ଓଡ଼ିଶା ଲଳିତ କଳା ଏକାଡେମିର ରାଜ୍ୟ ଚାରୁକଳା ପୁରସ୍କାର ଘୋଷଣା

ସ୍ଥଗିତ ରହିଲା ରୋନିବାଳା ମହାପାତ୍ରଙ୍କ ନାମ

ଭୁବନେଶ୍ୱର : ବର୍ଷ ୨୦୨୨ ପାଇଁ ଓଡ଼ିଶା ଲଳିତ କଳା ଏକାଡେମିର ‘ରାଜ୍ୟ ଚାରୁକଳା ପୁରସ୍କାର’ ଘୋଷଣା କରାଯାଇଛି। ଭାସ୍କର୍ଯ୍ୟ ବର୍ଗରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଅଶାନ୍ତ ଦାସ, ମୁଦ୍ରଣ କଳାରେ ରବିନାରାୟଣ ଗୁପ୍ତା ଓ ଟୁକୁନା ଡାକୁଆ, ଚିତ୍ରକଳାରେ ଅମିତ କୁମାର ଓଝା ଓ ଶୀତିକାନ୍ତ ସାମନ୍ତସିଂହାର ଏବଂ ପାରମ୍ପରିକ ଚିତ୍ରରେ ରୋନିବାଳା ମହାପାତ୍ର ଓ ନିରଜଂନ ମୁଖୀଙ୍କ ନାମ ମନୋନୀତ ହୋଇଛି। ତେବେ କିଛି ଅନିବାର୍ଯ୍ୟ କାରଣରୁ ଚୂଡ଼ାନ୍ତ ତାଲିକାରୁ ଶିଳ୍ପୀ ରୋନିବାଳା ମହାପାତ୍ର (ପାରମ୍ପରିକ ଚିତ୍ରକଳା)ଙ୍କ ନାମକୁ ସ୍ଥଗିତ ରଖାଯାଇଛି ବୋଲି ଏକାଡେମିର ସଚିବ ପଞ୍ଚାନନ ସାମଲ ସୂଚନା ଦେଇଛନ୍ତି। ଏକାଡେମିର ପରବର୍ତ୍ତୀ କାର୍ଯ୍ୟକାରୀ ସମିତି ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ଶିଳ୍ପୀମାନଙ୍କୁ ୨ଲକ୍ଷ ଟଙ୍କା ପୁରସ୍କାର ରାଶି, ତାମ୍ରଫଳକ, ପ୍ରମାଣପତ୍ର ଓ ଉପଢ଼ୈାକନ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଏହି ଅବସରରେ ଏକାଡେମି ତରଫରୁ ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତିଗୁଡ଼ିକର ଏକ ରଙ୍ଗିନ ଚିତ୍ରପୁସ୍ତିକା ମଧ୍ୟ ଉନ୍ମୋଚନ କରାଯିବ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସଙ୍କ ଦ୍ୱାରା ଏକାଡେମିର ସଭାପତି ସୁଦର୍ଶନ ପଟ୍ଟନାୟକ, ଉପ-ସଭାପତି ଶ୍ରୀନିବାସ ପଢ଼ିଆରୀ, କାର୍ଯ୍ୟକାରୀ କମିଟି ସଦସ୍ୟ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ସାହୁ, ଅକ୍ଷୟ କୁମାର ସାମଲ ଓ ଶ୍ୟାମସୁନ୍ଦର ମେହେରଙ୍କ ଉପସ୍ଥିତିରେ ରାଜ୍ୟ ପୁରସ୍କାର ଘୋଷଣା କରାଯାଇଛି। ଏକାଡେମିର ସଚିବ ପଞ୍ଚାନନ ସାମଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର