ଜଗା-ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସମୀକ୍ଷା କଲେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ଜଗା ପାଠପଢ଼ା ସମ୍ପର୍କରେ ନିଷ୍ପତ୍ତି ନେବ ଅନୁଧ୍ୟାନ ବୋର୍ଡ

କଟକ : କେମିତି ଚାଲିଛି ଜଗା-ବଳିଆଙ୍କ ଚିକିତ୍ସା, ସେ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଶୁକ୍ରବାର ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା‌ ଦାସ ଏସ୍‌ସିବିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତା’ସହିତ ଜଗାର ପାଠ ପଢିବା ଓ ସ୍କୁଲ୍‌ ଯିବା ପ୍ରସଙ୍ଗରେ ମଧ୍ୟ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସ୍କୁଲ୍‌ ଯିବା ପାଇଁ ଜଗା କେତେ ସକ୍ଷମ, ସେଥିପାଇଁ ସିଡିଏମ୍‌ଓଙ୍କ ଅଧ୍ୟକ୍ଷତାରେ ଏକ ମେଡିକାଲ ଅନୁଧ୍ୟାନ ବୋର୍ଡ (ଆସେସ୍‌ମେଣ୍ଟ ବୋର୍ଡ ) ଗଠନ କରାଯିବ। ଏହି ବୋର୍ଡ ମୂଲ୍ୟାଙ୍କନ କରି ରିପୋର୍ଟ ଦେବା ପରେ ଜଗାର ପାଠପଢା ସଂପର୍କରେ ନିସ୍ପତ୍ତି ନିଆଯିବ। ଅନ୍ୟପଟେ ଜଗା ମୁଣ୍ଡର ଉପରିଭାଗ ସଂପୂର୍ଣ୍ଣ ଶୁଖିନଥିବା ଓ ସେ ସବୁବେଳେ ହେଲମେଟ୍‌ ପିନ୍ଧି ରହୁଥିବାରୁ ସ୍କୁଲ ଛଡ଼ାଗଲେ କାଳେ କିଛି ଅଘଟଣ ଘଟିବ, ସେଥିପାଇଁ କମିଟି ରିପୋର୍ଟକୁ ଗୁରୁତ୍ବ ଦିଆଯିବ। ତେବେ, ସ୍କୁଲ୍‌ ନ ଗଲେ ଘରୋଇ ବ୍ୟବସ୍ଥାରେ ଟ୍ୟୁଟର ମାଧ୍ୟମରେ ଜଗାକୁ ପାଠ ପଢାଯାଇପାରିବ। ଜଗାର ପାଠପଢା ଖର୍ଚ୍ଚ ବିଭାଗ ପକ୍ଷରୁ ବହନ କରାଯିବ ବୋଲି ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି।

ଶ୍ରୀମତୀ ଦାସ ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ଜଗା-ବଳିଆଙ୍କ ବାପା ଭୂୟାଁ କହଁର, ମା’ ପୁଷ୍ପାଞ୍ଜଳିଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର, ରେଜିଷ୍ଟ୍ରାର ପ୍ରିୟରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଥାଉକି, ଏମ୍‌ସ ଡାକ୍ତରୀ ଦଳ ଜଗାକୁ ସ୍କୁଲ ପଠାଇବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହି ଆଧାରରେ ରାଜ୍ୟ ସରକାର ଜଗା-ବଳିଆ ଯେଉଁ ଦିନ ଏସ୍‌ସିବିରେ ଭର୍ତ୍ତି ହେଲେ, ସେହିଦିନ ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଜଗାକୁ ଖୁବ୍‌ଶୀଘ୍ର ସ୍କୁଲ ପଠାଯିବ ବୋଲି ସୂଚନା ଦେଇଥିଲେ। ଏପରିକି ଜଗାକୁ ପାଠ ପଢାଇବା ପାଇଁ ୪ଟି ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ରାଜି ଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।

ଅନ୍ୟପଟେ, ବଳିଆକୁ ଆଜି ଜ୍ବର ଆସିନଥିବାବେଳେ ତାର ରକ୍ତ ପରୀକ୍ଷାରୁ ନିଉଟ୍ରୋଫିଲ୍‌ସ ବଢିଥିବା ଜଣାପଡିଛି। ତେଣୁ ଔଷଧର ମାତ୍ରା ବଢାଯାଇଥିବା ଓ କିଛି ଔଷଧରେ ମଧ୍ୟ ପରିବର୍ତ୍ତନ କରାଯାଇଥିବା ବିଶେଷଜ୍ଞ କମିଟି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର