କାଳିଆ’ ଯୋଜନାରେ ସାମିଲ ହେବେ ଆଉ ୧୦ ଲକ୍ଷ ଚାଷୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘କାଳିଆ’ରେ ଆହୁରି ୧୦ ଲକ୍ଷ ଚାଷୀ ସାମିଲ ହେବେ। ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମଙ୍ଗଳବାର ଏହି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ଚାଷୀ ବର୍ଗରୁ ପୁଣି ୧୦ ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସେହିପରି ସରକାର ୩୫ ଲକ୍ଷ ବଦଳରେ ୪୫ ଲକ୍ଷ ଚାଷୀଙ୍କୁ ଟଙ୍କା ଦେବେ। କ୍ୟାବିନେଟ ବୈଠକରେ କାଳିଆ ଅନୁଦାନ ପ୍ରଦାନ ତାରିଖରେ ମଧ୍ୟ ପରିବର୍ତ୍ତନକୁ ମଂଜୁରୀ ମିଳିଛି। ଅକ୍ଷୟ ତୃତୀୟା, ନୂଆଁଖାଇ ବଦଳରେ ତାରିଖ ନିର୍ଦ୍ଧାରଣ ହୋଇଛି। ଖରିଫ ପାଇଁ ଏପ୍ରିଲ ୧ ତାରିଖ ନିର୍ଦ୍ଧାରଣ ହୋଇଥିବା ବେଳେ ରବି ପାଇଁ ସେପ୍ଟେମ୍ବରରେ ଟଙ୍କା ମିଳିବ।

କ୍ୟାବିନେଟ ବୈଠକରେ ଆଜି ମୋଟ ୧୭ଟି ପ୍ରସ୍ତାବରେ ମୋହର ଲାଗିଛି। ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁପାଇଁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥାକୁ ସରଳ କରାଯାଇଛି। ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ୩ ଦିନ ମଧ୍ୟରେ ତଦନ୍ତ ଶେଷ କରାଯାଇ ୧୫ ଦିନ ମଧ୍ୟରେ କ୍ଷତିପୂରଣ ଦିଆଯିବ।

କ୍ୟାବିନେଟ ବୈଠକରେ ଓଡ଼ିଆ ଭାଷାର ବିକାଶ ସଂପର୍କିତ ଆଲୋଚନା ହୋଇଛି। ଅଫିସିଆଲ ଭାଷା ଭାବରେ ଏହାକୁ ବ୍ୟବହାର କଲେ ପୁରସ୍କାର ମିଳିବ ବୋଲି କୁହାଯାଇଛି। ଯେଉଁମାନେ ଅଧିକ ବ୍ୟବହାର କରିବେ ପୁରସ୍କାର ମିଳିବ। ଅପରପକ୍ଷେ ବିରୋଧ କଲେ ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ସହିବାକୁ ପଡ଼ିବ।

ସରକାରୀ ଡାକ୍ତରମାନଙ୍କୁ ପଦୋନ୍ନତି ବ୍ୟବସ୍ଥାକୁ କ୍ୟାବିନେଟ ମଂଜୁରୀ ଦେଇଛନ୍ତି। ନିୟମିତ ଚାକିରି କରୁଥିଲେ ୭, ୧୪ ଓ ୨୧ ବର୍ଷରେ ପଦୋନ୍ନତି ମିଳିବ। ଗଣଶିକ୍ଷା ଅଧୀନକୁ ଯାଇଥିବା ଯୁକ୍ତ ୨ କଲେଜ ଶିକ୍ଷକ ନିଯୁକ୍ତ ପାଇଁ କ୍ୟାଡର ବ୍ୟବସ୍ଥା କରାଯାଇଛି। ସ୍କୁଲଗୁଡ଼ିକରେ ପିଜିଟି ଶିକ୍ଷକ ନିଯୁକ୍ତି ପାଇଁ କ୍ୟାଡର ନିଯୁକ୍ତି କରାଯିବ। ସେହିପରି ଜଳ ସଂପଦ ବିଭାଗ ଇଂଜିନିୟରିଂ କ୍ୟାଡରରେ ସଂଶୋଧନ କରାଯାଇଛି।

ସମ୍ବନ୍ଧିତ ଖବର