ଭୁବନେଶ୍ବର: ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ(ଏନ୍ସିଏପି) ଭଳି ଓଡ଼ିଶାରେ ରାଜ୍ୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ(ଏସ୍ସିଏପି) ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୨ଟି ସହରକୁ ସାମିଲ କରାଯାଇଛି। ଯେଉଁଥିରେ ଅଧିକାଂଶ ଶିଳ୍ପାଞ୍ଚଳ ସହର ରହିଛି। ଝାରସୁଗୁଡ଼ା ସମେତ ବ୍ରଜରାଜନଗର, ବେଲପାହାଡ଼, ବଣେଇ, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ୍, ପୁରୀ, ବ୍ରହ୍ମପୁର ପରି ସହର ରହିଛି। ପୁରୀ ଓ ବ୍ରହ୍ମପୁର ଶିଳ୍ପ ସହର ହୋଇ ନ ଥିଲେ ମଧ୍ୟ ଏହାର ବାୟୁ ଖରାପ ସ୍ତରରେ ରହୁଛି। ତେଣୁ ସହରଗୁଡ଼ିକର ବାୟୁ ମାନରେ ଉନ୍ନତି ଆଣିବାକୁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ ହୋଇଛି। ଏହି ସମୟ ଅବଧିରେ ୧୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ।
ଏବେ ରାଜ୍ୟର ୭ଟି ସହର ଯଥା ଭୁବନେଶ୍ବର, କଟକ, ରାଉରକେଲା, ଅନୁଗୁଳ, ତାଳଚେର, ବାଲେଶ୍ବର, କଳିଙ୍ଗନଗରକୁ ଏନ୍ସିଏପିରେ ସାମିଲ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ପରିଣାମ ସ୍ବରୂପ ସଦ୍ୟ ପ୍ରକାଶିତ ଏନ୍ସିଏପି ରୢାକିଂରେ ଅନୁଗୁଳ, ତାଳଚେର, ଭୁବନେଶ୍ବର, କଟକ ସହରର ବାୟୁର ଗୁଣାବତ୍ତାରେ ଉନ୍ନତି ଆସିପାରିଛି। ତାହାକୁ ଆଧାର କରି ରାଜ୍ୟ ସରକାର ଏସ୍ପିଏପି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ପରିବେଶ ଇଞ୍ଜିନିୟର ତଥା ଏସ୍ସିଏପି ଦାୟିତ୍ବରେ ଥିବା ଦିଲ୍ଲୀପ କୁମାର ଦାସ କହିଛନ୍ତି ଯେ ଏନ୍ସିଏପିରେ ୭ଟି ସହର ସାମିଲ ହୋଇଛି। ୨୦୧୯-୨୦ରେ ହାତକୁ ନିଆଯାଇଥିବା ଏହି କାର୍ଯ୍ୟକ୍ରମ ଏବେ ମଧ୍ୟ ଜାରି ରହିଛି। ଓଡ଼ିଶାର ବିଭିନ୍ନ ସହରର ବାୟୁ ଗୁଣବତ୍ତା କେଉଁଠି ଆହ୍ବାନ ସୃଷ୍ଟି କରିଛି ତାହାକୁ ଅନୁଧ୍ୟାନ କରିବା ପରେ ଆଉ ୧୨ଟି ସହରକୁ ଚିହ୍ନଟ କରାଯାଇଥିଲା। ଏହାପରେ ସେଠାରେ ରାଜ୍ୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ।
ଆରମ୍ଭ ହେବ ରାଜ୍ୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ
୫ ବର୍ଷରେ ଖର୍ଚ୍ଚ ହେବ ୧୫୦ କୋଟି
ଫ୍ଲାଏଆସ୍ ମନିଟରିଂ କରିବାକୁ ରୂପରେଖ
ଆସନ୍ତା ୫ ବର୍ଷରେ ପାଖାପାଖି ୧୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଅର୍ଥରେ ସହରାଞ୍ଚଳରେ ଆବର୍ଜନା ପୋଡ଼ିବା ହ୍ରାସ, ରାସ୍ତାରେ ଉଡ଼ୁଥିବା ଧୂଳିକଣା ହ୍ରାସ, କୋଠା ଭାଙ୍ଗିବା ସମୟରେ ବାହାରୁଥିବା ଆବର୍ଜନାର ସଠିକ୍ ବ୍ୟବହାର ଦିଗରେ ପଦକ୍ଷେପ ନିଆଯିବ। ପେଟ୍ରୋଲ, ଡିଜେଲ୍ ଗାଡ଼ି ଅପେକ୍ଷା ଇଭିର ବ୍ୟବହାର ବୃଦ୍ଧି ପାଇଁ ଲୋକଙ୍କୁ ପୋତ୍ସାହନ, ବାୟୁ ଗୁଣବତ୍ତା ନିୟମିତ ଭାବେ ମପାଯିବ। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆଲୋଚନାଚକ୍ର ଓ କର୍ମଶାଳାର ଆୟୋଜିତ ହେବ। ଗାଡ଼ି ଅପେକ୍ଷା ସାଇକେଲ୍ ଚଲାଇବାକୁ ଅଧିକ ପ୍ରୋତ୍ସାହିତ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
ଅନ୍ୟପକ୍ଷରେ ଶିଳ୍ପାନୁଷ୍ଠାନରୁ ନିର୍ଗତ ହେଉଥିବା ଫ୍ଲାଏଆସ୍ ମନିଟରିଂ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଆଇଆଇଟି ଭୁବନେଶ୍ବର ମଧ୍ୟରେ ଏକ ରାଜିନାମା ହୋଇଛି। ଆଇଆଇଟି ଭୁବନେଶ୍ବର ସହଯୋଗରେ ୬ ମାସରେ ପ୍ରସ୍ତୁତ ହେବାକୁ ଥିବା ସିଟିଜେନ୍ ରିପୋର୍ଟିଂ ଆପ୍ ମାଧ୍ୟମରେ ଫ୍ଲାଏଆସ୍ ମନିଟରିଂ ହେବ। ଡ୍ରୋନ୍, କ୍ୟୁଆର୍ କୋଡ୍ ବ୍ୟବହାର ପରି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯିବ। ଲୋକମାନେ ମଧ୍ୟ ଏଥିରେ ସାମିଲ ହୋଇପାରିବେ। ଶିଳ୍ପ ସଂସ୍ଥାରୁ ଫ୍ଲାଏଅସ୍ ବାହାରିବାଠାରୁ ନଷ୍ଟ ହେବା ପର୍ଯ୍ୟନ୍ତ, ସବୁ କିଛି ଟ୍ରାକ୍ ହେବ। ରାସ୍ତାରେ ଯଦି କେହି ବେଆଇନ ଭାବେ ଫ୍ଲାଏଆସ୍ ପକାଇ ଚାଲିଯାଉଥିବେ ତାହାକୁ ଧରିବାରେ ମଧ୍ୟ ସହାୟକ ହେବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡର ଚିଫ୍ ଏନ୍ଭର୍ଣ୍ଣମେଣ୍ଟାଲ ଇଞ୍ଜିନିୟର ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି। ଏଥିସହ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଫ୍ଲାଏଆସ୍ ଆଟଲାସ୍ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।