ବଲାଙ୍ଗୀର: ୨୦୧୪ ମସିହା ପରେ ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସରକାରଙ୍କଠାରେ ଲଢ଼େଇ କରି ଅନେକ ପ୍ରକଳ୍ପ ଅଣାଯାଇଛି। କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ କ୍ରୀଡ଼ା ଓ ଗମନାଗମନ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ଗୋଟିଏ ପ୍ରକଳ୍ପ ପାଇଁ ଅନେକ ସଂଘର୍ଷ କରାଯାଇଛି। ରାଜ୍ୟରେ ଯାହାବି ଯୋଜନା ପ୍ରଣୟନ ହେଲା ସରକାରଙ୍କଠାରେ ଦାବି କରି ବଲାଙ୍ଗୀର ପାଇଁ ନିଶ୍ଚିତ ଭାବେ ସେ ଯୋଜନାକୁ ଲୋକଙ୍କ ହିତ ପାଇଁ ଅଣାଯାଇଛି। କିନ୍ତୁ ଆଜିକାଲି ଦେଖାଯାଉଛି ଲୋକଙ୍କ ଦାବି ମୁତାବକ ଲଢ଼େଇ କରି ଅଣାଯାଇଥିବା ପ୍ରକଳ୍ପଗୁଡ଼ିକୁ ସ୍ଥାନୀୟ ସରକାରୀ ଦଳ ନେତାମାନେ ଚୋରି କରି ବାହାବା ନେବାରେ ଲାଗିଛନ୍ତି। ରାଜ୍ୟ ସରକାର ଯେଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ହଡ଼ପ କରି ଲୋକଙ୍କୁ ମିଥ୍ୟା କହି ଭୁଆଁ ବୁଲାଉଛନ୍ତି ଠିକ୍ ସେହିପରି ବଲାଙ୍ଗୀରରେ ମଧ୍ୟ ସରକାରୀ ଦଳର ନେତାମାନେ କରୁଛନ୍ତି ବୋଲି ବିଧାୟକ ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଶ୍ରୀ ମିଶ୍ର ଉଦାହରଣ ଦେଇ କହିଛନ୍ତି ଯେ, ଦିଶା ବୈଠକର ଏହି ବର୍ଷର ଦ୍ୱିତୀୟ ବୈଠକରେ ଅମୃତ ଯୋଜନା ଅନ୍ତର୍ଗତ ୧୨ କୋଟି ଟଙ୍କାର ଡିପିଆର୍ ମଂଜୁର ହୋଇ ମହାରାଣୀସାଗରର କାମ ହେବ ବୋଲି ଦର୍ଶାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ୧୨ କୋଟି ଟଙ୍କାର ଦ୍ୱିତୀୟ ପର୍ଯ୍ୟାୟ ଉନ୍ନତୀକରଣ ପାଇଁ ମୋ ପୋଖରୀ ଯୋଜନାରେ ତାହାକୁ ଅନ୍ତର୍ଭୁକ୍ତ କରାଗଲା ବୋଲି ଦର୍ଶାଇ ଦିଆଗଲା। ଦୁଃଖର ବିଷୟ ଏହି କିଛି ଦିନ ଆଗରୁ ହୋଇଥିବା ଦିଶା ବୈଠକରେ ଅମୃତ ଯୋଜନା ଅନ୍ତର୍ଗତ ମହାରାଣୀସାଗର ତଥା ଅନ୍ୟାନ୍ୟ ପୋଖରୀ ପାଇଁ ଅନୁଦାନ ରାଶି କିଛି ନାହିଁ ବୋଲି ସବିଶେଷ ବିବରଣୀ ଦିଆଗଲା ଏବଂ ସେ ସମସ୍ତ କେନ୍ଦ୍ରୀୟ ଅନୁଦାନକୁ ମୋ ପୋଖରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ବୋଲି ବୈଠକରେ ଉପସ୍ଥିତ ପିଡି ଡୁଡା ମିଥ୍ୟା ତଥ୍ୟ ଉପସ୍ଥାପନ କଲେ।
ଠିକ୍ ସେହିପରି ସ୍ଥାନୀୟ ରାଜ ପରିବାର ତଥା ସରକାରୀ ଦଳର ନେତାମାନେ କୌଣସି ପ୍ରକଳ୍ପ ବଲାଙ୍ଗୀରକୁ ଆଣିବା ପାଇଁ ସକ୍ଷମ ହୋଇନଥିଲେ ମଧ୍ୟ ପୃଥ୍ୱୀରାଜ ହାଇସ୍କୁଲ ଖେଳପଡ଼ିଆକୁ ଆସିଥିବା ଅନୁଦାନର ଚିଠିକୁ ଦେଖାଇ ବାହାବା ନେଉଛନ୍ତି। ସେପଟେ ଜରାସିଂହାଠାରେ ୪ କୋଟି ୭୫ ଲକ୍ଷ ୮୩ ହଜାର ଟଙ୍କାର ପ୍ରକଳ୍ପକୁ ଲଜ୍ଜାଜନକ ଭାବରେ ବିଜେଡି ନେତାଙ୍କ ଚାପରେ ଅଟକାଇ ରଖାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଟାଉନ ହାଇସ୍କୁଲରେ ଖୁବ୍ଶୀଘ୍ର ହକି ଷ୍ଟାଡିୟମ ନିର୍ମାଣ ପାଇଁ ମଞ୍ଜୁରି ମିଳିବ ବୋଲି ସୂଚନା ଦେଇଥିଲେ। ରାଜପରିବାର ବହୁ ବର୍ଷ ଧରି କ୍ରୀଡ଼ା, ଖଣି, ପୂର୍ତ୍ତ, ଅବକାରୀ, ଯୋଜନା ସମନ୍ୱୟ ବିଭାଗ ମନ୍ତ୍ରୀ ତଥା ସାଂସଦ ଭଳି ଗୁରୁତ୍ୱପୂର୍ଣ୍ଣ ପଦବିରେ ଥିଲେ ହେଁ ବଲାଙ୍ଗୀର ପାଇଁ କୌଣସି ଆଖିଦୃଶିଆ ପ୍ରକଳ୍ପ ଆଣି ନାହାନ୍ତି। ଓଲଟା ଏମାନଙ୍କ ପ୍ରତିରୋଧ ଯୋଗୁଁ ମେଡିକାଲ କଲେଜର ନିର୍ମାଣ ୧୮ବର୍ଷ ବିଳମ୍ବରେ ହେଲା ବୋଲି ବିଧାୟକ ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଅଜୟ ବାଲି, ମନୀଷ ମିଶ୍ର, ସନ୍ତକ ବହିଦାର, ନଗର ସଭାପତି ବୁଲୁ ଦାନୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/452f473b-d17a-4da3-8fca-67f3c39b35c9.jpeg)